ଶସ୍ତା ଚାର୍ଜର ନେଲା ଜୀବନ ! ଚାର୍ଜିଂ ସମୟରେ ମୋବାଇଲ ଫୋନ୍ ବ୍ୟବହାର କରିବା ପଡିଲା ମହଙ୍ଗା ।

346

ଚାର୍ଜିଂ ସମୟରେ ମୋବାଇଲ ବ୍ୟବହାର କରିବା ବିପଦପୂର୍ଣ୍ଣ ହୋଇଥାଏ । ତେବେ ଅନେକ ମୋବାଇଲ ଫୋନ ବ୍ୟବହାରକାରୀମାନେ ମୋବାଇଲକୁ ଚାର୍ଜିଂରେ ରଖି ଗୀତ ଶୁଣିଥାନ୍ତି କିମ୍ବା କଥା ହୋଇଥାନ୍ତି । ତେବେ ଏପରି କରିବା କେତେ ଭୟାନକ ହୋଇପାରେ, ସେଭଳି ଏକ ଘଟଣା ସାମ୍ନାକୁ ଆସିଛି । ଚାର୍ଜିଂ ସମୟରେ ମୋବାଇଲ୍ ଫୋନ ବ୍ୟବହାର କରୁଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଲିସର କହିବା କଥା, ୨୪ ବର୍ଷୀୟ ଏହି ଯୁବକ, ମୋବାଇଲକୁ ଚାର୍ଜିଂରେ ରଖିବା ସହ ଏଥିରେ ଇୟରଫୋନ ଜରିଆରେ ଗୀତ ଶୁଣୁଥିଲେ କିମ୍ବା କଥା ହେଉଥିଲେ ।

ତେବେ ଏହି ଘଟଣା ଥାଇଲାଣ୍ଡର ଚୋନବୁରୀ ଅଞ୍ଚଳର ବୋଲି ଜଣାପଡିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଯୁବକଙ୍କ ମୃତଦେହରୁ ଜଣାପଡିଛି ଯେ, ଇୟରଫୋନର ମାଇକ ତାଙ୍କ ଓଠରେ ରହିଥିଲା । ପୋଲିସର କହିବା କଥା, ଯୁବକଜଣଙ୍କ ଶସ୍ତା ଚାର୍ଜର ବ୍ୟବହାର କରୁଥିବାରୁ ସଟ୍ ସର୍କିଟ ପାଇଁ ତାଙ୍କର ମୃତ୍ୟୁ ହୋଇଥାଇପାରେ । ପୋଷ୍ଟମର୍ଟମ ପାଇଁ ଯୁବକଙ୍କ ମୃତଦେହକୁ ପଠାଯାଇଥିବା ବେଳେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଯୁବକଙ୍କ କାନରେ ପୋଡାଦାଗ ରହିଥିବା ବେଳେ ଶସ୍ତା ଚାର୍ଜର ବ୍ୟବହାର ନକରିବା ପାଇଁ ଚେତାବନୀ ଜାରି କରିଛି ପୋଲିସ । ତେବେ ଆଗରୁ ମଧ୍ୟ ଏପରି ଘଟଣା ସାମ୍ନାକୁ ଆସିଥିବା ବେଳେ, ଏନେଇ ସଚେତନତାର ଆବଶ୍ୟକତା ରହିଛି ।