୮ମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ ପରେ ଚେତିରେ ସରକାର ! ୧୦୦୦ ଆବାସିକ ବିଦ୍ୟାଳୟରେ ଖୁବ ଶୀଘ୍ର ଲାଗିବ ସିସିଟିଭି

96

କନକ ବ୍ୟୁରୋ : କନ୍ଧମାଳର ୮ମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ ଘଟଣା ଚହଳ ସୃଷ୍ଟି କରିବା ପରେ ରାଜ୍ୟ ସରକାର ଚେତିଛନ୍ତି ।  ଆଗାମୀ ଦିନରେ ଏଭଳି ଅଘଟଣର ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟର ପ୍ରାୟ ୧ ହଜାର ଆବାସିକ ବିଦ୍ୟାଳୟରେ ସିସିଟିଭି ଲଗାଯିବ ବୋଲି ଅନୁସୂଚିତ ଜନଜାତି, ଜାତି, ପଛୁଆ ବର୍ଗ ଉନ୍ନୟନ ମନ୍ତ୍ରୀ ରମେଶ ମାଝୀ ସୂଚନା ଦେଇଛନ୍ତିି ।

କନ୍ଧମାଳର ନାବାଳିକା ଛାତ୍ରୀ ଆବାସିକ ବିଦ୍ୟାଳୟ ‌ହଷ୍ଟେଲ୍‌ରେ ସନ୍ତାନ ପ୍ରସବ ନେଇ ଆଜି ବିଭାଗୀୟ ମନ୍ତ୍ରୀ ସମୀକ୍ଷା କରିଥିଲେ । ସମୀକ୍ଷା ପରେ ସେ କହିଲେ ଯେ ଏଭଳି ଘଟଣାକୁ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି । ଏହି ଘଟଣାରେ ସଂପୃକ୍ତ ୬ଜଣଙ୍କୁ ବହିଷ୍କାର କରାଯାଇଥିବା ବେଳେ ଅନ୍ୟ ୪ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗକୁ ରାଜ୍ୟ ସରକାର ସବୁଠାରୁ ଅଧିକ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ପ୍ରତ୍ୟେକ ଆବାସିକ ବିଦ୍ୟାଳୟରେ ସିସିଟିଭି ଲଗାଯିବ ।

ଏ କ୍ଷେତ୍ରରେ ଛାତ୍ରୀଙ୍କ ଆବାସିକ ବିଦ୍ୟାଳୟକୁ ଅଗ୍ରାଧିକାର ଦିଆଯିବ। ଏହି ବିଦ୍ୟାଳୟର ଶିକ୍ଷକ, ପିତାମାତା, ଅଭିଭାବକମାନଙ୍କୁ ନେଇ ବୈଠକ ଡକାଯିବ । ସେମାନଙ୍କର ଅଭିଯୋଗ ଓ ପରାମର୍ଶ ଆଧାରରେ ଅନ୍ୟ ସମସ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ରମେଶ ମାଝୀ  କହିଥିଲେ । ଗତ ରବିବାର ଦିନ କନ୍ଧମାଳ ଘଟଣା ପଦାକୁ ଆସିବା ପରେ ଏ ନେଇ ତୁରନ୍ତ ତଦନ୍ତ କରିବାକୁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ । ଏହି ଘଟଣାରେ ୨ଜଣ ମାଟ୍ରନ, ଜଣେ ଏଏନ୍‌ଏମ୍‌, ୨ଜଣ ସିସିଏ, ଜଣେ ୱାର୍ଡେନଙ୍କୁ ବହିଷ୍କାର କରାଯାଇଛି ।

ଏହା ସହିତ ୩ଜଣ ମହିଳା ସହକାରୀ ଅଧୀକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ଜିଲ୍ଲାପାଳ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରାଧାରାଣୀ ଦଳାଇଙ୍କୁ ନିଲମ୍ବିତ କରିଛନ୍ତି । ଜିଲ୍ଲାର ଏସ୍‌ପି ପ୍ରତୀକ ସିଂହଙ୍କ କହିବାନୁଯାୟୀ ସଂପୃକ୍ତା ଛାତ୍ରୀଙ୍କୁ ୮ ମାସ ତଳେ ତାଙ୍କର ଗ୍ରାମରେ ଶ୍ରାବଣ କୁମାର ପ୍ରଧାନ(୨୩) ଦୁର୍ଷ୍କମ କରିଥିଲେ । ‌ଲୋକଲଜ୍ଜା ଓ ଭୟରେ ସଂପୃକ୍ତା ନାବାଳିକା ଏହି ଘଟଣା ଲୁଚାଇ ରଖିଥିଲେ । ‌ତେବେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି ।