କେହି ଶୁଣିଲେନି ବୃକ୍ଷର ବେଦନା ! ସରକାରୀ ଅବହେଳା ଯୋଗୁଁ ମରିଗଲା ୩୦ ହଜାର ଝାଉଁଗଛ ।

69

ସରକାରୀ ଅବହେଳାର ଆଉ ଏକ ଦୃଶ୍ୟ । ସ୍ଳୋଗାନ୍ରେ ରହିଗଲା ସରକାରୀ ବନୀକରଣ ଯୋଜନା । ବନ ବିଭାଗର ଅବହେଳା ଯୋଗୁ ମରିଗଲା ୩୦ ହଜାର ଝାଉଁଗଛ । ମଜୁରୀ ଲାଗିଥିବା ୭୦ ଦିନମଜୁରିଆଙ୍କୁ ମିଳିଲାନି ୯୦ଦିନର ବକେୟା ମଜୁରୀ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଅସ୍ତରଂଗରୁ ଯେଉଁଠି ସ୍ଳୋଗାନ୍ ହୋଇରହିଯାଇଛି ସରକାରୀ କାର୍ଯ୍ୟକ୍ରମ ।

ବନବିଭାଗର ଖାମଖିଆଲୀ ନୀତି ଯୋଗୁ ମରିଗଲା ବନୀକରଣ ଯୋଜନାରେ ଆସିଥିବା ୩୦ ହଜାର ଝାଉଁଗଛ । ଅସ୍ତରଂଗ ଅଂଚଳର ୮୨ ହେକ୍ଟର ଜମିରେ ନୂଆ ଜଙ୍ଗଲ ପାଇଁ ୨ ଲକ୍ଷ ୫୦ ହଜାର ଝାଉଁଗଛ ରୋପଣର ନିର୍ଦ୍ଦେଶ ଆସିଥିଲା । ତେବେ ଦୈନିକ ପାଣିଦେଇ ବଂଚାଇଆସୁଥିବା ୭୦ଜଣ ଦିନମଜୁରିଆଙ୍କୁ ମିଳିନଥିଲା ୯୦ ଦିନର ବକେୟା ମଜୁରୀ । ଫଳସ୍ୱରୂପ ମଜୁରିଆ କାମ ବନ୍ଦ କରିଦେଇଥିଲେ । ଇତିମଧ୍ୟରେ ପାଣି ନପାଇ ପ୍ରଚଣ୍ଡ ଖରାରେ ମରିଯାଇଥିଲା ପ୍ରାୟ ୩୦ ହଜାର ଝାଉଁଗଛ ।

ସେପଟେ ଦୟନୀୟ ସ୍ଥିତିରେ ଦିନମଜୁରିଆ ପରିବାର । ପେଟ ପାଇଁ ଚାଲିଛି ଜୀବନର ଯୁଦ୍ଧ । ବକେୟା ମଜୁରୀ ପାଇବାକୁ ଦୀର୍ଘ ୧୦ଦିନ ଧରି ଧାରଣାରେ ବସିଛନ୍ତି ଦିନମଜୁରିଆ । ଅନ୍ୟ ପଟେ ଏହାର ପ୍ରଭାବ ପଡ଼ିଛି ଅଭାବୀ ପରିବାରର ଚୁଲି ଓ ଚାଳ ଉପରେ । ମାଟିରେ ମାଟି ହୋଇ ଖଟିଲେ ଚାଲେ ମେହନତି ମଣିଷର ଜୀବନଜଞ୍ଜାଳ । ବନ ବିଭାଗ ବକେୟା ଅର୍ଥ ନ ଦେବାରୁ ଅଧିକାଂଶ ଦିନମଜୁରିଆଙ୍କ ପାରିବାରିକ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହୋଇପଡ଼ିଛି ।

ଆଗକୁ ବୃଦ୍ଧିପାଇବ ଖରାର ପ୍ରକୋପ । ସେପଟେ ଧାରଣାରେ ଦିନମଜୁରିଆ । ସ୍ଥିତି ଏଭଳି ଜାରି ରହିଲେ ଆହୁରି ଅଧିକ ପରିମାଣର ଝାଉଁଗଛ ମରିଯିବ ଏହା ସୁନିଶ୍ଚିତ । ଅନ୍ୟପଟେ ଦିନମଜୁରିଆଙ୍କୁ ଖୁବଶିଘ୍ର ବକେୟା ପ୍ରାପ୍ୟ ଦିଆଯିବ ବୋଲି ବନ ବିଭାଗ ପ୍ରକାଶ କରିଛି ।