ଆଜି ବିଜେପୁର ଉପନିର୍ବାଚନ । ୨୮୫ଟି ବୁଥରେ ଭୋଟ ଦେବେ ୨ ଲକ୍ଷ ୩୨ ହଜାର ଭୋଟର, ମତସାବ୍ୟସ୍ତ କରି ନେତା ବାଛିବେ ଜନତା

206

କନକ ବ୍ୟୁରୋ : ଆଜି ନେତା ବାଛିବେ ବିଜେପୁର ନିର୍ବାଚନ ମଣ୍ଡଳିର ଜନତା । ମତଦାନ ପାଇଁ ପ୍ରସ୍ତୁତ ବିଜେପୁର । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ବିଜେଡିର ରୀତା ସାହୁ, ବିଜେପିର ସତନ ଗଡ଼ତିଆ ନା’ କଂଗ୍ରେସର ଦିଲ୍ଲୀପ ପଣ୍ଡା କାହାକୁ ଭରସା କରିବେ ଲୋକେ । ଏହି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଏହାକୁ କବଜା କରିବା ପାଇଁ ଲାଗିପଡିଛନ୍ତି ବିଜେପି ଓ କଂଗ୍ରେସ । ଆଜି ୨ଲକ୍ଷରୁ ଅଧିକ ଭୋଟର ନିର୍ଦ୍ଧାରଣ କରିବେ ପ୍ରାର୍ଥୀଙ୍କ ଭାଗ୍ୟ । ବିଜେପୁର ଉପନିର୍ବାଚନ ମଣ୍ଡଳିରେ ମୋଟ ୨୮୫ଟି ବୁଥରେ ମତଦାନ ଗ୍ରହଣ କରାଯାଉଛି । ଏଥିରୁ ୬ଟି ବୁଥ ଅତି ସମ୍ବେଦନଶୀଳ ଓ ୧୨୯ଟି ସମ୍ବେଦନଶୀଳ ବୁଥ ରହିଛି । ଉପନିର୍ବାଚନରେ ମୋଟ ୨ ଲକ୍ଷ ୩୨ ହଜାର ୫୫ ଜଣ ଭୋଟର ସେମାନଙ୍କ ମତ ଅଧିକାର ସାବ୍ୟସ୍ତ କରୁଛନ୍ତି । ସେମାନଙ୍କ ମଧ୍ୟରେ ୧ଲକ୍ଷ ୧୯ ହଜାର ୯୩୯ ଜଣ ପୁରୁଷ ଓ ୧ ଲକ୍ଷ ୧୨ ହଜାର ୧୦୧ ମହିଳା ଏବଂ ୧୫ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି ।

ଚିହ୍ନଟ ହୋଇଥିବା ୨ହଜାର ୭୫୦ ଜଣ ଦିବ୍ୟାଙ୍ଗ ଭୋଟର ପାଇଁ ୨୮୫ଟି ହ୍ୱିଲ ଚେୟାର ରହିବ । ପ୍ରତି ଦିବ୍ୟାଙ୍ଗଙ୍କୁ ୨ ଜଣ ଲେଖାଏଁ ସ୍ୱେଚ୍ଛାସେବୀ ମତଦାନ ବେଳେ ସହଯୋଗ କରିବେ ବୋଲି କହିଛନ୍ତି ଜିଲ୍ଲାପାଳ । ସେହିପରି ଘରୁ ଦିବ୍ୟାଙ୍ଗମାନଙ୍କୁ ମତଦାନ କେନ୍ଦ୍ର ଯାଏଁ ଆଣିବା ପାଇଁ ମୋଟ ୨୩୨୧ଟି ଗାଡିର ବ୍ୟବସ୍ଥା କରାଯାଇଛି । ସେମାନଙ୍କ ପାଇଁ ୧୪୮ଟି ଡମି ବ୍ରେଲି ବାଲାଟ ପେପର ରହିବ । ୨୮ଟି ବୁଥରେ ବେବକାଷ୍ଟିଂ, ୧୪ଟି ବୁଥରେ ସିସିଟିଭି, ୧୬ଟି ବୁଥରେ ମତାଦାନର ଭିଡିଓଗ୍ରାଫି କରାଯିବ । ପ୍ରତି ବୁଥରେ ଜଣେ ଲେଖାଏଁ ପ୍ରିଜାଇଡିଂ ଅଫିସର, ୪ ଜଣ ପୁଲିଂ ଅଧିକାରୀ ଏବଂ ଜଣେ ଲେଖାଏଁ ସୁରକ୍ଷାକର୍ମୀ ରହିଛନ୍ତି ।