ବିଜେପୁର ନେଇ ପୁଣି ବିଜେଡି ବନାମ ବିଜେପି ! କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ କଟାକ୍ଷ, ଜିଣା ନୁହଁ, କିଣା ବିଜୟ

32

କନକ ବ୍ୟୁରୋ: ବିଜେପୁର ନେଇ ପୁଣି ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ବିଜେଡି । ଉପନିର୍ବାଚନ ପରାଜୟ ନେଇ ଜୁଏଲ କହିଛନ୍ତି, ଦଳ ହାରିଛି, ମରି ନାହିଁ । ଓଡିଶା ଜନତାଙ୍କ ହକ୍ ପାଇଁ ଲଢେଇ କରିବାକୁ ଦଳ ପାଖରେ ଏବେ ବି ଶକ୍ତି ଅଛି । ବିଜେପୁରରେ ବିଜେଡି ଜିଣି ନାହିଁ ବରଂ ଭୋଟ୍ କିଣିଛି । ଭୋଟ କିଣି ଶାସକ ଦଳ ବିଜୟୀ ହୋଇଛି । ଏହାଛଡା ବିଜେଡି-କଂଗ୍ରେସର ଫିକ୍ସିଂ ଫଳାଫଳକୁ ପ୍ରଭାବିତ କରିଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେପଟେ ଜୁଏଲ ଓରାମଙ୍କୁ ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ସୁବାସ ସିଂ । କହିଛନ୍ତି କେନ୍ଦ୍ରମନ୍ତ୍ରୀ ବାସ୍ତବତାକୁ ଆସନ୍ତୁ । ବିଜେପୁରରେ ଭୋଟ କିଣାବିକା କଥା ଉଠାଇ ଜନତାଙ୍କୁ ନିନ୍ଦା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ।

ଅନ୍ୟପଟେ, ବିଜେପିର ବିଜୟୋତ୍ସବକୁ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ କଡା ପ୍ରତିକ୍ରିୟା । ସେ କହିଛନ୍ତି ଯୋ ଜିତା ୱହି ସିକନ୍ଦର । ନିର୍ବାଚନ ଜିଣି ଉତଫୁଲ୍ଲିତ ହେବା ବଡ କଥା ନୁହେଁ । ପୂର୍ବ ଲୋକମତକୁ ଭୁଲି ଯାଉଛି ବିଜେପି । ମଧ୍ୟପ୍ରଦେଶ, ରାଜସ୍ଥାନ ଉପନିର୍ବାଚନ ପରେ ବିଜେପୁର ହାରିଛି । ତେଣୁ ବିଜେପିର ଦମ୍ଭୋକ୍ତି ହାସ୍ୟାସ୍ପଦ ବୋଲି କହିଛନ୍ତି ନରସିଂହ ମିଶ୍ର । ବିଜେପିର ସୂର୍ଯ୍ୟ ଉଦୟ ନୁହେଁ ସୂର୍ଯ୍ୟାସ୍ତ ହେଉଥିବା ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆଜି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ନାଗାଲାଣ୍ଡ ଓ ତ୍ରିପୁରାର ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥିସହ ଆଗାମୀ ୨୦୧୯ ନିର୍ବାଚନରେ ଓଡିଶାର ଜନତା ତାଙ୍କ ଦଳକୁ ଧନ୍ୟବାଦ ଦେବାର ଅବସର ଆଣିଦେବେ ବୋଲି ଆଶା ପୋଷଣ କରିଛନ୍ତି । ଏଥିସହ ଶାହାଙ୍କ ପଶ୍ଚିମବଙ୍ଗ, ଓଡିଶା ଓ କେରଳ ଦଖଲ ବୟାନକୁ ଦୋହରାଇ ଦଳୀୟ ନେତା ଓ କର୍ମୀ ଆଗାମୀ ଦିନରେ ଏହି ଲକ୍ଷ୍ୟ ପୁରଣ ପାଇଁ କାମ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।