ଯୁବତୀଙ୍କ ମାଡରେ ଘାଇଲା ହେଲେ ଲୁଟେରା : ରାଜଧାନୀର ରାତି ଦେଖିଲା ଆତ୍ମବିଶ୍ୱାସୀ ଝିଅର ସାହାସ

62

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଏ ହେଉଛି ରାଜଧାନୀରୁ ଏମିତି ଏକ ଖବର, ଯାହା ଆପଣଙ୍କୁ ବିଚଳିତ କରିବ। ତାସାଙ୍ଗକୁ ଆତ୍ମବିଶ୍ୱାସ ବି ବଢାଇଦେବ। ଜଣେ ଯୁବତୀ ରାସ୍ତା ଉପରେ ତିନି ଲୁଟେରାଙ୍କୁ ସାବାଡ କରିଛନ୍ତି । ଯୁବତୀ ଜଣକ ହେଉଛନ୍ତି ଚିନ୍ମୟୀ ଭୂୟାଁ । ଉତ୍କଳ କରାଟେ ସ୍କୁଲ୍ ନିକଟ ଭେଣ୍ଡି ଜୋନ୍ ସାମ୍ନାରେ ନିଜ ସ୍କୁଟିକୁ ଡେରି ହୋଇ ମୋବାଇଲରେ କଥା ହେଉଥିଲେ । ଠିକ୍ ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଚେନ୍ ଓ ମୋବାଇଲ୍ ଛଡାଇ ନେଇ ପଳାଇଥିଲେ।

ହେଲେ ଚିନ୍ମୟୀ କିନ୍ତୁ ହାର୍ ମାନି ନଥିଲେ । ନିଜ ସ୍କୁଟିକୁ ଦୌଡାଇଥିଲେ ଲୁଟେରାଙ୍କ ପଛରେ । ଛକ ପରେ ଛକ ପାର୍ ହୋଇଥିଲେ । ସ୍କୁଟିର ସ୍ପିଡ ସହ ବଢୁଥିଲା ତାଙ୍କ ଆତ୍ମବିଶ୍ୱାସ । ଶେଷରେ ବିଧାନସଭା ନିକଟରେ ଦୁର୍ବୃତ୍ତଙ୍କ ବାଇକ୍ ପାଖା ପାଖି ହୋଇଥିଲେ ଚିନ୍ମୟୀ । ଫିଲ୍ମି ଷ୍ଟାଇଲରେ ଚଳନ୍ତା ସ୍କୁଟିରୁ ଦୁର୍ବୃତ୍ତଙ୍କ ବାଇକକୁ କିକ୍ ମାରିଥିଲେ। ଗୋଟିଏ ଗୋଇଠାରେ ପଡି ଯାଇଥିଲେ ତିନି ଦୁର୍ବୃତ୍ତ ।

ଆତ୍ମରକ୍ଷାର କଳା ଶିଖିଥିବା ଚିନ୍ମୟୀ ଆତ୍ମବିଶ୍ୱାସର ସହ ଲଢିଥିଲେ ଦୁର୍ବୃତ୍ତଙ୍କ ସହ । ରାଜଧାନୀର ସ୍ୱାର୍ଥପର ଆଖି ଦେଖୁଥିଲା ଏହି ଦୃଶ୍ୟକୁ । ହେଲେ କେହି କିନ୍ତୁ ପାଖକୁ ଆସି ନଥିଲେ । ଚିନ୍ମୟୀ କିନ୍ତୁ ଥିଲେ ନଛୋଡ ବନ୍ଧା। ମାରୁଥିଲେ ଆଉ ମାଡ ଖାଉଥିଲେ। ଶେଷରେ ନିଜ ବାଇକ୍ ଛାଡି ଦୁର୍ବୃତ୍ତ ମାନେ ଜୀବନ ବିକଳରେ ଫେରାର୍ ହୋଇଯାଇଥିଲେ ।

ନିଜ ସାହାସିକତା ପାଇଁ ଗୋଟିଏ ରାତିରେ ଖୁବ୍ ଚର୍ଚ୍ଚା ସାଉଁଟିଛନ୍ତି ଚିନ୍ମୟୀ ଭୂୟାଁ । ଏପରିକି ପୁଲିସ୍ କମିଶନର୍ ମଧ୍ୟ ତାଙ୍କୁ ସମ୍ମାନିତ କରିବାକୁ ଆଗେଇ ଆସିଛନ୍ତି ।