ହରିୟାଣାର ହିରୋ ସୁଲତାନ ! ଦାମ ୨୧ କୋଟି, ପିଉଛି ବିଭିନ୍ନ ବ୍ରାଣ୍ଡର ମଦ

126

କିଛିଦିନ ପୂର୍ବେ ବକ୍ସ ଅଫିସରେ ଧମାଲ ମଚାଇଥିଲା ଫିଲ୍ମ ସୁଲତାନ । ସେତେବେଳେ ଫିଲ୍ମଟିକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ଏବେ ପୁଣିଥରେ ସୁଲତାନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏବେ ଗଣମାଧ୍ୟମର ଶିରୋନାମାରେ ରହିଛି ସୁଲତାନ । ସୁଲତାନର ଦମ୍ଭ ଏବେ ବି ଦେଖିବାକୁ ମିଳୁଛି । ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ହୋଇ ମଧ୍ୟ ହେଉଛି । କଳା ମଚ ମଚ ଚେହେରା ସାଙ୍ଗକୁ ଉଚ୍ଚତା ବି କିଛି କମ ନୁହେଁ । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ । ଏ ସୁଲତାନ ହେଉଛି ଗୋଟିଏ ମଇଁଷି ।

bullହରିୟାଣାର ସୁଲତାନ । ଦେଶର ସବୁଠାରୁ ମୂଲ୍ୟବାନ ମଇଁଷି ମଧ୍ୟରୁ ଅନ୍ୟତମ । ମାତ୍ର ଆଠ ବର୍ଷର ସୁଲତାନର ଉଚ୍ଚତା ୬ ଫୁଟରୁ ମଧ୍ୟ ଅଧିକ । ୧୪ ଫୁଟ ଲମ୍ବ ସହିତ କଳା ମଚ ମଚ ଚିକ୍କଣ ବଳିଷ୍ଠ ଚେହେରା । ଓଜନ ୧ ଟନରୁ ବି ଅଧିକ । ଏହି ମଇଁଷିର ମୂଲ୍ୟ ଏବେ ୨୧ କୋଟି ଟପିଛି । ସୁଲତାନର ମାଲିକ ନରେଶ କୁମାରଙ୍କ କହିବା ଅନୁଯାୟୀ, ପ୍ରତିବର୍ଷ ସୁୂଲତାନର ସ୍ପର୍ମରୁ ସେ ପ୍ରାୟ ୧ କୋଟି ଟଙ୍କା ରୋଜଗାର କରିଥାନ୍ତି । ସୁଲତାନର ଗୋଟିଏ ଡୋଜ ସ୍ପର୍ମ ପାଇଁ ୩୦୦ ଟଙ୍କା ଦେବାକୁ ପଡିଥାଏ । ସୁଲତାନ ତାଙ୍କର ପୁଅ ଭଳି । ତେବେ ଏସବୁ ବାଦ୍ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ହୋଇଥିବା ସୁଲତାନର ସୌକ ବିଷୟରେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ । ସୁଲତାନର ନାଁ ଯେପରି କାମ ବି ସେହିପରି । ସୁଲତାନଙ୍କ ଭଳି ରାଜକୀୟ ସେବା ପାଉଛି ଏହି ମଇଁଷି ।

bull 1ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ପ୍ରତିଦିନ ସଂଧ୍ୟାରେ ସୁଲତାନ ବିଭିନ୍ନ ବ୍ରାଣ୍ଡର ମଦ ପିଇଥାଏ । ମାଲିକଙ୍କ କହିବା ଅନୁଯାୟୀ , ମଦ ପିଇବା ସୁଲତାନର ଏକ ନିତିଦିନିଆ ଅଭ୍ୟାସ । ତେବେ ମଙ୍ଗଳବାର ସୁଲତାନ ପାଇଁ ଡ୍ରାଇ ଡେ କାରଣ ଏହି ଦିନ ସୁଲତାନ ମଦ ପିଇ ନଥାଏ । ସୁଲତାନର ସ୍ୱାସ୍ଥ୍ୟ ପ୍ରତି ବେଶ ଯତ୍ନବାନ ମାଲିକ ନରେଶ କୁମାର । ସୁଲତାନ ସକାଳ ଜଳଖିଆରେ ଶୁଦ୍ଧ ଦେଶୀ ଘିଅ ସାଙ୍ଗକୁ କ୍ଷୀର ପିଇଥାଏ । ସୁଲତାନର ସେବା କରିବା ପାଇଁ ଲୋକ ରଖିଛନ୍ତି ମାଲିକ । ତା ଛଡା ଦିନକୁ ଦୁଇଥର ଗାଧୋଇ ଦେବା ସହ ସୁଲତାନକୁ ମାଲିକ ନରେଶ କୁମାର ପ୍ରତିଦିନ ସକାଳୁ ୫ କିଲୋମିଟର ପରିଭ୍ରମଣ କରାଇଥାନ୍ତି ।

ମାଲିକ ନରେଶ କୁମାର ରୋହତକରୁ ୨ ଲକ୍ଷ ୪୦ ହଜାର ଟଙ୍କା ଦେଇ ସୁଲତାନକୁ କିଣିଥିଲେ । ତେବେ କିଛିଦିନ ପୂର୍ବେ ଏକ ବିଦେଶୀ ବ୍ୟକ୍ତି ୨୧ କୋଟି ଟଙ୍କା ଦେଇ ସୁଲତାନକୁ କିଣିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ନରେଶ କୁମାର ଏଥିରେ ରାଜି ହୋଇନଥିଲେ । ତେବେ ସୁଲତାନ ମଦ ପିଉଥିବାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି । କିଛି ଲୋକ ସୁଲତାନର ମଦ ପିଇବାକୁ ନେଇ ଚିନ୍ତିତ ଥିବା ବେଳେ ଏହା ସୁଲତାନର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବ ବୋଲି କହିଛନ୍ତି । ତାଛଡା କିଛି ଲୋକ ଏହି ଭିଡିଓ ଦେଖିବା ପରେ ସୁଲତାନକୁ ହ୍ୟାଣ୍ଡସମ ବୋଲି କହିଛନ୍ତି ।