ବେକାରୀ ସମସ୍ୟାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି ! କେନ୍ଦ୍ର ନା ରାଜ୍ୟ, କିଏ ଦେଇଛି ଅଧିକ ଚାକିରି ?

105

କନକ ବ୍ୟୁରୋ : ରାଜ୍ୟ ଏମ୍ପ୍ଲୟମେଂଟ ଏକ୍ସଚେଂଜରେ କେତେଜଣ ପିଲା ନାଁ ରେଜିଷ୍ଟ୍ରେସନ କରିଛନ୍ତି ଏବଂ କେତେ ପିଲାଙ୍କୁ ରାଜ୍ୟ ସରକାର ଚାକିରି ଦେଇଛନ୍ତି ତାର ଉତ୍ତର ମାଗିଛି ବିଜେପି । ପ୍ରତିବାଦ ସ୍ୱରୁପ ରାଜ୍ୟର ବିଭିନ୍ନ ଏମ୍ପ୍ଲୟମେଂଟ ଏକ୍ସଚେଂଜରେ ତାଲା ପକାଇବାକୁ ଦଳ ଉଦ୍ୟମ କରିଛି । ସେପଟେ ଚାକିରି ଦେବାରେ କେନ୍ଦ୍ରର ଅବହେଳାକୁ ବିରୋଧ କରି ରାଷ୍ଟ୍ରାୟତ କମ୍ପାନି ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିଜେଡି ଯୁବ କର୍ମୀ ।

ବେକାରୀ ସମସ୍ୟାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ । ପ୍ରତିବାଦରେ ରାଜ୍ୟର ସମସ୍ତ ଏମ୍ପ୍ଲୟମେଂଟ କାର୍ଯ୍ୟାଳୟ ଆଗରେ ବିଜେପିର ବିରୋଧ ପ୍ରଦର୍ଶନ । ବିଜେପି ଯୁବ ମୋର୍ଚ୍ଚା ପହଂଚି ଏମ୍ପ୍ଲୟମେଂଟ କାର୍ଯ୍ୟାଳୟରେ ତାଲା ପକାଇବା ପୂର୍ବରୁ ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ସେଠାରେ ତାଲା ପକାଇ ଦେଇଥିଲା । ବିଜେପି ପକ୍ଷରୁ କାର୍ଯ୍ୟାଳୟ ବୋର୍ଡରେ କଳା ବୋଳି ଦେଇଥିଲେ ବିଜେପି କର୍ମୀ । କଡା ସୁରକ୍ଷା ବଳୟକୁ ଭାଙ୍ଗି ବିଜେପି କର୍ମୀମାନେ ଧଶେଇ ପଶିଥିଲେ ।

ସମ୍ବଲପୁରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଯୁବକ ଯୁବତୀମାନଙ୍କୁ ଚାକିରି ଦେବା ପରିବର୍ତ୍ତେ ସରକାର ସେମାନଙ୍କୁ ପ୍ରତାରଣା କରିଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେପି । ବିଜେପିର ଯୁକ୍ତି ହେଲା, ୨୦୦୮ ମସିହାରେ ବିଭିନ୍ନ ଶିଳ୍ପ ସଂସ୍ଥାମାନଙ୍କରେ ୯୦ ପ୍ରତିଶତ ଅଣକୁଶଳୀ, ୬୦ ପ୍ରତିଶତ ଅର୍ଦ୍ଧକୁଶଳୀ ଏବଂ ୩୦ ପ୍ରତିଶତ କୁଶଳୀ ପଦବୀରେ ସ୍ଥାନିୟ ଲୋକ ନିଯୁକ୍ତି ପାଇବେ ବୋଲି ସରକାର କହିଥିଲେ । କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛି ବିଜେପି ।

BJD VS BJPସେପଟେ ବିଜେଡି ପକ୍ଷରୁ ରାଜ୍ୟର ବିଭିନ୍ନ ରାଷ୍ଟ୍ରାୟତ କମ୍ପାନୀ ଓ ପ୍ଲାଂଟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟରେ ଥିବା ରାଷ୍ଟ୍ରାୟତ କମ୍ପାନୀ ଗୁଡିକରେ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାରେ କେନ୍ଦ୍ର ସରକାର ବିଫଳ ହୋଇଥିବା ପାଲଟା ଯୁକ୍ତି ବାଢିଛି ବିଜେଡି । ଆଗାମୀ ୩ଦିନ ପର୍ଯ୍ୟନ୍ତ ଏପରି ଆନ୍ଦୋଳନ ଜାରି ରହିବ ବୋଲି କହିଛି ଶାସକ ଦଳ । କେନ୍ଦ୍ରରେ କ୍ଷମତାକୁ  ଆସିବା ପରେ ମୋଦି ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ ୫ବର୍ଷ ମଧ୍ୟରେ ଭାରତରେ ଯୁବବର୍ଗଙ୍କୁ ୧୦କୋଟି ଚାକିରି ଯୋଗାଇଦେବେ । ସେହି ହିସାବରେ ରାଜ୍ୟର ଯୁବଶକ୍ତି ୩୬ଲକ୍ଷ ଚାକିରି ପାଇବା କଥା । ସେହି ପ୍ରତିଶ୍ରୁତି ଆଜି ପାଣିଫୋଟକା ପାଲଟିଛି ବୋଲି ଅଭିଯୋଗ କରିଛି ବିଜେଡି ।