ରାଜଧାନୀରେ ବାର୍ଡ ଫ୍ଲୁ ! ପରୀକ୍ଷା ପାଇଁ ପଠାଗଲା ନମୁନା

43

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଖୋର୍ଦ୍ଧାର କେରଙ୍ଗରୁ ରାଉରକେଲା । ଆଉ ଏବେ ରାଜଧାନୀ ଭୁବନେଶ୍ୱର । ସବୁଠି ବାର୍ଡ ଫ୍ଲୁର ଆତଙ୍କ । ତେବେ କେରଙ୍ଗକୁ ବାଦ୍ ଦେଲେ ଅନ୍ୟ କେଉଁଠି ବି ଏଚ୍୫ଏନ୍୧ ଭୂତାଣୁ ଚିହ୍ନଟ ହୋଇଥିବା ସ୍ପଷ୍ଟ ହୋଇନି । ଆଜି ରାଜଧାନୀର ସାଲିଆ ସାହିରେ କିଛି କାଉ ଓ କୁକୁଡାର ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ଦେଖାଯାଇଛି । ଲୋକଙ୍କ ଅଭିଯୋଗ ପରେ ପ୍ରାଣୀ ଚିକିତ୍ସକ ଟିମ୍ ପରୀକ୍ଷା ପାଇଁ ରକ୍ତ ନମୁନା ସଂଗ୍ରହ କରିଛି । ସାମ୍ପୁଲ ପଠାଯାଇଛି ଭୋପାଳ ଲାବୋରଟରୀ । ଆଉ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ପକ୍ଷୀ ଗୁଡିକର ମୃତ୍ୟୁର କାରଣ କଣ ।

ସେପଟେ କେନ୍ଦ୍ରାପଡାରେ ବି ବାର୍ଡ ଫ୍ଲୁ ଆଶଙ୍କାରେ ଆତଙ୍କ ଖେଳିଯାଇଛି । ମହାକାଳପଡାର ଖରୀନାସି ଗାଁରେ ଅସ୍ୱାଭାବିକ ଭାବେ ଶତାଧିକ କୁକୁଡାଙ୍କ ମୃତ୍ୟୁ ହୋଇଛି । ସପ୍ତାହକ ମଧ୍ୟରେ ମଲେଣି ୪୦ରୁ ଅଧିକ କୁକୁଡା । କିଛି ବତକ ଓ କାଉର ମୃତଦେହ ବି ଦେଖିବାକୁ ମିଳିଛି । ଏହାସହ ରାଉରକେଲାରେ ବାର୍ଡ ଫ୍ଲୁ ପାଇଁ ଜାରି ହୋଇଛି ରେଡ୍ ଆଲର୍ଟ । ଜିଲ୍ଲା ପ୍ରଶାସନ ପକ୍ଷରୁ ୪ଟି ରାପିଡ୍ ରେସପନ୍ସ ଟିମ୍ ଗଠନ କରାଯାଇଛି ।

ସହରର ୭ ଟି ଅଂଚଳରେ ସମ୍ଭାବ୍ୟ ବାର୍ଡ ଫ୍ଲୁ ଚିହ୍ନଟ କରାଯାଇଛି । ଫଳରେ ସେସବୁ ଅଂଚଳରେ କୁକୁଡା ଫାର୍ମ ଓ ବିକ୍ରୟ କେନ୍ଦ୍ର ଉପରେ କଟକଣା ଲଗାଇଛି ପ୍ରଶାସନ । ସେପଟେ ଖୋର୍ଦ୍ଧାର କେରଙ୍ଗରେ ଶେଷ ହୋଇଛି କୁକୁଡା ମରା ଅଭିଯାନ । ତିନି ମାସ ଯାଏଁ ସଂକ୍ରମିତ ଅଂଚଳର ୧ କିଲୋମିଟର ଭିତରେ କୁକୁଡା ପାଳନ ଉପରେ କଟକଣା ଲଗାଯାଇଛି ।