ସିବିଆଇ ଜାଲରେ ଏନଡିଟିଭି ସହ ପ୍ରତିଷ୍ଠାତା ପ୍ରଣୟ ରୟ ! ଠକାମୀ ଅଭିଯୋଗରେ ଦିଲ୍ଲୀସ୍ଥିତ ବାସଭବନରେ ଚଢାଉ

20

ସିବିଆଇ ଜାଲରେ ଏନଡିଟିଭିର ସହ ପ୍ରତିଷ୍ଠାତା ତଥା କାର୍ଯ୍ୟନିର୍ବାହୀ ସହ-ଅଧ୍ୟକ୍ଷ ପ୍ରଣୟ ରୟ । ଆଇସିଆଇସିଆଇ ବ୍ୟାଙ୍କରୁ ୪୮ କୋଟି ଟଙ୍କା ଋଣ ନେଇ ପରିଶୋଧ କରି ନଥିବା ଅଭିଯୋଗରେ ପ୍ରଣୟ ରୟଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଚଢ଼ାଉ କରିଛି ସିବିଆଇ । ସେ ଆରଆରପିଆର୍ ନାମକ ଏକ ଘରୋଇ କଂପାନୀ ନାଁରେ ସେ ଋଣ ନେଇଥିବା ଅଭିଯୋଗ ହୋଇଛି ।

ତେବେ ଏକ ଘରୋଇ ବ୍ୟାଙ୍କକୁ କ୍ଷତି ପହଞ୍ଚାଇବା ଅଭିଯୋଗରେ ସିବିଆଇ ପ୍ରଣୟ ରୟ, ତାଙ୍କ ପତ୍ନୀ ରାଧିକା ରୟ ଓ ଏକ ଘରୋଇ କଂପାନୀ ନାଁରେ ମାମଲା ରୁଜୁ କରିଛି । ସେପଟେ ଏନଡିଟିଭି କହିଛି ଯେ ପୁରୁଣା ମିଛ ମାମଲାରେ ସଂସ୍ଥା ଓ ପ୍ରଣୟ ରୟଙ୍କୁ ଅସୁବିଧାରେ ପକାଇବା ପାଇଁ ଏପରି ଉଦ୍ୟମ କରାଯାଇଛି । ଏନଡିଟିଭିର ପ୍ରତିଷ୍ଠା ଏବଂ ସମ୍ମାନକୁ କ୍ଷତି ପହଂଚାଇବା ଉଦ୍ଦେଶ୍ୟରେ ଏହା କରାଯାଇଛି । ଗଣମାଧ୍ୟମର ସ୍ୱରକୁ ଚାପିବା ପାଇଁ ଏହା ଏକ ପ୍ରୟାସ ବୋଲି ସେ ଅଭିଯୋଗ କରିଛନ୍ତି ।

ତେବେ ପ୍ରଣୟ ଅଭିଯୋଗକୁ ଖଣ୍ଡନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭେଙ୍କେୟା ନାଇଡୁ । ଭେଙ୍କେୟା କହିଛନ୍ତି ଆଇନ ତା କାର୍ଯ୍ୟ କରୁଛି । ବିଜେପି ସରକାର କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରେ ନାହିଁ ।