କିଏ ମାରିଲା ନେହାଙ୍କୁ ଗୁଳି ? ବାଲେଶ୍ୱରରେ ଚାଂଚଲ୍ୟ, ପ୍ରେମିକ ସହ ଫେରାର ହୋଇ ଘରକୁ ଫେରିବା ପରେ ଗୁଳି ମାରିଦେଲେ ଦୁର୍ବୃତ୍ତ ।

421

କନକ ବ୍ୟୁରୋ : ବାଲେଶ୍ୱରରେ ଜଣେ ୧୪ ବର୍ଷର ନାବାଳିକାର ମୁଣ୍ଡକୁ ଗୁଳି କରି ହତ୍ୟା କରାଯାଇଛି । ନାବାଳିକା ଜଣକ ୮ ଦିନ ତଳେ ସ୍ଥାନୀୟ ଅଂଚଳର ଜଣେ ଯୁବକଙ୍କ ସହ ଚାଲିଯାଇଥିଲେ । ଗତକାଲି ସେ ଘରକୁ ଫେରିଥିବା ବେଳେ କାଲି ରାତିରେ ହିଁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ନାବାଳିକାର ପରିବାର ଅଭିଯୋଗ କରିଛନ୍ତି, ତାଙ୍କ ଝିଅକୁ ପ୍ରେମିକ ହିଁ ଗୁଳି କରି ହତ୍ୟା କରିଛି ।

ଜଣେ ୧୪ ବର୍ଷର ଝିଅ ନେହା ମୁଣ୍ଡରେ ବନ୍ଧୁକ ଲଗାଇଦେଇଥିଲା ଦୁର୍ବୃତ । ଅନୁମାନ କରାଯାଉଛି କିଛି ସମୟର ବଚସା ପରେ ଟ୍ରିଗର ଦବାଇଦେଇଥିଲା ଯୁବକ ଜଣକ । ଆଉ ଟଳି ପଡିଲେ ନେହା । ଘଟଣାସ୍ଥଳରେ ପ୍ରାଣବାୟୁ ଉଡିଗଲା । ବାଲେଶ୍ୱରର ସହଦେବଖୁଂଟା ଅଂଚଳରେ ଏମିତି ଏକ କାହାଣୀ ଚାରିଆଡେ ଚାଂଚଲ୍ୟ ଖେଳାଇଦେଇଛି । ୧୪ ବର୍ଷର ଝିଅ ନେହା ମୁଣ୍ଡକୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି । 

ନେହା । ବୟସ ପ୍ରାୟ ୧୪ ବର୍ଷ । ସ୍ଥାନୀୟ ଅଂଚଳର ଜଣେ ଯୁବକ ମାମୁନ, ତାଙ୍କୁ ଭଲ ପାଉଥିଲା ଏବଂ ଉଭୟ ଘରଛାଡି ଚାଲିଯାଇଥିଲେ । ପ୍ରାୟ ୮ ଦିନ ପରେ ଘରକୁ ଫେରିଥିଲେ । ଶନିବାର ଦିନ ଉଭୟ ଘରକୁ ଫେରିବା ପରେ ସମସ୍ତେ ଧରିନେଇଥିଲେ ଯେ ସବୁ ଠିକ୍ ହୋଇଗଲା, ଆଉ ଏଣିକି ସବୁ ଠିକ୍ ଚାଲିବ । କୁଆଡେ ନେହା ବି ମାଆଙ୍କୁ ଫୋନ୍ କରି କହିଥିଲେ, ସେ ଭଲ ଅଛନ୍ତି ଓ କିଛି ଚିନ୍ତା କରିବା ଦରକାର ନାହିଁ ।

କିନ୍ତୁ କିଛି ସମୟ ପରେ ଫୋନ୍ ଆସିଲା ଝିଅ ମୁଣ୍ଡରେ ଗୁଳି ବାଜିଛି । ହଠାତ୍ କେହି କିଛି ବୁଝି ପାରିଲେ ନାହିଁ । ଆଉ ଯେତେବେଳେ ବୁଝିଲେ ସେତେବେଳକୁ ନେହା ଆଉ ନଥିଲେ । ଏହେଉଛି ନେହାଙ୍କ ମୁଣ୍ଡର ସ୍କାନ ଫୋଟ । ନେହାଙ୍କ ମୁଣ୍ଡ ପଛପଟୁ ଗୁଳି କରାଯାଇଛି ଓ ଗୁଳିଟି ମୁଣ୍ଡ ଭିତରେ ଅଟକି ରହିଛି । ସବୁଠାରୁ ଉଦବେଗଜନକ କଥା ହେଉଛି, ଯେଉଁ ଯୁବକକୁ ଭରସା କରି ନେହା ଘରଛାଡି ଥିଲେ, ସେହି ଯୁବକ ହିଁ ଏହି ହତ୍ୟାକାଣ୍ଡ ପଛର ମୂଳ ଖଳନାୟକ ବୋଲି ସନ୍ଦେହ କରାଯାଉଛି ।