ଚନ୍ଦ୍ରବାବୁ ନାଇଡୁଙ୍କ ଗଡରେ ନରେନ୍ଦ୍ର ମୋଦିଙ୍କ ହୁଙ୍କାର: କହିଲେ, ପଛରୁ ଛୁରି ମାରିବାରେ ଓ ନିର୍ବାଚନ ହାରିବାରେ ନମ୍ବର ୱାନ୍ ନାଇଡୁ

ଆନ୍ଧ୍ରପ୍ରଦେଶ ଗସ୍ତ ପୂର୍ବର ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରି ପୋଷ୍ଟର ମାରିଥିଲେ ଟିଡିପି କର୍ମୀ

223

କନକ ବ୍ୟୁରୋ: ମୋଦିଙ୍କ ମିଶନ ଦକ୍ଷିଣ ଭାରତ । ଆଜି ଆନ୍ଧ୍ରପ୍ରଦେଶ ଗୁଂଟୁରରେ ମୋଦି ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଚନ୍ଦ୍ରବାକୁ ନାଇଡୁଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ତେଲୁଗୁ ଦେଶମ ପାର୍ଟି ଭୟଭୀତ ହୋଇପଡିଛି । ସେମାନଙ୍କୁ ନିଦ ନାହିଁ । ଦେଶର ଚୌକିଦାର ସେମାନଙ୍କ ପାଇଁ ସମସ୍ୟା, କାରଣ କେନ୍ଦ୍ର ସରକାର ସେମାନଙ୍କ ହିସାବ ମାଗୁଛି ।

ଆନ୍ଧ୍ରର ବିକାଶ ପାଇଁ ଯେଉଁ ଅର୍ଥ ଦିଆଯାଇଛି ତାର ହିସାବ ମାଗିବାରୁ ସ୍ଥାନୀୟ ସରକାର ଭୟଭୀତ ହୋଇଯାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି, ନିର୍ବାଚନ ହାରିବାରେ ଓ ପଛରୁ ଛୁରୀ ମାରିବାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ସିଦ୍ଧହସ୍ତ । ତେଲୁଗୁଦେଶମ ସହ ମେଂଟ ଭାଙ୍ଗିବା ପରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଆନ୍ଧ୍ର ଗସ୍ତରେ ଯାଇଁ ଚନ୍ଦ୍ରବାବୁ ନାଇଡୁଙ୍କୁ ସମାଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ନିଜ ପୁଅର ଭବିଷ୍ୟତ ସୁରକ୍ଷା କରିବା ହେଉଛି ଚନ୍ଦ୍ରବାବୁ ନାଇଡୁଙ୍କର ଏକ ମାତ୍ର ଆଗ୍ରହ। ସେ କହୁଛନ୍ତି ସେ ମୋ ଠାରୁ ବରିଷ୍ଠ। ରାଜନୈତିକ ଅଂଶୀଦାର ବଦଳାଇବାରେ ଆପଣ ବରିଷ୍ଠ। ଗୋଟିଏ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେବାରେ ଆପଣ ବରିଷ୍ଠ। ଶ୍ୱଶୁରଙ୍କ ପିଠିରେ ଛୁରାମାରିବାରେ ଆପଣ ବରିଷ୍ଠ। ନିର୍ବାଚନ ପରେ ନିର୍ବାଚନ ହାରିବାରେ ଆପଣ ବରିଷ୍ଠ। ମୋଦି କହିଛନ୍ତି, ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଚନ୍ଦ୍ରବାବୁ ନାଇଡୁ ପ୍ରତିଶ୍ରୁତି ଦେଇଥିଲେ କି ଆନ୍ଧ୍ରର ସୂର‌୍ୟ୍ୟ ଉଇଁବ। କିନ୍ତୁ ଆପଣ ନିଜ ପୁଅକୁ ଉଆଁଇବାରେ ବ୍ୟସ୍ତ।

ଆନ୍ଧ୍ରପ୍ରଦେଶରେ ଗରିବମାନଙ୍କ ପାଇଁ ଯୋଜନା କରିବାକୁ ନାଇଡୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ, ବାସ୍ତବରେ ସେ ମୋଦି ସରକାରଙ୍କ ଯୋଜନାଗୁଡ଼ିକୁ ପ୍ରଣୟନ କରି ନିଜର ବୋଲି ଦାବି କରୁଛନ୍ତି। ତେବେ ଗତବର୍ଷ ଯାଏଁ ନାଇଡୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାରଙ୍କର ମେଣ୍ଟରେ ଗୁରୁତ୍ୱବହନ କରିଆସୁଥିଲେ। ଗତବର୍ଷ ଚନ୍ଦ୍ରବାବୁ ନାଇଡୁ ଏନଡିଏ ଓ ବିଜେପି ଠାରୁ ବିଚ୍ଛିନ୍ନ ହୋଇଯିବା ପରେ ଏହା ହେଉଛି ମୋଦିଙ୍କର ପ୍ରଥମ ଆନ୍ଧ୍ର ପ୍ରଦେଶ ଗସ୍ତ।