କାରଗିଲରୁ କାନ୍ଦାହାର ପର୍ଯ୍ୟନ୍ତ । ପ୍ରଧାନମନ୍ତ୍ରୀ ଭାବେ ବାଜପେୟୀଙ୍କୁ ଅଡୁଆରେ ପକାଇଥିଲା ଏହି ୫ଟି ନିଷ୍ପତି

85

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ନିଜର ରାଜନୈତିକ କ୍ୟାରିୟର ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଛନ୍ତି । ବିଜେପିକୁ ଶୂନ୍ୟରୁ ଶିଖର ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି ବାଜପେୟୀ । ତେବେ ପ୍ରଧାନମନ୍ତ୍ରୀ ହେବା ପରେ ବାଜପେୟୀ ୫ଟି ଏଭଳି ନିଷ୍ପତି ନେଇଥିଲେ ଯାହାକୁ ନେଇ ଆଜି ପର୍ଯ୍ୟନ୍ତ ଅନେକ ପ୍ରଶ୍ନବାଚୀ ଛିଡା ହୋଇଯାଇଛି । ବିରୋଧୀ ଏବେ ପଯ୍ୟନ୍ତ ବାଜପେୟୀଙ୍କ ସେହି ୫ଟି ନିଷ୍ପତିକୁ ନେଇ ବିଜେପିକୁ ଘେରୁଛନ୍ତି । ଆସନ୍ତୁ ଜାଣିବା ବାଜେପୟୀଙ୍କ ସେହି ୫ଟି ନିଷ୍ପତି ବିଷୟରେ ଯାହା ତାଙ୍କୁ ଅଡୁଆରେ ପକାଇଥିଲା ।

ପୋଖରାନରେ ପରମାଣୁ ପରୀକ୍ଷଣ : ଅଟଳ ବିହାରୀ ବାଜପେୟୀଙ୍କ ଐତିହାସିକ ନିଷ୍ପତି ମଧ୍ୟରେ ପୋଖରାନ ପରମାଣୁ ପରୀକ୍ଷଣ ଅନ୍ୟତମ । ୧୯୯୮ ମସିହାରେ ବାଜପେୟୀ ପୋଖରାନରେ ୨ ଦିନ ମଧ୍ୟରେ ୫ଟି ପରମାଣୁ ପରୀକ୍ଷଣ କରି ପୂରା ଦୁନିଆକୁ ଚକିତ କରି ଦେଇଥିଲେ । ଏହାପରେ ଭାରତର ଏଭଳି ପରୀକ୍ଷଣକୁ ଅନେକ ଦେଶ ବିରୋଧ କରିଥିଲେ । ଆମେରିକା ସମେତ ଅନ୍ୟ କିଛି ଦେଶ ମଧ୍ୟ ଏହା ଉପରେ ଆର୍ଥିକ କଟକଣା ଲାଗୁ କରିଥିଲେ । ଏପରିକି ଦେଶର ବିରୋଧୀ ଦଳ ଅଟଳଙ୍କ ଏଭଳି ନିଷ୍ପତି ପାଇଁ ସରକାରଙ୍କୁ ଘେରିଥିଲେ । ଯାହାଦ୍ୱାରା କିଛି ସମୟ ପାଇଁ ଦେଶର ଆର୍ଥିକ ସ୍ଥିତି ଦୋହଲି ଯାଇଥିଲା ।

କାନ୍ଦାହାର ଘଟଣାରେ ଆତଙ୍କବାଦୀଙ୍କୁ ଛାଡିବା : କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଥିବା ବେଳେ ୧୯୯୯ ଡିସେମ୍ବର ୨୪ରେ ଆତଙ୍କବାଦୀ ମାନେ ଇଣ୍ଡିଆନ ଏୟାରଲାଇନ୍ସ ବିମା ଆଇସି-୮୧୪କୁ ହାଇଜାକ କରି ନେଇଥିଲେ । ଯେଉଁଥିରେ ୧୭୬ ଜଣ ଯାତ୍ରୀ ଓ ୧୫ ଜଣ କ୍ରୁ ମେମ୍ବର ଯାତ୍ରା କରୁଥିଲେ । ଅପହରଣ ପରେ ଆତଙ୍କବାଦୀ ମାନେ ପ୍ରଥମେ ଭାରତୀୟ ଜେଲରେ ବନ୍ଦୀ ଥିବା ୩୫ ଆତଙ୍କବାଦୀ ସାଥୀଙ୍କୁ ଛାଡିବା ସହ ୨୦୦ ମିଲିୟନ ଆମେରିକୀୟ ଡଲାର ଦାବି କରିଥିଲେ । ସରକାର ଆତଙ୍କବାଦୀଙ୍କ ଏହି ପ୍ରସ୍ତାବରେ ରାଜି ନ ହୋଇ ମାତ୍ର ତିନି ଜଣ ଆତଙ୍କବାଦୀଙ୍କୁ ଛାଡିବାକୁ ରାଜି ହୋଇଥିଲେ । ବାଜପେୟୀ ସରକାରରେ ବିଦେଶୀ ମନ୍ତ୍ରୀ ଥିବା ଯଶୱନ୍ତ ସିଂହ ନିଜେ ମାସୁଦ ଅଜହର, ଅହମ୍ମଦ ଜରଗର ଓ ଶେଖ ଅହମ୍ମଦ ଉମର ସଇଦଙ୍କୁ ସାଥୀରେ ନେଇ କାନ୍ଦାହାର ଯାଇଥିଲେ । ୩ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ଛାଡିବା ପରେ ଅପହରଣକାରୀ ବିମାନକୁ ଛାଡିଥିଲେ । ଯାହାକୁ ନେଇ ଏବେ ପର୍ଯ୍ୟନ୍ତ ବାଜପେୟୀଙ୍କୁ ନେଇ ଆଲୋଚନା କରନ୍ତି ବିରୋଧୀ ।

କାରଗିଲରେ ପାକିସ୍ତାନ ସେନାର ଅନୁପ୍ରବେଶ : ପଡୋଶୀ ଦେଶ ପାକିସ୍ତାନ ସେନା ଓ କିଛି ଆତଙ୍କବାଦୀ ମାନେ ସୀମା ପାର କରି କାଶ୍ମୀରରେ ପ୍ରବେଶ କରିଥିଲେ । କାରଗିଲରେ ପାକିସ୍ତାନ ସେନା ଅନୁପ୍ରବେଶ କରିବା ପରେ ଉତକ୍ଷିପ୍ତ ହୋଇଥିଲେ ଦେଶବାସୀ । ଆଉ ଏହାପରେ ବାଜପେୟୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଫୋନ କରି ବୁଝାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଆଉ ଏହାପରେ ଆରମ୍ଭ ହୋଇଥିଲା କାରଗିଲ ଯୁଦ୍ଧ । ଅନୁପ୍ରବେଶ ନେଇ ଭାରତୀୟଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି ଜଳି ଉଠିଥିଲା ଓ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଦାବି ଚାରି ଆଡୁ ଉଠିଥିଲା । କିନ୍ତୁ ସେହି ସମୟରେ ଅଟଳ ବିହାରୀ ବାଜପେୟୀ ସଂଯମତା ରଖିଥିଲେ । ଆଉ ଏହାପରେ ଭାରତୀୟ ସେନା କାରଗିଲରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଥିଲା ଓ ପ୍ରତି ଅନୁପ୍ରବେଶକାରୀଙ୍କୁ ନିପାତ କରିଥିଲା । ଆଉ ଏହି ଅଭିଯାନରେ ଭାରତର ମଧ୍ୟ ଅନେକ ସୈନ୍ୟ ମୃତ୍ୟୁବରଣ କରିଥିଲେ । ଯାହାକୁ ନେଇ ବାଜପେୟୀ ସରକାରଙ୍କୁ ଆଲୋଚନାର ଶିକାର ହେବାକୁ ପଡିଥିଲା ।

ଦିଲ୍ଲୀ-ଲାହୋର ବସ ସେବା : ଭାରତ-ପାକିସ୍ତାନ ସର୍ମ୍ପକକୁ ଏକ ନୂଆ ଦିଶା ଦେବା ପାଇଁ ବାଜପେୟୀ ଦିଲ୍ଲୀ-ଲାହୋର ମଧ୍ୟରେ ୧୯୯୯ରେ ବସ୍ ସେବା ଆରମ୍ଭ କରିଥିଲେ । ଏପରିକି ନିଜେ ମଧ୍ୟ ବସରେ ବସି ପାକିସ୍ତାନ ମାଟିରେ ଓହ୍ଳାଇଥିଲେ ବାଜପେୟୀ । ଆଉ ଏହି ନିଷ୍ପତି ଯୋଗୁଁ ଦେଶବାସୀ ମଧ୍ୟ ବେଶ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ଏହାର ପ୍ରତିବଦଳରେ ୨୦୦୧ ମସିହାରେ ପାକିସ୍ତାନ ଆତଙ୍କବାଦୀ ମାନେ ସଂସଦରେ ଆକ୍ରମଣ କରିଥିଲେ । ଯାହାପାଇଁ କିଛି ଦିନ ଏହି ବସ ସେବାକୁ ବନ୍ଦ କରି ଦିଆ ଯାଇଥିଲା । ପରେ ୨୦୦୩ ମସିହାର ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସର୍ମ୍ପକରେ ସୁଧାର ଆସିବା ପରେ ଏହି ବସ ସେବାକୁ ପୁଣିଥରେ ଆରମ୍ଭ କରାଯାଇଥିଲା ।

ମୁଶାରଫଙ୍କୁ ଭାରତ ଡାକିବା : କାରଗିଲରେ ଆତଙ୍କବାଦୀ ଓ ପାକିସ୍ତାନ ସେନାର ଅନୁପ୍ରବେଶ ପରେ ଜୁଲାଇ ୨୦୦୧ ମସିହାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ସହ ଆଗ୍ରାରେ ଶିଖର ବୈଠକ କରିବାର ନିଷ୍ପତି ବାଜପେୟୀଙ୍କ ପାଇଁ ସବୁଠୁ କଷ୍ଟକର ଥିଲା । ଏହି ବୈଠକରେ ଭାରତ-ପାକିସ୍ତାନ ସର୍ମ୍ପକକୁ ନେଇ କୌଣସି ନିଷ୍ପତି ନିଆଯାଇ ପାରିଲା ନାହିଁ ବରଂ ଏହି ବୈଠକ ପରେ ଦୁଇ ଦେଶ ମଧ୍ୟରେ ସର୍ମ୍ପକ ବିଗିଡିଥିଲା । ଆଉ ଏହି ବୈଠକର ଠିକ୍ ୫ ମାସ ପରେ ଭାରତୀୟ ସଂସଦ ଉପରେ ପାକିସ୍ତାନ ଆତଙ୍କବାଦୀ ମାନେ ଆକ୍ରମଣ କରିଥିଲେ । ଯାହାକୁ ନେଇ ବାଜପେୟୀ ସରକାରକୁ ଘେରିଥିଲେ ସାଧାରଣ ଲୋକେ ।