ବିଜେପୁରରେ କାହାର ଦମ୍ କେତେ? ରୀତା ସାହୁ ନବୀନଙ୍କ ଟ୍ରମ୍ପ କାର୍ଡ, ଅଶୋକ ବିଜେପିର । କଂଗ୍ରେସ କାହାକୁ ନେଇ ଖେଳିବ ବାଜି?

35

ବିଜେପୁର ଉପ ନିର୍ବାଚନ ପାଇଁ କେବଳ ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସର ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡି ଟିକଟେ ଦେବ ବୋଲି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ରାଜନୀତିରେ ଅନଭିଜ୍ଞ ଥିବା ରୀତା ସାହୁଙ୍କ ସପକ୍ଷରେ ଅନୁକମ୍ପା ଯିବାର ଧାରଣା ହିଁ ତାଙ୍କୁ ଆଜି ଶକ୍ତିଶାଳୀ କରିଛି । ଠିକ ଯେମିତି ୧୯୯୧ରେ ହୋଇଥିଲା । ୧୯୯୧ରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ତତ୍କାଳୀନ ବିଧାୟକ ନିକୁଞ୍ଜ ସିଂହଙ୍କ ଆକସ୍ମିକ ବିୟୋଗରେ ବିଜେପୁର ଆସନ ପାଇଁ ଉପ-ନିର୍ବାଚନ ହୋଇଥିଲା। ନିର୍ବାଚନରେ ସ୍ୱର୍ଗତ ବିଧାୟକଙ୍କ ବିଧବା ପତ୍ନୀ କିଶୋରୀ ମଣି ସିଂହ ନିର୍ବାଚିତ ହୋଇଥିଲେ, ଯାହା ସେ ନିର୍ବାଚନରେ ‘ଅନୁକମ୍ପା’ର ଏକ ନିର୍ଣ୍ଣାୟକ ଭୂମିକା ଥିବାର ପ୍ରମାଣ ଦିଏ। ଜନତା ଦଳ ପ୍ରାର୍ଥୀ କିଶୋରୀ ମଣି ସିଂହ, ଜନତା ଦଳ ପ୍ରାର୍ଥୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ମୋହନ ନାଗଙ୍କୁ ପ୍ରାୟ ୨୦ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ରାଜନୀତିର ଧାର ଧରିନଥିବା ରୀତା ସାହୁଙ୍କୁ ନବୀନ ଆଗକୁ ଆଣି ବିଜେପୁରରେ ବିଜେଡିର ପଲ୍ଲାକୁ ମଜଭୁତ କରିଛନ୍ତି ।


ସେହିଭଳି ଅଶୋକ ପାଣିଗ୍ରାହୀ ବିଜେପି ପାଇଁ ମଧ୍ୟ ଗୁରୁତ୍ୱପୁର୍ଣ୍ଣ । ୨୦୦୦ ମସିହାରେ ବିଧାୟକ ଥିଲେ, ୨୦୧୪ରେ ସ୍ୱାଧୀନ ଭାବେ ୧୮ ହଜାର ଭୋଟ ପାଇଥିଲେ । ନିର୍ବାଚନ ମଣ୍ଡଳୀରେ ତାଙ୍କର ଏକ ସଂଗଠନ ମଧ୍ୟ ରହିଛି । ତେଣୁ ରୀତାଙ୍କ ସପକ୍ଷରେ ଦମ୍ ଦେଖାଇବାକୁ ଅଶୋକଙ୍କୁ ସାମ୍ନାକୁ ଆଣିପାରେ ବିଜେପି । ଅପରପକ୍ଷରେ କଂଗ୍ରେସ ହେବ ଡାର୍କ ହର୍ସ । କିଏ କଂଗ୍ରେସର ପ୍ରାର୍ଥୀ ହେବ, ତା ଉପରେ ନିର୍ଭର କରିବ ଅନ୍ୟ ରାଜନୈତିକ ଦଳଙ୍କର ଭାଗ୍ୟ । ପୂର୍ବତନ ବିଧାୟକ ରିପୁନାଥ ସେଠ ଆଉ ପ୍ରଣୟ ସାହୁଙ୍କ ମଧ୍ୟରେ ଚାଲିଛି ଛକାପଂଝା । ଏହାରି ଭିତରେ ପ୍ରାର୍ଥୀ ବାଛିବାକୁ ଝାରସୁଗୁଡା ବିଧାୟକଙ୍କ ନେତୃତ୍ୱରେ ଗଠନ କରାଯାଇଥିବା କମିଟି ବିଜେପୁର ନିର୍ବାଚନ ମଣ୍ଡଳୀ ବୁଲି ନେତା ଆଉ କର୍ମୀଙ୍କ ସହ ଆଲୋଚନା କରିଛନ୍ତି । ଯଦି ପ୍ରଣୟ ସାହୁ ପ୍ରାର୍ଥୀ ହୁଅନ୍ତି ତେବେ ଉଭୟ ବିଜେପି ଆଉ ବିଜେଡି ପାଇଁ ଆହ୍ୱାନ ତିଆରି କରିପାରନ୍ତି । କାରଣ ଏଠି ଜାତିଗତ ସମୀକରଣ ଏକ ପ୍ରମୁଖ ମୁଦ୍ଦା ପାଲଟିଯିବ । ଆଉ ଅଭିଜ୍ଞ ରିପୁନାଥ ସେଠ ଯଦି ପ୍ରାର୍ଥୀ ହୁଅନ୍ତି, ତେବେ ବିଜେପି ପାଇଁ ଏକ ଆହ୍ୱାନ ତିଆରି ହେବାର ଅନୁମାନ କରିଛନ୍ତି ରାଜନୈତିକ ସମୀକ୍ଷକ ।