ସଡ଼କ ଦୁର୍ଘଟଣା ଉପରେ ଲାଗିବ ଲଗାମ୍ ! ଓଡ଼ିଶାରେ ଦୁର୍ଘଟଣା ରୋକିବ ମୋବାଇଲ ଆପ୍ 

48

ପ୍ରତିବର୍ଷ ହଜାର ହଜାର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ଆମ ଦେଶରେ ସଡ଼କ ଦୁର୍ଘଟଣା ଦ୍ରୁତ ଗତିରେ ବଢ଼ିଚାଲିଛି । ସଚେତନାତା ବାର୍ତ୍ତା ମଧ୍ୟ କିଛି କାମ ଦେଉନି । ଆଜିକାଲି ଆପଣ ଦେଖୁଥିବେ ସଡ଼କରେ ଦୁର୍ଘଟଣା ଘଟାଇବା ପରେ ଅତ୍ୟନ୍ତ ଅମାନବିକତାର କାର୍ଯ୍ୟ କରୁଛନ୍ତି ଲୋକେ । ଦୁର୍ଘଟଣାଗ୍ରସ୍ତ ଲୋକକୁ ଡାକ୍ତରଖାନା ନେବା ପରିବର୍ତ୍ତେ ଦୁର୍ଘଟଣାସ୍ଥଳରୁ ପଳାଇ ଯାଉଛନ୍ତି । ଓଡ଼ିଶା ସମେତ ସାରା ଦେଶରେ ଘଟୁଥିବା ରାସ୍ତା ଦୁର୍ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ସଡ଼କ ସଚେତନତା ଏବଂ ରାସ୍ତାଗୁଡ଼ିକର ମାନ ବୃଦ୍ଧି ପାଇବା ସତ୍ୱେ ଏତିକି ସଂଖ୍ୟାରେ ଦୁର୍ଘଟଣା ଘଟିବା ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ନିଶାସକ୍ତ ଅବସ୍ଥାରେ ଗାଡ଼ିଚାଳନା, ବେପରୱା ଭାବରେ ଓଭରଟେକ କରିବା ଆଦି ରାସ୍ତା ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ପରିବହନ ବିଭାଗ ଅନୁସାରେ ରାସ୍ତାଗୁଡ଼ିକର ଖରାପ ଡ଼ିଜାଇନ୍ ଓ ଇଞ୍ଜିନିୟରିଂ ଯୋଗୁଁ ଅଧିକ ଦୁର୍ଘଟଣା ଘଟୁଛି ।

ତେବେ ସଡ଼କ ଦୁର୍ଘଟଣା ଉପରେ ରୋକ ଲଗାଇବାପାଇଁ ରାଜ୍ୟ ପରିବହନ ବିଭାଗ ତତ୍ପର ହୋଇଉଠିଛି । ରାଜ୍ୟରେ ସଡ଼କ ଦୁର୍ଘଟଣା ସମ୍ମନ୍ଧିତ ତଥ୍ୟ ଏକାଠି କରିବା ପାଇଁ ରାଜ୍ୟପରିବହନ ବିଭାଗ ଏକ ସ୍ୱତନ୍ତ୍ର ଆପ୍ ବିକଶିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଉ ଏନେଇ ରୋଡ୍ ଆକ୍ସିଡେଣ୍ଟ ମ୍ୟାନେଜମେଣ୍ଟ ଇନଫରମେସନ ସିଷ୍ଟମ ଆଧାରିତ ଏକ ମୋବାଇଲ ଆପ୍ ବିକଶିତ କରାଯିବ । ଯଦ୍ୱାରା ଲୋକେ ଦୁର୍ଘଟଣା ବିଷୟରେ ବିଭାଗକୁ ସତର୍କ କରାଇପାରିବେ ଓ ପୁଲିସ ଉଚିତ କାର୍ଯ୍ୟାନୁଷ୍ଠାନ ନେଇପାରିବ । ଏଥିପାଇଁ ଏକ ପ୍ରତିଷ୍ଠିତ ଆଇଟି କମ୍ପାମୀ ଅପେକ୍ଷାରେ ଅଛି ପରିବହନ ବିଭାଗ । ତେବେ ଏହି ଆପ୍ ବିକଶିତ ହେବା ପରେ ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ବିଷୟରେ ଖୁବ ଶୀଘ୍ର ସୂଚନା ମିଳିପାରିବ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ ୨୦୧୭ ତୁଳନାରେ ୨୦୧୮ରେ ରାଜ୍ୟରେ ୧୦ ପ୍ରତିଶତ ଅଧିକ ଦୁର୍ଘଟଣା ଘଟୁଛି ।  ୨୦୧୬ରେ ରାଜ୍ୟରେ ସଡ଼କ ଦୁର୍ଘଟଣା ଜନତି ମୃତ୍ୟୁସଂଖ୍ୟା ୩୩୦୬ ଥିଲା । ୨୦୧୭ରେ  ୩୪୯୫ ଜଣଙ୍କ ଜୀବନ ଯାଇଥିବା ଜଣାଯାଇଛି । ରାଜ୍ୟରେ ଓଡ଼ିଶାର ସଡ଼କ ଦୁର୍ଘଟଣା ବିହାର, ଉତ୍ତରପ୍ରଦେଶ ସହିତ ସମାନ ହେବାକୁ ବସିଲାଣି । କଟକ, ଖୋର୍ଦ୍ଧା, ଯାଜପୁର, ବଲାଙ୍ଗିର, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ୱର ଆଦି ୧୧ଟି ଜିଲ୍ଲାରେ ଅଧିକ ଦୁର୍ଘଟଣା ଘଟିଥିବା କୁହାଯାଇଛି । ରାଜ୍ୟରେ ହେଉଥିବା ସଡ଼କ ଦୁର୍ଘଟଣା ଗୁଡ଼ିକ ମଧ୍ୟରୁ ୮୦ ପ୍ରତିଶତ ଦୁର୍ଘଟଣା ମନୁଷ୍ୟକୃତ କାରଣରୁ ହୋଇଥାଏ । ନିଶା ସେବନ କରି ଗାଡ଼ି ଚାଳନା, ମୋବାଇଲି ଫୋନ ସହ ଡ୍ରାଇଭିଂ, ଦ୍ରୁତ ଗତି, ଟ୍ରାଫିକ ନିୟମର ଉଲ୍ଲଂଘନ, ଓଭର ଟେକିଂ ଆଦି କାରଣରୁ ଅଧିକ ସଂଖ୍ୟକ ଦୁର୍ଘଟଣା ହେଉଥିବାବେଳେ ତ୍ରୁଟିପୂର୍ଣ୍ଣ ସଡ଼କ ଡ଼ିଜାଇନିଂ, ଯାନ୍ତ୍ରିକ ତ୍ରୁଟି, ପ୍ରାକୃତିକ ବିପର୍ୟ୍ୟୟ ଓ ଅନ୍ୟାନ୍ୟ କାରଣରୁ ମଧ୍ୟ ଦୁର୍ଘଟଣା ଘଟିଥାଏ । ସଡ଼କ ପ୍ରତି ସଂସ୍କାରୀ ମନୋବୃତ୍ତି ହିଁ ଏହି ଅକାଳ ମୃତ୍ୟୁର କାଳ ଫାଶରୁ ଆମକୁ ରକ୍ଷା କରିପାରିବ ।