ଆଉ ରହିବନି ପାଣିର ଅଭାବ ! ଜଳସେଚନ ପାଇଁ ଭଣ୍ଡାର ଖୋଲିଲେ ରାଜ୍ୟ ସରକାର , ଜାଣନ୍ତୁ କେଉଁ କେଉଁ ନୂଆ ଜଳସେଚନ ପ୍ରକଳ୍ପର ଘୋଷଣା କଲେ ସରକାର

54

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପୂର୍ବରୁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିବା ରାଜ୍ୟ ସରକାର ଜଳସେଚନ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ଚାଷୀଙ୍କୁ ଖୁସି କରିବାକୁ ଯାଇ ବିଭିନ୍ନ ଜଳ ସେଚନ ଯୋଜନା ପାଇଁ ଭଣ୍ଟାର ଖୋଲି ଦେଇଛନ୍ତି ରାଜ୍ୟ ସରକାର । ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ମୋଟ ୮ଟି ତ୍ୱରିତ ଜଳ ସେଚନ ସୁବିଧା ଯୋଜନାରେ ମୋଟ୍ ୨୬ଶହ ୨୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଚଳିତବର୍ଷ କୃଷି ବଜେଟର ମୋଟ ପରିମାଣ ୧୬ ହଜାର ୭ଶହ ୬୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଆଉ ଏହା ଭିତରେ ଜଳ ସେଚନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ।

ବିଜେପୁର ଉପନିର୍ବାଚନ ପୂର୍ବରୁ ଗଙ୍ଗାଧର ମେହେର କେନାଲ ଉଠା ଜଳସେଚନ ପ୍ରକଳ୍ପ ଘୋଷଣା କରିଥିଲେ ରାଜ୍ୟ ସରକାର । ହେଲେ ଅନ୍ତରୀଣ ବଜେଟରେ ଏନେଇ ବ୍ୟୟ ବରାଦ କରିନଥିବାରୁ କେବଳ ନିର୍ବାଚନୀ ଘୋଷଣା କହି ଜୋରଦାର ସମାଲୋଚନା କରିଥିଲେ ବିରୋଧୀ । ଆଉ ବିଜେପୁର ବିଜୟ ପରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ନବୀନ ସରକାର । ୨୦୧୭-୧୮ ଆର୍ଥିକ ବର୍ଷ ଲାଗି ବିଧାନସଭାରେ ଉପସ୍ଥାପିତ ହୋଇଥିବା ପୂର୍ଣ୍ଣାଙ୍ଗ ବଜେଟରେ ଏହି ପ୍ରକଳ୍ପ ପାଇଁ ୧୨ଶହ ୪୭ କୋଟି ଟଙ୍କା ବ୍ୟୟବରାଦ କରି ବିରୋଧୀଙ୍କ ମୁହଁ ଚୁପ କରିଦେଇଛନ୍ତି ବିଜେଡି ସରକାର । କେବଳ ଏତିକି ନୁହେଁ
– ପଶ୍ଚିମ ଓଡିଶାରେ ଚାଲୁ ରହିଥିବା ପାର୍ବତୀଗିରି ବୃହତ ଉଠା ଜଳ ସେଚନ ପ୍ରକଳ୍ପ ପାଇଁ ୧୮ଶହ ୨ କୋଟି
– ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାରେ ୬୩୫ କୋଟି
– ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନାରେ, ୨ ହଜାର ଆଡି ବନ୍ଧ ନିର୍ମାଣ ପାଇଁ ୩୪୪ କୋଟି
– ଉଠା ଜଳସେଚନ ପ୍ରକଳ୍ପ ପାଇଁ ୧୨୦ କୋଟି ବ୍ୟୟବରାଦ
– ଗଭୀର ନଳକୂପ ଖନନ ନିମନ୍ତେ ୫୪୦ କୋଟି
– କେନାଲର ପୁନରୁଦ୍ଧାର ପାଇ: ୧୩୦ କୋଟି

ଗତ ୪ ବର୍ଷ ମଧ୍ୟରେ ରାଜ୍ୟରେ ୬ଲ କ୍ଷ ୫୦ ହଜାର ହେକ୍ଟର ଜମିରେ ଜଳ ସେଚନ ସୁବିଧା କରାଯାଇଛି ଏବଂ ଆହୁରି ୪ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ପାଇଁ ବିଭିନ୍ନ ପ୍ରକଳ୍ପ ନିର୍ମାଣାଧୀନ ଥିବା ବିଧାନସଭାରେ କହିଛନ୍ତି ।