ଇତିହାସ ରଚିଲା ଚୀନ୍ ! ଚନ୍ଦ୍ରର ଯେଉଁ ପାଶ୍ୱର୍କୁ କେହି ଦେଖି ନାହାନ୍ତି, ସେଠାରେ ଚୀନ ପହଞ୍ଚାଇଲା ନିଜ ସ୍ପେଶକ୍ରାଫ୍ଟ ।

443

ଅନ୍ତରୀକ୍ଷ କ୍ଷେତ୍ରରେ କ୍ରମାଗତ ଭାବେ ନୂଆ ନୂଆ ଇତିହାସ ରଚୁଛି ଚୀନ୍ । ଗୁରୁବାର ଚୀନ ତାହା କରି ଦେଖାଇଛି, ଯାହାକୁ ସାରା ଦୁନିଆରେ ଆଜି ଯାଏଁ କେହି କରିପାରିନଥିଲେ । ଚନ୍ଦ୍ରର ସେହି ପାଶ୍ୱର୍, ଯାହାକି ପୃଥିବୀ  ପୃଷ୍ଠରୁ ଦୃଶ୍ୟମାନ ହୋଇନଥାଏ । ଚନ୍ଦ୍ରର ସେହି ପାଶ୍ୱର୍ରେ ନିଜ ସ୍ପେଶ୍ କ୍ରାଫ୍ଟ ଚାଙ୍ଗ୍-୪ ପହଞ୍ଚାଇଛି ଚୀନ୍ । ଚନ୍ଦ୍ରର ଏହି ପାଶ୍ୱର୍କୁ ଡାର୍କ ସାଇଟ୍ ବୋଲି କୁହାଯାଇଥାଏ, ଯାହାକି ପୃଥିବୀ ପୃଷ୍ଠରୁ ଦେଖାଯାଇନଥାଏ । ଅନ୍ତରୀକ୍ଷ କ୍ଷେତ୍ରରେ ଚୀନର ଏହି ପଦକ୍ଷେପକୁ ଏକ ବଡ କ୍ରାନ୍ତି ବୋଲି କୁହାଯାଉଛି ।

ଗୁରୁବାର ଦିନ ଚୀନର ଗୋଟିଏ ମହାକାଶଯାନ ସର୍ବ ପ୍ରଥମ କରି ଚନ୍ଦ୍ରର ଅପର ପାର୍ଶ୍ୱରେ ଅବତରଣ କରିଥିବା କଥା ରାଷ୍ଟ୍ରାୟତ ଗଣମାଧ୍ୟମ କହିଛି । ସକାଳ ପ୍ରାୟ ୧୦: ୨୬ ସମୟରେ ଲୁନାର୍ ଏକ୍ସପ୍ଲୋରର୍ ‘ଚାଙ୍ଗ୍’ଏ-ଫୋର୍’ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି ବୋଲି ଚୀନର ସେଣ୍ଟ୍ରାଲ୍ ଟେଲିଭିଜନ୍ ସଂକ୍ଷିପ୍ତ ସମାଚାରରେ କହିଛି।

ଚନ୍ଦ୍ରର ଅପର ପାର୍ଶ୍ୱ ପୃଥିବୀ ପୃଷ୍ଠକୁ ଦେଖା ଯାଉ ନ ଥିବାରୁ ତାହା ଅନାବିଷ୍କୃତ ହୋଇ ରହିଛି । ୧୯୭୬ ମସିହାରେ ସୋଭିଏତ୍ ୟୁନିୟନର ଲୁନା ୨୪ ଅବତରଣ କରିବା ପରେ ୨୦୧୩ରେ ପ୍ରଥମ କରି ଚନ୍ଦ୍ରାବତରଣ କରିଥିବା ମହାକାଶଯାନ ହେଉଛି ଚାଙ୍ଗ୍’ଏ- ଥ୍ରି ।

ଅଭିଯାନରେ ଏକ ରୋଭର୍ ନେଇ ଯାଇଥିବା ଚାଙ୍ଗ୍’ଏ-ଫୋର୍ ଲୋ ଫ୍ରିକ୍ୱେନ୍ସି ରେଡିଓ ଆଷ୍ଟ୍ରାନୋମିକାଲ ଅବଜରଭେସନ୍ କରିବା ସହ ଚନ୍ଦ୍ରର ପଥୁରିଆ ଅଞ୍ଚଳର ଢାଞ୍ଚା ଓ ଖଣିଜ ମିଶ୍ରଣ ଉପରେ ଅନୁଧ୍ୟାନ କରିବ। ଦକ୍ଷିଣ ଚୀନର ଜିଚାଙ୍ଗ୍ ସାଟେଲାଇଟ୍ ଲଞ୍ଚ୍ ସେଣ୍ଟରରୁ ଚାଙ୍ଗ୍’ଏ-ଫୋରକୁ ବହନ କରି ଲଙ୍ଗ୍ ମାର୍ଚ ଥ୍ରିବି ରକେଟ୍ ଡିସେମ୍ବର ୮ ତାରିଖ ଦିନ ଉତକ୍ଷେପିତ ହୋଇଥିଲା। ଆସନ୍ତା ବର୍ଷ ଚନ୍ଦ୍ରପୃଷ୍ଠକୁ ଚାଙ୍ଗ୍’ଏ-ଫାଇବ୍ ପ୍ରୋବ୍ ପଠାଇବାକୁ ଯୋଜନା କରୁଛି ଚୀନ । ତାହା ନମୁନା ସଂଗ୍ରହ କରି ପୃଥିବୀକୁ ଫେରିବ ।