ଭାରତ ପାକ୍ ସୀମାରେ ଚୀନ୍ ସେନା । ଛାଇଗଲାଣି ରାସ୍ତା ଓ ବିମାନଘାଟି, ଭାରତ ପାଇଁ ବିପଦ

34

କନକ ବ୍ୟୁରୋ: ଆମେରିକା ସହ ସମ୍ପର୍କ ଖରାପ ହେବା ପରେ ଚୀନ ଆଡ଼କୁ ଢଳିବାରେ ଲାଗିଛି ପାକିସ୍ତାନ  । ରାଷ୍ଟ୍ରପତି ଟ୍ରମ୍ପ ପାକିସ୍ତାନକୁ ଭର୍ତ୍ସନା କରି ଆର୍ଥିକ ଅନୁଦାନ ବନ୍ଦ କରିବାରୁ ଇସଲାମାବାଦ୍ ଓ ବେଜିଂ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ ବଢ଼ିବାର କୁହାଯାଉଛି  । ଚୀନ ସରକାରୀ ମୁଖପତ୍ର ଗ୍ଲୋବାଲ୍ ଟାଇମ୍ସ ଅନୁଯାୟୀ ପାକିସ୍ତାନର ଏକ ସାମରିକ ଘାଟିକୁ ବେଜିଂ ଅଧିଗ୍ରହଣ କରିବ । ଯେଉଁଠି ଚୀନ ସ୍ଥାପନା କରିବ ନିଜର ସେନା ଶିବିର  ।

ସୂଚନା ମୁତାବକ, ପାକିସ୍ତାନକୁ ଅସ୍ତ୍ର କରି ଚୀନ୍ ଭାରତୀୟ ଅଂଚଳ ଦଖଲ କରିବା ଓ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ବିଶାଳ ଷଡ଼ଯନ୍ତ୍ର ଆରମ୍ଭ କରିଦେଇଛି । ପାକିସ୍ତାନ ସୀମାରେ ଗତ କିଛିଦିନ ହେବ ଚୀନ୍ର ସେନା ଛାଉଣୀ ଦେଖିବାକୁ ମିଳୁଥିବା ବେଳେ କଶ୍ମୀରଠାରୁ ଗୁଜରାଟ ପର୍ଯ୍ୟନ୍ତ ଭାରତ-ପାକ୍ ସୀମାରେ ଚୀନ୍ ନିଜର ଆଧିପତ୍ୟ ଜାହିର କରିଚାଲିଛି । ବିଗତ ୪ ମାସ ମଧ୍ୟରେ ଭାରତୀୟ ସୀମାକୁ ଲାଗି ଚୀନ୍ ପାକିସ୍ତାନ ମାଟିରେ ଦୁଇଟି ବଡ଼ ଧରଣର ବିମାନଘାଟି ମଧ୍ୟ ନିର୍ମାଣ କରି ସାରିଛି ଯାହାକି ସାମରିକ ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ସେହିଭଳି ରାଜସ୍ଥାନ ସୀମାରେ ଉଭୟ ପାକିସ୍ତାନୀ ଓ ଚୀନ୍ ସେନା ୩୫୦ରୁ ଅଧିକ ବଙ୍କର ନିର୍ମାଣ କାର୍ଯ୍ୟରେ ମଧ୍ୟ ଲାଗିଛନ୍ତି । ଉକ୍ତ ବଙ୍କରଗୁଡିକ ଏଭଳି ପଥରରେ ତିଆରି କରାଯାଇଛି ଯାହାକି ଖାଲି ଆଖିରେ ଦେଖିଲେ ବଙ୍କର ଭଳି ଦୃଶ୍ୟମାନ ମଧ୍ୟ ହେବନାହିଁ । କେବଳ ଏତିକି ନୁହେଁ, ଯୁଦ୍ଧ ସମୟରେ ସେନା ବ୍ୟବହାର କରୁଥିବା ପ୍ରତିରକ୍ଷା କେନାଲ, ଜରୁରୀ ପ୍ରସ୍ଥାନ ପଥ ଓ ରାସ୍ତା ମଧ୍ୟ ନିର୍ମାଣ ଚାଲିଛି ।

ଗୁଇନ୍ଦା ବିଭାଗର ସୂଚନା ମୁତାବକ, ପାକିସ୍ତାନୀ ତୈଳ କମ୍ପାନି ଅନ୍ତର୍ଜାତୀୟ ସୀମାରେଖା ନିକଟରେ ରାସ୍ତା, କେନାଲ ଓ ପେଟ୍ରାଲ ପମ୍ପ ମଧ୍ୟ ନିର୍ମାଣ କରୁଛି। ଭାରତର ଚିରଶତ୍ରୁ ହୋଇ ରହିଥିବା ପାକିସ୍ତାନକୁ ବ୍ୟବହାର କରି ଚୀନ୍ ସେଠାରେ ଯେଉଁସବୁ ପ୍ରସ୍ତୁତି ଚଳାଇଛି ତାହା ଭାରତ ପାଇଁ ବଡ଼ ବିପଦ ବୋଲି ଗୁଇନ୍ଦା ବିଭାଗ ସୂତ୍ରରୁ ଜଣାପଡ଼ିଡ଼ିଛି ।

ଭାରତକୁ ଘେରିବା ପାଇଁ ଚୀନ୍ ଓ ପାକିସ୍ତାନ ମିଳିତ ଭାବେ ଷଡ଼ଯନ୍ତ୍ର ଚଳାଇଥିବା ବେଳେ ଏହାର ମାଧ୍ୟମ ପାଲଟିଛି ଚୀନ୍-ପାକ୍ ଆର୍ଥିକ କରିଡର (ସିପିଇସି) । ରାଜସ୍ଥାନର ଜୈସଲମେରର ଘୋତ୍ରା ସୀମାଠାରୁ ମାତ୍ର ୨୫ କିମି ଦୂରରେ ଖେଦପୁରଠାରେ ଚୀନ୍ ବିମାନଘାଟି ନିର୍ମାଣ କରିଥିବା ବେଳେ ଉକ୍ତ ଅଞ୍ଚଳରେ ବହୁ ସଂଖ୍ୟାରେ ଚୀନ୍ ସେନା ପଇଁତରା ମାରୁଛନ୍ତି । ଚୀନ୍ ଓ ପାକିସ୍ତାନର ଚେଙ୍ଗୁଡ ଜେ-୭, ଜେଏଫ-୧୭ ଯୁଦ୍ଧବିମାନ, ଓ୍ଵାଇ-୮ ରାଡାର ଏବଂ ମିଗ୍-୨୧ ପରି ଯୁଦ୍ଧବିମାନ ଏହି ଘାଟିରେ ରହୁଛି । ସେହିଭଳି ଗୁଜରାଟ ସୀମାରୁ ମଧ୍ୟ ମାତ୍ର ୨୦ କିମି ଦୂରରେ ଏକ ବିମାନଘାଟି ନିର୍ମାଣ ଚାଲିଛି । ଉକ୍ତ ଅଞ୍ଚଳରେ ଚୀନ୍-ପାକିସ୍ତାନ କ୍ୟାରିଅର୍ ନାମକ ଏକ ରେଳ ଲାଇନ୍ ବିଛାଇବା ପାଇଁ ମଧ୍ୟ ଯୋଜନା ଚାଲିଥିବା ଖବର ମିଳିଛି ।

ଭାରତ ଓ ପାକିସ୍ତାନର ସେନା ଅଧିକାରୀସ୍ତରୀୟ ଆଲୋଚନାରେ ପାକିସ୍ତାନ କହିଛି, ସିପିଇସି ପାଇଁ ଆବଶ୍ୟକ ପ୍ରାକୃତିକ ଗ୍ୟାସ୍ ଓ ତୈଳ କରାଚି ବିମାନବନ୍ଦର ଯୋଗେ ନେବା ଆଣିବା ପାଇଁ ସମସ୍ୟା ଉପୁଜୁଥିବାରୁ ଚୀନ୍ ଏହି ନୂତନ ବିମାନଘାଟିକୁ ସେଥିପାଇଁ ବ୍ୟବହାର କରିବ। ଗୁଇନ୍ଦା ବିଭାର ଖବର ମୁତାବକ, ରାଜସ୍ଥାନର ଜୈସଲମେର ନିକଟସ୍ଥ ପେକ୍କାଲ ଓ ଚୋଲିସ୍ତାନରେ ଚୀନ୍ ସେନାର ଛାଉଣୀ ହୋଇଛି। ଏହାର ଅବସ୍ଥିତି ଏବଂ ଉଦ୍ଦେଶ୍ୟ ଭାରତ ପାଇଁ ବିପଜ୍ଜନକ ହେବା ଆଶଙ୍କା ପ୍ରକାଶ ପାଇଛି । ଦୀର୍ଘବର୍ଷ ହେବ ମରୁଭୂମି ଅଞ୍ଚଳରୁ ଭାରତୀୟ ସୀମାକୁ କବଜା କରିବାପାଇଁ ଚୀନ୍ ଚଳାଇଥିବା ଚାଲକୁ ଏବେ ସିପିଇସି ମାଧ୍ୟମରେ ପାକିସ୍ତାନ ଆଗକୁ ବଢ଼ାଉଛି । ଏହା ବ୍ୟତୀତ ଡୋକଲାମ ବିବଦରେ କୂଟନୈତିକ ପରାଜୟ ଯୋଗୁଁ ପଛଘୁଞ୍ଚା ଦେଇଥିବା ଚୀନ୍ ଏବେ ବଡ଼ ଧରଣର ଷଡ଼ଯନ୍ତ୍ର ଆରମ୍ଭ କରିଥିବାରୁ ଏହା ଉପରେ ପ୍ରତିରକ୍ଷା ବିଶେଷଜ୍ଞମାନଙ୍କ ସତର୍କ ନଜର ରହିଛି ।