ଭାରତ-ଚୀନ ବିବାଦରେ ପଡିଲା ପୂର୍ଣ୍ଣଛେଦ ! ଡୋକଲାମରୁ ହେବ ସେନା ପ୍ରତ୍ୟାହାର

27

କନକ ବ୍ୟୁରୋ : ୭୨ ଦିନର ବଳ କଷାକଷି ପରେ ଡୋକଲାମ ବିବାଦରେ ଯବନିକା ପଡିଛି । କୂଟନୈତିକ ସ୍ତରରେ ଆଲୋଚନା ପରେ ଡୋକଲାମରୁ ସେନା ହଟାଇବାକୁ ସହମତ ହୋଇଛନ୍ତି ଉଭୟ ଭାରତ ଓ ଚୀନ୍ । ପ୍ରେସ୍ ରିଲିଜ୍ ଜାରି କରି ଏନେଇ ସ୍ପଷ୍ଟ କରିଛି ବୈଦେଶିକ ମନ୍ତ୍ରାଳୟ । ଧିରେ ଧିରେ ପର୍ଯ୍ୟାୟ କ୍ରମେ ଉଭୟ ଦେଶ ପକ୍ଷରୁ ସେନା ପ୍ରତ୍ୟାହାର କରାଯିବ ।

ଦୀର୍ଘ ଅଢେଇ ମାସ ଧରି ଲାଗିରହିଥିବା ବିବାଦର କୂଟନୈତିକ ସ୍ତରରେ ସମାଧାନ ପାଇଁ ଉଦ୍ୟମ ଜାରି ରଖିଥିଲା ଭାରତ । ଶେଷରେ ଚୀନକୁ ବୁଝାଇବାରେ ସଫଳ ହୋଇଛି ଭାରତ ।

ଚୀନରେ ଆସନ୍ତା ସେପ୍ଟେମ୍ବରରେ ଅନୁଷ୍ଠିତ ହେବ ବ୍ରିକ୍ସ ସମ୍ମିଳନୀ । ଏଥିରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହାପୂର୍ବରୁ ଡୋକଲାମକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦର ସମାଧାନ ପାଇଁ ବେଜିଂ ଉପରେ ଚାପ ପଡୁଥିବା କୁହାଯାଉଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କୂଟନୈତିକ ସ୍ତରରେ ଆଲୋଚନା କରି ବିବାଦର ସମାଧାନ ପାଇଁ ଚୀନକୁ ଆହ୍ୱାନ କରିଥିଲେ ।

ସେପଟେ ଚୀନ୍ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସରେ ଭିନ୍ନ ଧରଣର ରିପୋର୍ଟ ପ୍ରକାଶ ପାଇଛି । ଏହି ଗଣମାଧ୍ୟମ ଚୀନ୍ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ରଙ୍କ ବୟାନକୁ ଆଧାର କରି କହିଛି, ଡୋକଲାମ ସୀମାରୁ ଭାରତ ତାର ସେନା ପ୍ରତ୍ୟାହାର କରିଛି । ଭାରତ ସେନା ସହ ଓ ତାର ସମସ୍ତ ସାମରିକ ଯନ୍ତ୍ରପାତି ନିଜ ସୀମାକୁ ଫେରାଇନେଇଥିବା ଚୀନ୍ ସରକାର ସ୍ପଷ୍ଟ କରିଛନ୍ତି ।

ଚୀନ୍-ଭୂଟାନ ଓ ଭାରତ ସୀମାନ୍ତ ଟ୍ରାଇ ଜଙ୍କସନରେ ଚୀନର ରାସ୍ତା ନିର୍ମାଣକୁ ବିରୋଧ କରୁଥିଲା ଭାରତ । ଦୀର୍ଘ ଅଢେଇ ମାସ ଧରି ଭାରତ-ଚୀନ୍ ମଧ୍ୟରେ ଟଣା ଅଟରା ଚାଲିଥିଲା । ଆଉ ଏହାରି ଭିତରେ ଦାଦାଗିରି ଦେଖାଇଥିଲା ପଡୋଶୀ ଦେଶ । କେବେ ଯୁଦ୍ଧ ଧମକ ତ ଆଉ କେବେ ଅନୁପ୍ରବେଶ ଉଦ୍ୟମ ଓ ପଥର ବାଜି । ସମରାଭ୍ୟାସ ନାଁରେ ସୀମାରେ ଶକ୍ତି ପ୍ରଦର୍ଶନ କରିଥିଲା ଚୀନ୍ । ହେଲେ ଏହାକୁ ଖାତିର କରିନଥିଲା ଭାରତ । ଶେଷରେ ଆପୋଷ ଆଲୋଚନା ପରେ ଡୋକଲାମ୍ ସମସ୍ୟାର ସମାଧାନ ହୋଇଥିବା ଭାରତ କହିଛି ।