ବାବରଙ୍କ ଭକ୍ତ ଓ ଖିଲିଜଙ୍କ ସଂପର୍କୀୟ ରାହୁଲ ! ଟ୍ୱିଟ କରି କଂଗ୍ରେସ ଉପାଧ୍ୟକ୍ଷଙ୍କୁ ଟାର୍ଗେଟ କଲା ବିଜେପି ।

80

କନକ ବ୍ୟୁରୋ : ରାମ ମନ୍ଦିର ପ୍ରସଙ୍ଗକୁ ନେଇ ଦେଶର ରାଜନୀତି ସରଗରମ ହୋଇଛି । ଏହି ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସ ନେତାଙ୍କ ବୟନାବାଜି ମଧ୍ୟ ଜାରି ରହିଛି । ଆଜି ବିଜେପି ମୁଖପାତ୍ର ଜିବିଏଲ ନରସିଂହା ରାଓ ଟ୍ୱିଟ କରି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ଟ୍ୱିଟ କରି ସେ ଲେଖିଛନ୍ତି ରାହୁଲ ଗାନ୍ଧୀ ବାବରଙ୍କ ଭକ୍ତ ଓ ଖିଲିଜଙ୍କ ସଂପର୍କୀୟ ଅଟନ୍ତି ।

ବାବର ରାମ ମନ୍ଦିରକୁ ନଷ୍ଟ କଲା ଓ ଖିଲଜୀ ସୋମନାଥ ମନ୍ଦିରକୁ ଲୁଟ କରିଥିଲେ । ନେହରୁ ବଂଶ ଏହି ୨ ମୁସଲିମ ଆକ୍ରମଣକାରୀଙ୍କ ସପକ୍ଷବାଦୀ ବୋଲି ଟ୍ୱିଟ୍ କରି ଲେଖିଛନ୍ତି ଜିବିଏଲ ନରସିଂହା ରାଓ । ସେହିପରି ବିଜେପି ସାଂସଦ ସାକ୍ଷୀ ମହାରାଜ ମଧ୍ୟ ରାହୁଲଙ୍କୁ ସମାଲୋଚନା କରି କହିଛନ୍ତି, ରାହୁଲ ଖିଲଜୀଙ୍କ ବଂଶଜ ଭଳି ଲାଗୁଛନ୍ତି ।

ଗୋଟିଏ ପଟେ ଗୁଜରାଟରେ ରାହୁଲ ମନ୍ଦିର ମନ୍ଦିର ବୁଲୁଛନ୍ତି, ଆଉ ଏପଟେ ସୁପ୍ରିମକୋର୍ଟରେ କଂଗ୍ରେସ ନେତା ମନ୍ଦିରକୁ ବିରୋଧ କରୁଛନ୍ତି । ଏହାର ଜବାବ ଟ୍ୱିଟରରେ ଦେଇଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ । ବିଜେପି ମୁଖପାତ୍ରଙ୍କ ମାନସିକ ସ୍ଥିତି ଠିକ ନାହିଁ, ତେଣୁ ସେ ଡାକ୍ତରଙ୍କୁ ଦେଖାଇବା ଉଚିତ ବୋଲି କହିଛନ୍ତି ପ୍ରିୟଙ୍କା ଚତୁର୍ବେଦୀ

ବାବ୍ରୀ ମସଜିଦ ଭଂଗା ଘଟଣାକୁ ଆଜି ୨୫ ବର୍ଷ ପୁରୁଛି । ସମସ୍ତ ରାଜ୍ୟ ଏନେଇ ସତର୍କ ରହିବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଶାନ୍ତି ବଜାୟ ରଖିବା ନେଇ ସମସ୍ତ ପଦକ୍ଷେପ ନେବାକୁ ରାଜ୍ୟ ମୁଖ୍ୟ ସଚିବ ଏବଂ ପୁଲିସ ଡିଜିଙ୍କୁ କୁହାଯାଇଛି ।

ବିଶେଷ କରି ଉତରପ୍ରଦେଶ ସରକାର ସର୍ବାଧିକ ସତର୍କ ରହିବାକୁ କୁହାଯାଇଛି । ବିଜେପି, ଭିଏଚପି ଏବଂ ଶିବସେନା ସମର୍ଥନରେ ୧୯୯୨, ଡିସେମ୍ବର ୬ ତାରିଖରେ କରସେବକ ମାନେ ବାବ୍ରୀ ମସଜିଦ ଭାଂଗିଥିଲେ । ଏହି କାରଣରୁ ବଡ ସାମ୍ପ୍ରଦାୟିକ ଦଙ୍ଗା ଘଟି ୨ ହଜାର ଲୋକ ପ୍ରାଣ ହରାଇଥିଲେ ।