ବ୍ରାହ୍ମଣୀ ବ୍ରିଜ ବିବାଦ ! ବିଜେପି କହିଲା, ଜଙ୍ଗଲ ଜମି ଅଧିଗ୍ରହଣ ମୁଖ୍ୟ ସମସ୍ୟା, ବିଜେଡିର ଜବାବ, କାମ ନକରି ବାହାନାବାଜି କରୁଛନ୍ତି କେନ୍ଦ୍ର ସରକାର

37

କନକ ବ୍ୟୁରୋ : ବ୍ରାହ୍ମଣୀ କଳି ବଢିବାରେ ଲାଗିଛି । କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ପୋଲ ପାଇଁ ଜଙ୍ଗଲ ଅନୁମତିର ଆବଶ୍ୟକତାକୁ ନେଇ ମତଭେଦ ସୃଷ୍ଟି ହେବା ପରେ ଏହି ରାଜନୈତିକ ବିବାଦ ତୀବ୍ର ହେବାରେ ଲାଗିଛି । ଆଜି ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛି, ବିନା ଜଙ୍ଗଲ ଅନୁମତିରେ ପୋଲ କାମ ଆରମ୍ଭ କରିହେବ ନାହିଁ । ସେପଟେ ବିଜେଡି କହିଛି କାମ ନକରି ବାହାନାବାଜି କରୁଛି ବିଜେପି ।

gadakariଛିଣ୍ଡୁନି ବ୍ରାହ୍ମଣୀ ଅଙ୍କ । ରାଜ୍ୟରୁ ଚିଠି ଯାଉଛିି, କେନ୍ଦ୍ରରୁ ଚିଠି ଆସୁଛି । କେନ୍ଦ୍ର ଅଧିକାରୀ ସ୍ପଷ୍ଟିକରଣ ରଖୁଛନ୍ତି, ରାଜ୍ୟ ଅଧିକାରୀ ଗ୍ରୀନ୍ ସିଗନାଲ ଦେଉଛନ୍ତି । ହେଲେ ବ୍ରାହ୍ମଣୀ ବ୍ରିଜ୍ ଉପରେ ଦ୍ୱିତୀୟ ପୋଲ ନିର୍ମାଣର ଅଙ୍କ ଛିଣ୍ଡି ପାରୁନି । ଯେତେବେଳେ ଶୀର୍ଷ ପଦରେ ଥିବା କେନ୍ଦ୍ରମନ୍ତ୍ରୀ ପୋଲ ନିର୍ମାଣ ପାଇଁ ଜଙ୍ଗଲ ଅନୁମତିର ଆବଶ୍ୟକତା ରହିଛି ବୋଲି କହୁଛନ୍ତି ଠିକ୍ ସେତିକିବେଳେ ରାଜ୍ୟ ମୁଖିଆ କହୁଛନ୍ତି-ଜଙ୍ଗଲ ଅନୁମତିର କୌଣସି ଆବଶ୍ୟକତା ନାହିଁ । ଆଉ ଏହାକୁ ନେଇ ବଢୁଛି ବିଜେଡି-ବିଜେପି କଳି ।

ଜଙ୍ଗଲ ଅନୁମତିର ଆବଶ୍ୟକତା ଅଛି ନା’ ନାହିଁ ?କାହାର ତଥ୍ୟ ଠିକ୍, କାହାର ତଥ୍ୟ ଭୁଲ ? ଏହି ସବୁ ପ୍ରଶ୍ନ ଭିତରେ ଆଜି ସମ୍ବାଦିକ ସମ୍ମିଳନୀ କରି ବ୍ରହ୍ମଣୀ ବ୍ରିଜ୍ ସଂପର୍କରେ ରଖିଛି ଆଉ କିଛି ତଥ୍ୟ । ଯେଉଁଥିରେ କୁହାଯାଇଛି-ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ପୋଲ ନିର୍ମାଣ ଗୋଟିଏ ପ୍ୟାକେଜ୍ । ଯାହାର ମୋଟ୍ ଦୈଘ୍ୟ ୨୯.୧ କିଲୋମିଟର । ଯେଉଁଥିରେ ବ୍ରିଜ୍ର ଦୈଘ୍ୟ ୪୭୩ ମିଟର । ଆଉ ଏହି ପ୍ୟାକେଜରେ ସାମିଲ ରହିଛି ୪.୮ କିଲୋମିଟର ପାଇଁ ଜଙ୍ଗଲ ଜମି । ଯେଉଁଥି ପାଇଁ ଅନ୍ତତଃ ୯୦ ପ୍ରତିଶତ ଜଙ୍ଗଲ ଅନୁମତି ଆବଶ୍ୟକ । ଜବାବରେ ବିଜେଡି କହିଛି- କେନ୍ଦ୍ର ସରକାର କେବଳ ବାହାନାବାଜି କରୁଛନ୍ତି ।

ରାଉରକେଲାରୁ ଭୁବନେଶ୍ୱର ପ୍ରତିବାଦ ହେଉଛି । ରାଜରାସ୍ତାରୁ ବିଧାନସଭା ହଙ୍ଗାମା ହେଉଛି । ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣକୁ ନେଇ ଯେତିକି ତତ୍ପରତା ପ୍ରକାଶ ପାଉନି, ତା’ଠୁ ଅଧିକ ହେଉଛି ରାଜନୈତିକ ପ୍ରତିଦ୍ୱନ୍ଦିତା ।