ସଫେଇ ଅଭିଯାନରେ ଅମିତାଭ ! ବନ୍ଧୁଙ୍କ ସହ ମିଶି ମୁମ୍ବାଇର ବର୍ସୋବା ବିଚକୁ କଲେ ସଫା

24

ବଲିଉଡ଼ର ସେହେନସା ଅମିତାଭ ବଚ୍ଚନ ତାଙ୍କ ପଡ଼ୋଶୀ ଓ ବନ୍ଧୁଙ୍କ ସହ ମିଶି ମୁମ୍ବାଇର ବର୍ସୋବା ବିଚ୍ର ସଫେଇ କରିଛନ୍ତି । ରବିବାର ୟୁଏନ ଆର୍ଥ ଚାମ୍ପିୟନ ଅଫରୋଜ୍ ଶାହାଙ୍କ ସହ ମିଶି ଅମିତାଭ ଏହି ଅଭିଯାନ ଆରମ୍ଭ କରିଥିଲେ । ବର୍ସୋବା ବିଚରେ ଏତେ ମାତ୍ରାରେ ଅଳିଆ ଆବର୍ଜନା ଦେଖି ଅମିତାଭ ଆଶ୍ଚର୍ଯ୍ୟ ହେବା ସହିତ ଅଧଘଣ୍ଟା ବିଚରେ ରହି ସଫେଇ କରିଥିଲେ । ଏହା ସହିତ ଟ୍ରାକ୍ଟର ଓ ଆର୍ଥମୁଭର ଯୋଗାଇ ଦେବାପାଇଁ ପତିଶ୍ରୁତି ଦେଇଥିଲେ ।

ଏହି ଅଭିଯାନରେ ତାଙ୍କ ସହ ସ୍ଥାନୀୟ ବିଧାୟକ ଭାରତୀ ଲବେକର , ୟୁଏନ ଇଣ୍ଡିଆର ବିଜୟ ସମନୋତ୍ରା ଏବଂ ବିଏମ୍ସିର କର୍ମଚାରୀ ମାନେ ମଧ୍ୟ ଯୋଗ ଦେଇଥିଲେ । ସ୍ଥାନୀୟ ସଂସ୍ଥା ‘ଢ଼ାଇ ଅକ୍ଷର’ର ୨୦ଜଣ ପିଲା ମାନେ ଏହି ସଫେଇ ଅଭିଯାନରେ ସାମିଲ ହୋଇଥିଲେ ।

ପେସାରେ ଜଣେ ଓକିଲ ହୋଇଥିବା ଅଫରୋଜ୍ ଶାହା ବହୁ ପୂର୍ବରୁ ଏଭଳି ସଫେଇ କାର୍ଯ୍ୟ କରି ଆସୁଛନ୍ତି । ପ୍ରଥମେ ସେ ନିଜ ଘର ଆଗରେ ଥିବା ୨.୭ କିଲୋମିଟର ଲମ୍ବର ବିଚକୁ ସଫା କରିବା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପରେ ଏହି ଅଭିଯାନରେ ପୂଜା ଭଟ୍ଟ , କରନବୀର ବୋହରା , ପୂଜା ବେଦୀ ସାମିଲ ହୋଇଥିଲେ ।