ସିୱେଜ୍ ସିପିଂ ଜିଏମ୍ ହତ୍ୟା ମାମଲା : ଜେଲ୍ ଗଲେ କଂଗ୍ରେସ୍ ନେତା ବାପି ସର୍ଖେଲ୍

60

ପାରାଦୀପ : ସିୱେଜ୍ ସିପିଂ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇ ଜେଲ୍ ଗଲେ ବାପି ସର୍ଖେଲ୍ । କୁଜଙ୍ଗ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ପରେ ଜେଲ୍ ଗଲେ କଂଗ୍ରେସର ଏହି ଟାଣୁଆ ନେତା । ଲୁକ୍ ଆଉଟ୍ ସର୍କୁଲାର୍ ଜାରି ପରେ ଆଜି ପ୍ରଥମେ ରଘୁନାଥପୁର ଥାନା ଓ ପରେ ପାରାଦୀପ ଥାନାରେ ହାଜର ହୋଇଥିଲେ ଶ୍ରମିକ ସଂଗଠନର ଏହି ନେତା । ତେବେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଦାମ ରାଉତ ତାଙ୍କ ବିରୋଧରେ ରାଜନୈତିକ ଷଡଯନ୍ତ୍ର କରିଛନ୍ତି  ।

ବାପି ସର୍ଖେଲଙ୍କୁ ସମର୍ଥନ କରି ଥାନା ଆଗରେ ଶତାଧିକ ସମର୍ଥକ ଜମା ହୋଇଛନ୍ତି । କୌଣସି ହିଂସା ଆଶଙ୍କାରେ ଥାନା ପରିସରରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

ସିୱେଜ୍ ସିପିଂ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ପୋଲିସ ବାପି ସର୍ଖେଲଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଥିଲା । ଏହାପରେ ଆଜି ବାପି ସର୍ଖେଲ ଏସପିଙ୍କ ନିକଟରେ ହାଜର ହେବାକୁ ସମର୍ଥକଙ୍କ ସହ ଯାଉଥିଲେ । ତେବେ ଶତାଧିକ କର୍ମୀ ଜମା ହେବା ଯୋଗୁଁ ଏସପି ତାଙ୍କୁ ରଘୁନାଥପୁର ଥାନାରେ ହାଜର ହେବାକୁ କହିଥିଲେ । ଏହାପରେ ଅପରାହ୍ନ ପ୍ରାୟ ସାଢେ ୪ ଟା ବେଳେ ଥାନାରେ ହାଜର ହୋଇଛନ୍ତି ବାପି ସର୍ଖେଲ୍ ।

ସିୱେଜ୍ ସିପିଂ ଜିଏମ୍ ହତ୍ୟାକାଣ୍ଡରେ ବାପିଙ୍କ ସଂପୃକ୍ତି ଥିବା ନେଇ ସୁରାକ ପାଇଛି ପୋଲିସ । ଜେରା ବେଳେ ପୋଲିସ ଆଗରେ ବାପିଙ୍କ ନାଁ ନେଇଛି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେ । ଗତକାଲି ବାପି ସର୍ଖେଲଙ୍କ ଅଫିସରେ ଚଢାଉ କରିଥିଲା ପାରାଦୀପ ପୋଲିସ । ସିସିଟିଭି ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା । ଏହାପରେ ଆଜି ବାପିଙ୍କ ନାଁରେ ଜାରି ହୋଇଥିଲା ଲୁକ୍ ଆଉଟ ସର୍କୁଲାର ।

ସେପଟେ କିନ୍ତୁ ଘଟଣା ସହ ରାଜନୀତିକୁ ଯୋଡିଛନ୍ତି ବାପି ସର୍ଖେଲ । କହିଛନ୍ତି, ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ତାଙ୍କୁ ଫସାଇବାକୁ ଉଦ୍ୟମ କରାଯାଉଛି ।