ଦୁଲୁକୁଛି ବିଜେପୁର ପ୍ରଚାର ମଇଦାନ । ଆଜି ସରିବ ପ୍ରଚାର , ଲୋକଙ୍କୁ ମନାଇବାକୁ ନେତାଙ୍କ ଶେଷ ଉଦ୍ୟମ

136

କନକ ବ୍ୟୁରୋ : ଦୁଲୁକୁଛି ବିଜେପୁର ନିର୍ବାଚନୀ ମଇଦାନ । ଆଜି ସଂଧ୍ୟାରେ ଶେଷ ହେବ ଉପନିର୍ବାଚନ ପାଇଁ ପ୍ରଚାର । ତେଣୁ ପ୍ରଚାରର ଅନ୍ତିମ ପର୍ଯ୍ୟାୟକୁ ପ୍ରଭାବଶାଳୀ କରିବାକୁ ଚାଲିଛି ପ୍ରାଣମୂର୍ଛା ଉଦ୍ୟମ । ବିଜେଡିର ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନିଆ ପ୍ରଚାର ସାରି ଭୁବନେଶ୍ୱର ଫେରି ଆସିଛନ୍ତି । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ନେତାମାନେ ବିଜେପୁରରେ ଭୋଟରକୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା କରିଛନ୍ତି । କଂଗ୍ରେସ ଦଳ ବି ଭିନ୍ନ ଢଙ୍ଗରେ ନିଜ ପ୍ରାର୍ଥୀ ପାଇଁ ପ୍ରଚାର କରିଛି । ଦଳ ରୋଡ ସୋ କରି ନାହିଁ, ବରଂ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବରିଷ୍ଠ ବିଧାୟକ ନରସିଂହ ମିଶ୍ର ସମେତ ବହୁ ତୁଙ୍ଗ ନେତା ତୁହାକୁ ତୁହା ନିର୍ବାଚନୀ ସଭାମାନ କରିଛନ୍ତି । ବିଜେଡି ବିଧାୟକ ଓ ନେତାମାନେ ବିଜେପୁରର ତିନି ବ୍ଲକର ୬୫ ପଂଚାୟତ ଓ ୨ଟି ଏନଏସିରେ ଗଡ ଜଗିଛନ୍ତି ଏବଂ ପ୍ରତିଦିନ ନିଜ ନିଜ ଅଂଚଳର ସ୍ଥିତି ନେଇ ନେତା ଉପର ସ୍ତରକୁ ଜଣାଉଛନ୍ତି ।

ଏହାର ସମୀକ୍ଷା କରି ରଣନୀତି ପ୍ରସ୍ତୁତ ହେଉଥିବା କୁହାଯାଉଛି । ସେପଟେ ସରକାରଙ୍କ ବିଭିନ୍ନ ଯୋଜନା ଓ ପ୍ରକଳ୍ପର ତ୍ରୁଟି ବିଚ୍ୟୁତିକୁ ଖୋଜି ଶାସକ ବିଜେଡିକୁ ଘେରିବାକୁ ଉଦ୍ୟମ କରୁଛି ବିଜେପି । ଅନ୍ୟପଟେ କଂଗ୍ରେସ, ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରିବା ସହ ବିକାଶ ମନ୍ଥର ହୋଇଯାଇଥିବା ଅଭିଯୋଗ କରୁଛି । ତିନି ଦଳ ନିଜ ନିଜ ଏଜେଣ୍ଡା ନେଇ ପ୍ରଚାର କରୁଥିବା ବେଳେ ଆସନ୍ତା ୨୧ ତାରିଖରେ ଇଭିଏମରେ ଭୋଟର ନେତାଙ୍କ ଭାଗ୍ୟକୁ ବନ୍ଦ କରିଦେବେ । ଭୋଟ ଗ୍ରହଣ ପରେ ୨୪ ତାରିଖରେ ବିଜେପୁର ଉପ ନିର୍ବାଚନର ଗଣତି ହେବ ।