ବିଜେପିରେ ବିଦ୍ରୋହର ବିଗୁଲ୍ ! ପ୍ରଥମ ଥର ମୋଦିଙ୍କ ବିରୋଧରେ ମୁହଁ ଖୋଲିଲେ ଦଳୀୟ ସାଂସଦ . . କହିଲେ, ପ୍ରଶ୍ନ ପଚାରିଲେ ରାଗନ୍ତି ପ୍ରଧାନମନ୍ତ୍ରୀ

136

କନକ ବ୍ୟୁରୋ : କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣର ଗୋଟିଏ ଦିନ ପୂର୍ବରୁ ବିଜେପିରେ ଶୁଭିଲା ବିଦ୍ରୋହର ବିଗୁଲ୍ । ମୋଦିଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଲେ ଦଳୀୟ ସାଂସଦ । ସର୍ବ ସମ୍ମୁଖରେ ଗାଇଲେ ପ୍ରଧାନମନ୍ତ୍ରୀଙ୍କ ଦୁର୍ଗୁଣ । ଯେଉଁଠି ନେତା ମନ୍ତ୍ରୀ ମୋଦି ମନ୍ତ୍ର ଗାଇ ବୁଲୁଛନ୍ତି ସେଠି ମୋଦିଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ତାଙ୍କରି ଦଳର ଜଣେ ସାଂସଦ । ସମସ୍ତଙ୍କ ସାମ୍ନାରେ ମୋଦିଙ୍କ ସମାଲୋଚନା କରିବାକୁ ପଛାଇ ନାହାଁନ୍ତି ମହାରାଷ୍ଟ୍ର ସାଂସଦ ନାନା ପଟୋଲେ ।

x02-1504323555-nanapatole.jpg.pagespeed.ic.nuofnT1FVfମୋଦିଙ୍କୁ ପ୍ରଶ୍ନ ପଚାରିବା ପସନ୍ଦ ନୁହେଁ ବୋଲି କହିଛନ୍ତି ପଟୋଲେ । ଆଉ ଯଦି କେହି ତାଙ୍କୁ ପ୍ରଶ୍ନ ପଚାରେ ତେବେ ସେ ରାଗି ଯାଆନ୍ତି । ପଟୋଲେଙ୍କ କହିବା ଅନୁଯାୟୀ, ନିକଟରେ ସାସଂଦମାନଙ୍କ ଏକ ବୈଠକରେ ଚାଷୀ ଆତ୍ମହତ୍ୟା ବିଷୟରେ ପ୍ରଶ୍ନ ପଚାରିବାକୁ ଚେଷ୍ଟା କରିବାରୁ ମୋଦି ତାଙ୍କ ଉପରେ ଖୁବ୍ ରାଗିଗଲେ । ଯେବେ ତାଙ୍କୁ କୌଣସି ପ୍ରଶ୍ନ ପଚରାଯାଏ ତେବେ ସେ ଓଲଟା ପଚାରନ୍ତି କଣ ତମେ ପାର୍ଟିର ଘୋଷଣା ପତ୍ର ପଢିଛ ? ସରକାରୀ ସ୍କିମ୍ ଉପରେ କୌଣସି ଜ୍ଞାନ ଅଛି ?

ପଟୋଲେଙ୍କ କହିବା ଅନୁଯାୟୀ ମୋଦି ତ ସାଂସଦ ମାନଙ୍କୁ ସବୁବେଳେ ଦେଖାକରନ୍ତି ହେଲେ ପ୍ରଶ୍ନ ପଚାରିବାର ଅଧିକାର କାହାକୁ ଦେଇନାହାଁନ୍ତି । ସେ କେବଳ କହିବାକୁ ପସନ୍ଦ କରନ୍ତି ଶୁଣିବାକୁ ନୁହେଁ । ପଟୋଲେ ଦାବି କରିଛନ୍ତି ମୋଦିଙ୍କୁ ସମସ୍ତ କେନ୍ଦ୍ରୀୟ ମନ୍ତ୍ରୀ ଭୟ କରନ୍ତି । ତେବେ ଏହା ପ୍ରଥମ ଥର ହୋଇଛି ଯେତେବେଳେ କୌଣସି ଦଳୀୟ ସାଂସଦ ମୋଦିଙ୍କ ବିରୋଧରେ ମୁହଁ ଖୋଲିଛନ୍ତି ।

ଅନ୍ୟପଟେ ଆସନ୍ତାକାଲି ବଦଳିଯିବ କେନ୍ଦ୍ର କ୍ୟାବିନେଟର ରୂପ । ରବିବାର ଦିନ ୧୦ଟାରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ବିଧିବଦ୍ଧ ଘୋଷଣା ହେବ । ଆଉ ଏହା ପରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ । ଆଉ ଏଥିପାଇଁ ରାଷ୍ଟ୍ରପତି ଭବନରେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ୨୦୧୪ରେ ମୋଦି କ୍ଷମତାକୁ ଆସିବା ପରେ ଏହା ହେଉଛି ତୃତୀୟ ମନ୍ତ୍ରୀମଣ୍ଡଳ ଅଦଳବଦଳ । ଆଉ ଏସବୁ ଭିତରେ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । କିଏ ମନ୍ତ୍ରୀ ହେବେ ଆଉ କିଏ ବାଦ୍ ପଡ଼ିବେ ।

କିଏ ବାଦ ପଡିବେ :
କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ରାଜୀବ ପ୍ରସାଦ ରୁଢ଼ି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଫଗନ ସିଂ କୁଲସ୍ତେ ଇସ୍ତଫା ଦେଇ ସାରିଛନ୍ତି । ସେହିଭଳି ଉମାଭାରତୀ, କଲରାଜ ମିଶ୍ର, ସଂଜୀବ ବାଲ୍ୟାନ, ମହେନ୍ଦ୍ର ନାଥ ପାଣ୍ଡେ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଆଶା କରାଯାଉଛି ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିବା ମନ୍ତ୍ରୀମାନଙ୍କ ଇସ୍ତଫାକୁ ଗ୍ରହଣ କରାଯାଇପାରେ । କାରଣ ନିଜ ବିଭାଗରେ ଦକ୍ଷତା ଦେଖାଇ ପାରିନଥିବା ମନ୍ତ୍ରୀମାନଙ୍କୁ ଏଥର ବିଦାୟ ନେବାକୁ ପଡିପାରେ ।

ରୁଢ଼ି ଓ ଉମାଙ୍କ ମନ୍ତ୍ରଣାଳୟ ଠାରୁ ଅନେକ କିଛି ଆଶା କରିଥିଲେ ମୋଦି । କିନ୍ତୁ ଏମାନଙ୍କର ପ୍ରଦର୍ଶନ ଆଶାନୁରୂପକ ହୋଇନାହିଁ । ସରକାରକୁ ତିନିବର୍ଷ ହୋଇଥିଲେ ବି ଏହି ସମୟ ମଧ୍ୟରେ ଉଭୟ ବିଭାଗର କୌଣସି ଏଜେଣ୍ଡା ସାମ୍ନାକୁ ଆସିନାହିଁ । ତେଣୁ ଏମାନଙ୍କର ଚୌକି ଉପରେ କେବେଠାରୁ ଖଣ୍ଡା ଝୁଲୁଥିଲା । ଦେଶରେ ରୋଜଗାରକୁ ନେଇ ସରକାର ଉପରେ ବାରମ୍ବାର ଆକ୍ରମଣ କରୁଥିଲେ ବିରୋଧୀ । ତେଣୁ ରୁଢ଼ିଙ୍କୁ ନେଇ ଆଦୌ ଖୁସି ନଥିଲେ ମୋଦି ।

ସେହିଭଳି ଗଙ୍ଗା ସଫେଇ ବି କେବଳ ନାମକୁ ମାତ୍ର ଥିଲା । ଗଙ୍ଗା ସଫେଇକୁ ନେଇ ପ୍ରଧାନମନ୍ତ୍ରୀ ଅନେକ ସ୍ୱପ୍ନ ଦେଖିଥିଲେ ଓ ଅନେକ ପ୍ରତିଶୃତି ଦେଇଥିଲେ । କିନ୍ତୁ ଗତ ତିନିବର୍ଷ ଭିତରେ ଗଙ୍ଗା ସଫେଇ କିଭଳି ହୋଇଛି ତାହା ପ୍ରଧାନମନ୍ତ୍ରୀଙ୍କ ଚିନ୍ତାର କାରଣ ଥିଲା । ଉମାଭାରତୀଙ୍କ ସହ ଜୁନିୟର ମନ୍ତ୍ରୀ ଭାବେ ସଂଜୀବ ବାଲ୍ୟାନଙ୍କୁ ବି ବାହାରର ରାସ୍ତା ଦେଖାଇବେ ମୋଦି । କାରଣ ଉଭୟ ବିଭାଗ ଓ କ୍ୟାବିନେଟରେ ସଂଜୀବଙ୍କ ଅବଦାନ ଆଖିଦୃଶିଆ ନୁହେଁ ।

ଫଗନ ସିଂ କୁଲସ୍ତେଙ୍କ ଉପରେ ମଧ୍ୟ ମୋଦି ଖୁସି ନଥିଲେ । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ୱାସ୍ଥ୍ୟ ବିଭାଗର ରାଷ୍ଟ୍ରପାହ୍ୟା ଦାୟିତ୍ୱରେ ଥିବା କୁଲସ୍ତେଙ୍କର ନିଜ ବିଭାଗରେ ବି ଉପସ୍ଥାନ କମ । ସେପଟେ ସାଂଗଠାନିକ କ୍ଷେତ୍ରରେ ବି ସେଭଳି ଠୋସ କାର୍ଯ୍ୟକ୍ରମ କରିନାହାଁନ୍ତି । ଉଭୟ ଅମିତ ଶାହ ଓ ମୋଦି କୁଲସ୍ତେଙ୍କ ଉପରେ ଖୁସିନଥିଲେ । ତେଣୁ ଫଗନଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରୁ ବିଦା ହେବାକୁ ପଡିପାରେ ।

କେଉଁ ବିଭାଗ ବଦଳିପାରେ :
ରାଧାମୋହନ ଓ ରାଜୁଙ୍କ ବିଭାଗ ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି । କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଗଜପତି ରାଜୁଙ୍କ ବିଭାଗରେ ଅଦଳ ବଦଳ ହେବାର ସମ୍ଭାବନା ଯଥେଷ୍ଟ ରହିଛି । ତାଙ୍କ ସ୍ଥାନରେ ନୂଆମୁହଁ ଆସିପାରନ୍ତି ଏହି ବିଭାଗର ଦାୟିତ୍ୱ ନେବାକୁ । ରାଜୁଙ୍କୁ ଅପେକ୍ଷାକୃତ ଛୋଟ ବିଭାଗ ମିଳିପାରେ । ସେହିଭଳି କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂଙ୍କ ବିଭାଗରେ ବି ପରିବର୍ତ୍ତନ ହୋଇପାରେ । ତାଙ୍କ ବିଭାଗରେ ସେଭଳି ବଡ ପଦକ୍ଷେପ ନଥିବାରୁ ତାଙ୍କ ସ୍ଥାନରେ ଅନ୍ୟକାହାକୁ ଦିଆଯାଇପାରେ । ମେନକା ଗାନ୍ଧୀଙ୍କୁ ମହିଳା ବିକାଶ ମନ୍ତ୍ରଣାଳୟରୁ ହଟାଇ ଅନ୍ୟ କିଛି ବିଭାଗ ଦିଆଯିବାର ସମ୍ଭାବନା ରହିଛି ।

ସୁଯୋଗ ପାଇବେ ପ୍ରଭୂ :

ଆଉ ଏକ ସୁଯୋଗ ପାଇପାନ୍ତି ସୁରେଶ ପ୍ରଭୂ । ପ୍ରଧାନମନ୍ତ୍ରୀଙ୍କୁ ଭେଟି ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିବା ପ୍ରଭୁ ଏବେ ବି ଝୁଲା ଅବସ୍ଥାରେ ରହିଛନ୍ତି । କୁହାଯାଉଛି ନିଜ ବିଭାଗରେ ରିଫର୍ମ ଆଣିଥିବା ପ୍ରଭୂଙ୍କୁ ଆଉଟ କରିବାକୁ ଚାହୁଁନାହାଁନ୍ତି ମୋଦି । ତେଣୁ ରେଳ ବିଭାଗରୁ ହଟାଇ ତାଙ୍କୁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦିଆଯାଇପାରେ । ଏମିତିକି ପ୍ରଭୂଙ୍କୁ ପରିବେଶ ମନ୍ତ୍ରଣାଳୟ ମିଳିପାରେ ବୋଲି ବି ଚର୍ଚ୍ଚା ହେଉଛି ।

କିଏ ପାଇବେ ଫାଇଦା : 

ମୋଦିଙ୍କ ମନ୍ତ୍ରୀମଣ୍ଡଳ ଅଦଳ ବଦଳରେ କିଏ ଫାଇଦାରେ ରହିବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି ପିୟୁସ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରକାଶ ଜାଭେଡକର ମୋଦି ଓ ଶାହାଙ୍କ ଗୁଡବୁକରେ ଥିବାରୁ ଏମାନଙ୍କ ପଟ ପରିବର୍ତ୍ତନ ହେବ । ଏବେ ଜାଭେଡକରଙ୍କ ପାଖରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ଧର୍ମେନ୍ଦଙ୍କ ପାଖରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ଓ ପିୟୁସଙ୍କ ପାଖରେ ଶକ୍ତିି ବିଭାଗ ରହିଛି ।

ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ ଏହି ତିନି ମନ୍ତ୍ରୀ ନିଜ ବିଭାଗର ଦାୟିତ୍ୱ ସହ ସାଙ୍ଗଠାନିକ କ୍ଷେତ୍ରରେ ମଧ୍ୟ ବେଶ ପାରଦର୍ଶିତା ଦେଖାଇଛନ୍ତି । ଯେଉଁଥିପାଇଁ ମୋଦି ଓ ଶାହା ଖୁସି ଅଛନ୍ତି ଏମାନଙ୍କ ଉପରେ । ଫଳରେ ଏହି ତିନିଜଣଙ୍କୁ ନିଜ ବିଭାଗରେ ପ୍ରମୋସନ ମିଳିପାରେ । ରାଷ୍ଟ୍ରମନ୍ତ୍ରୀରୁ କ୍ୟାବିନେଟ ପାହ୍ୟାକୁ ଯାଇପାରନ୍ତି ଏହି ମନ୍ତ୍ରୀମାନେ ।

ଓଡିଶା ଉପରେ କଣ ରହିବ ପ୍ରଭାବ :
ମନ୍ତ୍ରୀମଣ୍ଡର ଏହି ଅଦଳବଦଳ ଓଡିଶା ଉପରେ ପ୍ରଭାବ ରଖିବ । କାରଣ, ଧର୍ମେନ୍ଦ୍ରଙ୍କୁ ଯଦି ମନ୍ତ୍ରୀମଣ୍ଡଳରୁ ଅବ୍ୟାହତି ଦିଆଯିବ ତେବେ ହୁଏତ ରାଜ୍ୟରେ ବିଜେପିର ସାଂସଗଠନିକ ସ୍ଥିତି ଓ ବିଜେଡିର ମୁକାବିଲା କରିବାକୁ ମନୋବଳ ଉପରେ ନକରାତ୍ମକ ପ୍ରଭାବ ପକାଇପାରେ । କାରଣ ଏଠି ମୁଖ୍ୟମନ୍ତ୍ରୀଙ୍କୁ ବରାବର୍ ଟକ୍କର ଦେଇ ଆସୁଛନ୍ତି ଧର୍ମେନ୍ଦ୍ର । କେନ୍ଦ୍ରମନ୍ତ୍ରୀ ଭାବେ ରାଜ୍ୟରେ ବେଶ ପ୍ରଭାବ ବିସ୍ତାର କରିଛନ୍ତି ।

ଅନୁମାନ କରାଯାଉଛି, ୨୦୧୯ ପାଇଁ ରାଜ୍ୟରେ ଧର୍ମେନ୍ଦ୍ରଙ୍କୁ ଚେହେରା ଭାବେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଘୋଷଣା କରିପାରେ । ଆଉ ଏହାହେଲେ ସଂଗଠନ ଉପରେ ଅଧିକ ଧ୍ୟାନ ଦେବାକୁ ଧର୍ମେନ୍ଦ୍ରଙ୍କୁ ଓଡିିଶା ପଠାଇପାନ୍ତି ଶାହା । ନଚେତ କ୍ୟାବିନେଟ ରାଙ୍କ ଦେଇ ଆହୁରି ଶକ୍ତିଶାଳୀ କରିବା ସହ ନବୀନଙ୍କ ସାମ୍ନାରେ ଧର୍ମେନ୍ଦ୍ରଙ୍କ ଜରିଆରେ ପ୍ରାଚୀର ତିଆରି କରିବାକୁ ରଣନୀତି କରିବେ ଅମିତ । କାରଣ ଓଡିଶାରେ ୧୨୦ ଟାର୍ଗେଟ ଧରି କାମ କରୁଛନ୍ତି ଅମିତ ଶାହା । ସେହିଭଳି ଜୁଏଲ ରାଜ୍ୟରୁ ଏକମାତ୍ର ସାଂସଦ ହୋଇଥିବାରୁ ତାଙ୍କୁ ମନ୍ତ୍ରୀମଣ୍ଡଳରୁ କଢ଼ାଯାଇନପାରେ ।

ତେବେ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ହେଉଛି । ଦେଖିବାର କଥା କିଏ ହେଉଛି ଇନ ଆଉ କିଏ ହେଉଛି ଆଉଟ ।