ଗାଡି ବଜାରରେ ସଙ୍କଟ: କମୁଛି କାର୍ ଓ ବାଇକ୍ ବିକ୍ରି; ୫ ଲକ୍ଷରୁ ଅଧିକ କର୍ମଚାରୀଙ୍କ ଚାକିରି ପ୍ରତି ବିପଦ, ଛଟେଇ କରିପାରନ୍ତି ସଂସ୍ଥା

ମାନ୍ଦାବସ୍ଥାର ମୁକାବିଲା ପାଇଁ ପ୍ୟାକେଜ୍ ଘୋଷଣା କରିପାରନ୍ତି ମୋଦି ସରକାର

422

କନକ ବ୍ୟୁରୋ: ଗାଡି ବଜାରରେ ବଡ ଧରଣର ସଙ୍କଟ । ସ୍ଥିତି ଏଭଳି ହେଲାଣି ଯେ, ୫ ଲକ୍ଷ କର୍ମଚାରୀଙ୍କ ଚାକିରି ପ୍ରତି ବିପଦ ସୃଷ୍ଟି ହେଲାଣି । ଏସବୁ କର୍ମଚାରୀ , ବଡ ବଡ ଗାଡିକୁ ଯନ୍ତ୍ରାଂଶ ଯୋଗାଉଥିବା ସଂସ୍ଥା ଗୁଡିକରେ କାମ କରୁଛନ୍ତି । ସଂସ୍ଥା ଗୁଡିକ ଆସନ୍ତା ୩ ମାସ ମଧ୍ୟରେ ୫ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବା ଆଶଙ୍କା ଦେଖାଦେଇଛି । ବଜାରରେ କାର୍ ଓ ବାଇକ ବିକ୍ରି କମିବା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଏହିସବୁ ସଂସ୍ଥା ମାନେ । କାରବାର ଚାଲୁ ରଖିବାକୁ ବର୍ତମାନ, ସଂସ୍ଥା ଗୁଡିକ ସଂଘର୍ଷ କରୁଛନ୍ତି ।

କିଛି କମ୍ପାନୀ ସେମାନଙ୍କ କାରଖାନାକୁ ବନ୍ଦ କରିସାରିଲେଣି । ଖର୍ଚ୍ଚ କମ୍ କରିବା ପାଇଁ ସେଲସ, ଟେକ୍ନିକାଲ, ପେଂଟିଂ , ୱେଲଡିଂ, କାଷ୍ଟିଂ, ପ୍ରଡକ୍ସନ ଟେକ୍ନୋଲଜି ଓ ସେବା କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ସଂଖ୍ୟା କମ୍ କରିବାକୁ ସେମାନ ବିଚାର କରୁଛନ୍ତି । ଏପଟେ ଗାଡି ବଜାରରେ ମାନ୍ଦାବସ୍ଥାର ମୁକାବିଲା ପାଇଁ ଖୁବଶୀଘ୍ର ପ୍ୟାକେଜ ଘୋଷଣା କରିବାକୁ ଚିନ୍ତା କରୁଛନ୍ତି ସରକାର । କମ୍ପାନୀ ଗୁଡିକୁ ଅଧିକ ପାଣ୍ଠି ଦିଆଯିବା ସହ ଡିଲର ମାନଙ୍କୁ ୬୦ ଦିନ ବଦଳରେ ୯୦ ଦିନର ଋଣ ଏବଂ କିଛି ସମୟ ପାଇଁ ଟିକସ ଉପରେ ରିହାତି ପ୍ରଦାନ କରିବାକୁ ସରକାର ବିଚାର କରୁଛନ୍ତି । ସେପଟେ ଗାଡି ଯନ୍ତ୍ରାଂଶ ଉପରେ ଲାଗୁଥିବା ୨୮ ପ୍ରତିଶତ ଜିଏସଟିକୁ କମ୍ କରିବାକୁ ବ୍ୟବସାୟୀ ଦାବି କରିଛନ୍ତି ।