‘ବାହୁବଲୀ’ଙ୍କ ଦେବସେନାଙ୍କର ଆଜି ଜନ୍ମଦିନ ! ଆସନ୍ତୁ ଜାଣିବା ଅନୁଷ୍କା ସେଟ୍ଟୀଙ୍କ ବିଷୟରେ କିଛି ଜଣା ଅଜଣା କଥା

90

ଚଳିତ ବର୍ଷର ସବୁଠାରୁ ସୁପରହିଟ୍ ସିନେମା ହେଲା ‘ବାହୁବଲୀ-୨’ । ଏହି ସିନେମା ରିଲିଜ ହେବା ପୂର୍ବରୁ ହିଁ ଅନେକ ରେକର୍ଡ଼ ଭଙ୍ଗ କରିଥିଲା । ତେବେ ‘ବାହୁବଲୀ-୨’ ସିନେମାରେ ମୁଖ୍ୟ ନାୟିକା ଦେବସେନା ତଥା ଅନୁଷ୍କା ସେଟ୍ଟୀଙ୍କ ଅଭିନୟ ମଧ୍ୟ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିପାରିଥିଲା । ନିଜର ଅଭିନୟ ଦକ୍ଷତା ଏବଂ ନିଆରା ଅନ୍ଦାଜରେ ସମସ୍ତଙ୍କ ହୃଦୟ ଜିଣିନେଇଥିଲେ ଅନୁଷ୍କା ସେଟ୍ଟୀ । ଦକ୍ଷିଣୀ ଭାରତୀୟ ସିନେମାର ଲୋକପ୍ରିୟ ଅର୍ଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ଆଜି ଜନ୍ମଦିବସ । ସେ ଆଜି ତାଙ୍କର ୩୬ତମ ଜନ୍ମ ଦିବସ ପାଳନ କରୁଛନ୍ତି । ‘ବାହୁବଲୀ-୨’ପରେ ବଲିଉଡ ଜଗତରେ ମଧ୍ୟ ଅନୁଷ୍କାଙ୍କ ଚାହିଦା ବଢିଯାଇଛି । ଏହାଭିତରେ ପ୍ରଭାସ ଏବଂ ଅନୁଷ୍କାଙ୍କ ବିବାହ ସମ୍ବନ୍ଧିତ ଖବର ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ଆସନ୍ତୁ ଜାଣିବା ଅନୁଷ୍କାଙ୍କ ଜନ୍ମଦିନରେ ତାଙ୍କ ସମ୍ବନ୍ଧିତ କିଛି ଖାସ୍ କଥା-
ଆପଣ ଜାଣନ୍ତିକି ଅନୁଷ୍କା ଶେଟ୍ଟୀଙ୍କ ପ୍ରକୃତ ନାମ ହେଲା ସ୍ୱିଟୀ ଶେଟ୍ଟୀ । ସିନେ ଜଗତରେ ପାଦ ଦେବା ପୂର୍ବରୁ ଅନୁଷ୍କା ନିଜ ସହର ମାଙ୍ଗଲୁରୁରେ ଯୋଗ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିଲେ । ଏହି କାର୍ଯ୍ୟହିଁ ତାଙ୍କ ଜୀବନରେ ଏକ ଭିନ୍ନ ମୋଡ ଆଣିଥିଲା । ଅନୁଷ୍କାଙ୍କ ସୌନ୍ଦର୍ଯ୍ୟ ଏବଂ ଫିଟନେସକୁ ଦେଖି ନିର୍ଦ୍ଦେଶକ ତାଙ୍କୁ ସିନେମା ପାଇଁ ପ୍ରସ୍ତାବ ଦେଇଥିଲେ । ଅନୁଷ୍କା ୨୦୦୫ ମସିହାରେ ସିନେମା ‘ସୁପର’ରୁ ଆରମ୍ଭ କରିଥିଲେ ଅଭିନୟ । ଏହାପରେ ସେ ଅନେକ ତେଲୁଗୁ ସିନେମାରେ ଅଭିନୟ କରିଥିଲେ ।

ଅନୁଷ୍କାଙ୍କ ସିନେମା ‘ସାଇଜ ଜିରୋ’ ତାଙ୍କ ଅଭିନୟ କ୍ୟାରିୟରରେ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହୋଇଥିଲା । ଏହି ସିନେମାରେ ଅନୁଷ୍କାଙ୍କୁ ୨୦କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ବଢାଇବାକୁ ପଡିଥିଲା । ୨୦୧୦ରେ ତାମିଲ ଚଳଚିତ ‘ସିଂଘମ’ ଜରିଆରେ ଅନୁଷ୍କାଙ୍କ ନିଜର ନୂଆ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ । ୨୦୧୩ରେ ରିଲିଜ ହୋଇଥିବା ‘ସିଂଘମ-୨’ରେ ମଧ୍ୟ ଅନୁଷ୍କାଙ୍କ ଅଭିନୟ ଖୁବ୍ ଦମଦାର ଥିଲା ।

୨୦୦୯ରେ ‘ବିଲ୍ଲା’ ସିନେମାରେ ପ୍ରଥମ ଥର ପାଇଁ ପ୍ରଭାସଙ୍କ ସହ କାମ କରିଥିଲେ ଅନୁଷ୍କା । ପ୍ରଥମ ଦେଖାରୁ ହିଁ ପ୍ରଭାସ ଅନୁଷ୍କାଙ୍କ ଦିବାନା ହୋଇଯାଇଥିବା ଶୁଣିବାକୁ ମିଳିଥିଲା । ସୁଟିଂ ଜରିଆରେ ହିଁ ତାଙ୍କ ପ୍ରେମ ଆରମ୍ଭ ହୋଇଥିବା ଖବର ଆସିଥିଲା । ‘ବିଲ୍ଲା’ ସିନେମା ପରେ ଦର୍ଶକ ଏହି ଯୋଡିକୁ ପସନ୍ଦ କରୁଥିବା ଯୋଗୁଁ ‘ମିର୍ଚି’ ସିନେମାରେ ଆଉଥରେ ଏକାଠି ନଜର ଆସିଥିଲେ । ଏହାପରେ କୌଣସି କାରଣ ଯୋଗୁଁ ଦୁହିଁଙ୍କ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ମାତ୍ର ଦୁହିଁଙ୍କୁ ‘ବାହୁବଲୀ’ ରେ ପୁନର୍ବାର କାମ କରିବାକୁ ସୁଯୋଗ ମିଳିବାରୁ ସେମାନଙ୍କ ଭିତରେ ବୁଝାମଣା ହୋଇଯାଇଥିଲା ।