ରାଜନୈତିକ ଚାନ୍ଦା ଉପରେ ଚେଙ୍କ ! ୨ହଜାରରୁ ଅଧିକ ହେଲେ ଚେକ୍ ବା ଡିଜିଟାଲ୍ ଟ୍ରାନଜାକସନ୍ ବାଧ୍ୟତାମୂଳକ

26

କନକ ବ୍ୟୁରୋ : ନିର୍ବାଚନୀ ଚାନ୍ଦା ଉପରେ ଲାଗିଛି କଟକଣା । ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନିର୍ବାଚନୀ ଚାନ୍ଦା ମୁଖ୍ୟତଃ କଳୁଷିତ କରିଆସିଛି । ଦୀର୍ଘ ୭୦ ବର୍ଷର ଏହି କାହାଣୀରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଚେଷ୍ଟା କରିଛନ୍ତି ମୋଦି ସରକାର । ଏଣିକି ଏକ ରାଜନୈତିକ ଦଳ କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ଠାରୁ ୨ ହଜାର ଟଙ୍କା ନଗଦରେ ନେଇପାରିବେ ।

ଭାରତୀୟ ନିର୍ବାଚନୀ ଇତିହାସରେ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି । ତେବେ ଅଧିକ ଟଙ୍କା ନିର୍ବାଚନୀ ଚାନ୍ଦା ନେବାକୁ ହେଲେ ଚେକ୍ କିମ୍ବା ଡିଜିଟାଲ୍ ପେମେଂଟ ଆକାରରେ ନେବାକୁ ବାଧ୍ୟ । ଏଥିସହ ଦଳଗୁଡିକ ଏଣିକି ବଣ୍ଡ୍ ଜରିଆରେ ବି ଦାନ ଗ୍ରହଣ କରିବାକୁ ଆଇନରେ ସଂଶୋଧନ ଅଣାଯିବ । ବଣ୍ଡ୍ ବା ଋଣ ଜରିଆରେ ଯେକେହି ବ୍ୟକ୍ତି ବା ସଂସ୍ଥା ରାଜନୈତିକ ଦଳକୁ ଚାନ୍ଦା ଦେଇପାରିବେ ।

ପୂର୍ବରୁ ନିର୍ବାଚନୀ ଚାନ୍ଦା ବାବଦରେ ୨୦ ହଜାର ଟଙ୍କା ତଳକୁ ଚାନ୍ଦା ଦେଇଥିବା ବ୍ୟକ୍ତିଙ୍କ ସଂପର୍କରେ ବିଶେଷ ତଥ୍ୟ ଦେବାକୁ ପଡୁନଥିଲା । ଏହି ଗଳାବାଟ କାରଣରୁ ଅଧିକାଂଶ ଦଳ ସେମାନଙ୍କର ଆୟ ଅଜ୍ଞାତ ସୂତ୍ରରୁ ଆସିଥିବା ଦର୍ଶାଉଥିଲେ । ପ୍ରାୟ ୮୦ ପ୍ରତିଶତ ଚାନ୍ଦା ଅଜ୍ଞାତ ସୂତ୍ରରୁ ଆସୁଥିଲା ।

କିନ୍ତୁ ଏକ ବଡ଼ ପ୍ରଶ୍ନ ହେଉଛି, ୨ ହଜାର ଟଙ୍କା ତଳକୁ ନିର୍ବାଚନୀ ଚାନ୍ଦାର ବିଶେଷ ହିସାବ ଦେବାକୁ ପଡୁନଥିବାରୁ ଏହାପୁଣି ଏକ ଗଳାବାଟ ସୃଷ୍ଟି କରିବ ନାହିଁତ?