କମେଡି କିଙ୍ଗଙ୍କୁ ମହଙ୍ଗା ପଡ଼ିଲା ସିଦ୍ଧୁଙ୍କୁ ସମର୍ଥନ ! କପିଲ ଶର୍ମା ସୋ’କୁ ବୟକଟ୍ କରିବା ପାଇଁ ଉଠିଲା ଦାବି ।

474

କନକ ବ୍ୟୁରୋ : ପୁଲୱାମା ଆକ୍ରମଣକୁ ନେଇ ସାରା ଦେଶରେ ପାକିସ୍ତାନ ବିରୋଧୀ ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏହି ପ୍ରସଙ୍ଗରେ ବୟାନକୁ ନେଇ ବିବାଦ ଘେରକୁ ଆସିଛନ୍ତି ନଭଜୋତ୍ ସିଂ ସିଦ୍ଧୁ  । ବିବାଦୀୟ ବୟାନ୍ ପାଇଁ କପିଲ ଶର୍ମା ସୋ’ରୁ ସିଦ୍ଧୁଙ୍କୁ ଆଉଟ୍ କରାଯାଇଛି  । ସେପଟେ ସିଦ୍ଧୁଙ୍କ ସମର୍ଥନରେ ବାହାରିଛନ୍ତି କପିଲ ଶର୍ମା  । କପିଲ କହିଛନ୍ତି, ସିଦ୍ଧୁଙ୍କୁ ବ୍ୟାନ୍ କଲେ ପ୍ରସଙ୍ଗର ସମାଧାନ ହେବନାହିଁ  । ଅନ୍ୟପଟେ ତାଙ୍କ ସୋ’କୁ ବୟକଟ୍ କରିବାର ଉପଯୁକ୍ତ ସମୟ ଆସିଥିବା ଆଲୋଚନା କ୍ରମେ ବୃଦ୍ଧି ପାଇଛି  ।

ସିଦ୍ଧୁଙ୍କ ସମର୍ଥନରେ କପିଲ୍ ଶର୍ମା । ସେପଟେ ବୟାନ୍ ପରେ ଥମୁନି ବିବାଦ । କିଛି ଏଭଳି ଶବ୍ଦରେ ପାକିସ୍ତାନ ପ୍ରତି ଦରଦ ଦେଖାଇବା ପରେ ବିବାଦକୁ ଚାଲିଆସିଛନ୍ତି କଂଗ୍ରେସ ନେତା ତଥା ପଂଜାବ ପର୍ଯ୍ୟଟନ ମନ୍ତ୍ରୀ ନଭଜୋତ୍ ସିଂ ସିଦ୍ଧୁ  । ସିଦ୍ଧୁଙ୍କୁ କଂଗ୍ରେସରୁ ବହିଷ୍କାର କରିବାକୁ ବିଭିନ୍ନ ମହଲରୁ ଦାବି ଉଠିଥିବା ବେଳେ କପିଲ ଶର୍ମା ସୋ’ରୁ ତାଙ୍କୁ ବାହାର କରାଯାଇଛି । ସେପଟେ ଏହି ଘଟଣାରେ ସିଦ୍ଧୁଙ୍କୁ କମେଡ଼ି ଷ୍ଟାର୍ କପିଲ ଶର୍ମା ସମର୍ଥନ କରିବା ପରେ ତାଙ୍କ ଟେଲି ସୋକୁ ବର୍ଜନ କରିବାର ସମୟ ଆସିଥିବା ସୋସିଆଲ୍ ମିଡ଼ିଆରେ ଜୋର୍ ଧରିଛି ଚର୍ଚ୍ଚା  । ପୁଲୱାମା ହମଲା ପରେ ସିଦ୍ଧୁ ଘଟଣା ପାଇଁ ପାକିସ୍ତାନକୁ ଦାୟୀ କରାଯାଇପାରିବ ନାହିଁ କହିବା ବିବାଦକୁ ତେଜିବାରେ ଲାଗିଛି  ।

୨୦୧୮ ଅଗଷ୍ଟ ୧୮ ତାରିଖ । ସ୍ଥାନ – ପାକିସ୍ତାନର ଇସଲାମାବାଦ୍ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାନ୍ ଶପଥ ନେଉଥିବା ବେଳେ ଯୋଗ ଦେଇଥିଲେ ସିଦ୍ଧୁ । ଶପଥ ଗ୍ରହଣ ସମାରୋହରେ ସିଦ୍ଧୁ ଯୋଗ ଦେବା ସହ ପାକିସ୍ତାନୀ ସେନାମୁଖ୍ୟ ଜେନେରାଲ ବାଜୱାଙ୍କୁ ଆଲିଙ୍ଗନ କରିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଥିଲା  । ସମାରୋହରେ ପାକ୍ ଅଧିକୃତ କାଶ୍ମୀରର ରାଷ୍ଟ୍ରପତି ମସୁଦ୍ ଖାନଙ୍କ ପାଶ୍ୱର୍ରେ ସିଦ୍ଧୁ ବସିଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ କଂଗ୍ରେସ ମଧ୍ୟ ଅସହଜ ସ୍ଥିତିର ସମ୍ମୁଖୀନ ହୋଇଥିଲା । ଏହି ପ୍ରସଙ୍ଗରେ ସିଦ୍ଧୁ କହିଥିଲେ, ସେ ହୃଦୟ ଯୋଡ଼ିବାକୁ ପାକିସ୍ତାନ ଆସିଛନ୍ତି । ଏବେ ପୁଲୱାମା ହମଲା ପ୍ରସଙ୍ଗରେ ବୟାନ୍ ଦେଇ ପୁଣି ବିବାଦକୁ ଚାଲିଆସିଛନ୍ତି ସିଦ୍ଧୁ । ସିଦ୍ଧୁଙ୍କ ବୟାନକୁ ନେଇ କଂଗ୍ରେସ ଅଡୁଆରେ ପଡ଼ିଥିବା ବେଳେ ତେଜିବାରେ ଲାଗିଛି ବିବାଦ  ।