ବିଜେପିକୁ କେଜ୍ରିୱାଲଙ୍କ ଟାର୍ଗେଟ ! କହିଲେ, ୪୦ ବଦଳରେ ୪୦୦ଙ୍କୁ ମାର, ତେବେ ଯାଇ ପୁରା ହେବ ପୁଲୱାମାର ବଦଲା ।

201

ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ପ୍ରତିଶୋଧର ନିଆଁରେ ଜଳୁଛି ଭାରତ । ଏହି ଘଟଣାକୁ ନେଇ ଲୋକଙ୍କ ମନରେ କୋହ ଯେତିକି, କ୍ରୋଧ ତାଠାରୁ ଅଧିକ । ଆଉ ଏହା ସହ ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଚାଲିଥିବା ଚର୍ଚ୍ଚା ହେଉଛି । ପୁଲୱାମା ଆତଙ୍କୀ ହମଲାକୁ ନେଇ ରାଜନୈତିକ ଦଳ ଗୁଡିକ ମଧ୍ୟରେ କାଦୁଅଫିଙ୍ଗା ରାଜନୀତି ଚାଲିଥିବା ବେଳେ ଏହାରି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଇଛନ୍ତି ବଡ ବୟାନ୍ ।

ପୁଲୱାମା ଆତଙ୍କବାଦୀ ଘଟଣାରେ କେନ୍ଦ୍ର ମୋଦି ସରକାର ଏବଂ ବିଜେପି ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ଏଭଳି ଛାତିଥରା ଘଟଣା ପରେ ପାକିସ୍ତାନକୁ ୧୦ ଗୁଣ ଅଧିକ କ୍ଷତି ପହଞ୍ଚାଇ ବଦଲା ନିଆଯିବା ଆବଶ୍ୟକ । ତେବେ ସବୁଠାରୁ ବଡ କଥା ହେଉଛି ପୁଲୱାମା ଆତଙ୍କୀ ହାମଲାକୁ ନେଇ ବିଜେପି ରାଜନୀତି କରୁଥିବାର ବଡ ଅଭିଯୋଗ କରିଛନ୍ତି କେଜ୍ରିୱାଲ । ସେ କହିଛନ୍ତି, ବାରମ୍ବାର ଭାରତର ଅପମାନ ହେଉଛି । ସୀମା ଉପରେ ପାକିସ୍ତାନ ଯାହା ଚାହୁଁଛି, ତାହା କରୁଛି ।

ପାକିସ୍ତାନ ବିରୋଧରେ ନୀତିକୁ ନେଇ କେଜ୍ରିୱାଲ କହିଛନ୍ତି, ବର୍ତ୍ତମାନର ସରକାର ଭୁଲ୍ ବାର୍ତ୍ତା ଦେବାର କାମ କରୁଛନ୍ତି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ବିନା ନିମନ୍ତ୍ରଣରେ ନୱାଜ ସରିଫଙ୍କ ଜନ୍ମଦିନରେ ପାକିସ୍ତାନ ଚାଲିଗଲେ, ଯେଉଁଥିପାଇଁ ପାକିସ୍ତାନ ଭାରତକୁ ଦୁର୍ବଳ ବୋଲି ଭାବୁଛି । ଅନ୍ୟପଟେ ପଠାନକୋଟରେ ଆଇଏସଆଇକୁ ଯାଞ୍ଚ ପାଇଁ ଡକାଗଲା, ଯେତେବେଳେ କି ତାଙ୍କର ହିଁ ଆତଙ୍କବାଦୀମାନେ ଏୟାରବେସ ଉପରେ ଆକ୍ରମଣ କରିଥିଲେ । କେଜ୍ରିୱାଲ କହିଛନ୍ତି, ପାକିସ୍ତାନ ଯଦି ୪୦ ଜଣଙ୍କୁ ମାରୁଛି, ତେବେ ଭାରତ ୪୦୦ ମାରିବା ଦରକାର । ସେତେବେଳେ ଯାଇ ପାକିସ୍ତାନ ଭାରତ ସହ ସମକକ୍ଷ ହେବାର କଥା କହିବ । ନହେଲେ ପାକିସ୍ତାନ ଭାରତକୁ ସବୁବେଳେ ଦୁର୍ବଳ ଭାବୁଥିବ ।