ତଥ୍ୟ ନଥିଲା, ହେଲେ ଟାର୍ଗେଟ କରି ଫସିଗଲେ କେନ୍ଦ୍ରମନ୍ତ୍ରୀ ! ରାଜ୍ୟ ସରକାରଙ୍କୁ ସମାଲୋଚନା କରି କିଭଳି ହେଲେ ହଟ୍ଟହଟ୍ଟ।. ପଢନ୍ତୁ ରିପୋର୍ଟ

26

କନକ ବ୍ୟୁରୋ : ମହଙ୍ଗା ପଡିଲା ରାଜ୍ୟ ସରକାରଙ୍କୁ ସମାଲୋଚନା । ତଥ୍ୟ ନଥାଇ ନବୀନ ସରକାରଙ୍କୁ ସମାଲୋଚନା କରି ଫସିଗଲେ କେନ୍ଦ୍ର ମନ୍ତ୍ରୀ । ସରକାରୀ କାର୍ଯ୍ୟକ୍ରମରେ ଆସି କେନ୍ଦ୍ରମନ୍ତ୍ରୀ ଯେତେବେଳେ ବିଜେପି ପାର୍ଟି ଅଫିସରେ ସାମ୍ବାଦିକ ସମ୍ମିଳନୀ କରୁଥିଲେ ତାଙ୍କୁ ଘେରିଯାଇଥିଲେ ସାମ୍ବାଦିକମାନେ । କାରଣ, ମନ୍ତ୍ରୀ କହିଲେ ରାଜ୍ୟ ସରକାର ଜମି ଯୋଗାଇ ଦେଉନଥିବାରୁ ଆଗେଇ ପାରୁନି ବିଭିନ୍ନ ରେଳ ପ୍ରକଳ୍ପ । ହେଲେ କେଉଁ ପ୍ରକଳ୍ପ ଆଗେଇ ପାରୁନି ସେନେଇ ତଥ୍ୟ ଦେଇପାରିନଥିଲେ କେନ୍ଦ୍ରମନ୍ତ୍ରୀ । ଆଉ ଶେଷରେ କ୍ଷମା ମାଗିବାକୁ ପଡିଥିଲା ।

bjpପୂର୍ବ ପ୍ରସ୍ତୁତି ବିନା ସାମ୍ବାଦିକ ସମ୍ମିଳନୀ କଲେ କିଭଳି ହଟ୍ଟହଟା ହେବାକୁ ପଡେ ଆଜି ତାର ଚିତ୍ର ଦେଖିବାକୁ ମିଳିଛି ରାଜ୍ୟ ବିଜେପି କାର୍ଯ୍ୟାଳୟରେ । ଭୁବନେଶ୍ୱର ରେଳ ଷ୍ଟେସନରେ ବିଭିନ୍ନ ନୂତନ ଭିତିଭୂମିର ଲୋକାର୍ପଣ କରିବାକୁ ଆସିଥିବା କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରାଜନ ଗୋହେନ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅଚାନକ ପହଂଚିଯାଇଥିଲେ । ଆଉ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବିଷୋଦଗାର ଆରମ୍ଭ କରିଦେଲେ ।

କେନ୍ଦ୍ରମନ୍ତ୍ରୀ କହିବା ଅନୁଯାୟୀ, ଜମି ଅଧିଗ୍ରହଣ ସମସ୍ୟାରୁ ଓଡିଶାରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଅଟକି ରହିଛି । ସ୍ୱାଭାବିକ ଭାବେ କେଉଁ କେଉଁ ପ୍ରକଳ୍ପ କାମ ବାଧାପ୍ରାପ୍ତ ହୋଇଛି ବୋଲି ସାମ୍ବାଦିକମାନେ ପଚାରିବାରୁ ହଡବଡେଇ ଯାଇଥିଲେ କେନ୍ଦ୍ରମନ୍ତ୍ରୀ । ଏପରିକି ଦୋଷ ଘୋଡାଇବା ପାଇଁ ତାଙ୍କୁ ଯାହା କୁହାଯାଇଥିଲା କେବଳ ସେହି ତଥ୍ୟ ଦେଇଥିବା ସେ କହିଛନ୍ତି ।

ଏକ ସରକାରୀ କାର୍ଯ୍ୟକ୍ରମରେ ଆସି କେନ୍ଦ୍ରମନ୍ତ୍ରୀ ହଠାତ ଦଳୀୟ କାର୍ଯ୍ୟଳୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପଛରେ କି ଉଦ୍ଦେଶ୍ୟ ରହିଛି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ କହିଥିଲେ ସେ କୌଣସି ସରକାରଙ୍କୁ ଟାର୍ଗେଟ କରିବା ପାଇଁ ସମ୍ବାଦିକ ସମ୍ମିଳନୀ କରିନାହାନ୍ତି । ବରଂ କେତୋଟି ସ୍ଥାନରେ ଜମି ଅଧିଗ୍ରହଣ ହୋଇ ପାରି ନଥିବାରୁ ରେଳ ପ୍ରକଳ୍ପ ଆଗକୁ ଯାଇ ପାରୁନାହିଁ । ସାଙ୍ଗରେ ଜିଏମଙ୍କୁ ଆଣି ଆସିଥିଲେ ସବୁ ପ୍ରଶ୍ନର ଉତର ଦେଇପାରିଥାନ୍ତେ ବୋଲି ମନ୍ତ୍ରୀ କହିଥିଲେ । ଏପରିକି ପାଖରେ ବସିଥିବା ନିଜ ସହଯୋଗୀଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ । ତେବେ ଏନେଇ ବିଜେଡି କହିଛି ବିନା ତଥ୍ୟରେ ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି । ରାଜ୍ୟ ସରକାରଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ଅଯୁକ୍ତିକର ।

ଭୁବନେଶ୍ୱର ରେଳ ଷ୍ଟେସନରେ ନୂତନ ଭିତିଭୂମିର ଲୋକାର୍ପଣ କରିବାକୁ ଆସିଥିଲେ କେନ୍ଦ୍ରମନ୍ତ୍ରୀ । ଏକ ସରକାରୀ କାର୍ଯ୍ୟକ୍ରମରେ ଆସି ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ସମାଲୋଚନା ତାଙ୍କୁ ମହଙ୍ଗା ପଡିଛି । ପ୍ରବଳ ହଟ୍ଟହଟା ହେବା ପରେ ରାଜ୍ୟ ୟୁନିଟର ନେତାମାନଙ୍କ ଉପରେ ବି ଖୁବ ବିରକ୍ତ ହୋଇଛନ୍ତି ।