ପ୍ରଦୂଷଣକୁ ଖୋଲା ଆମନ୍ତ୍ରଣ ! ଆମେରିକା ଭାରତରେ ବିକ୍ରି କରୁଛି ପ୍ରଦୂଷଣଯୁକ୍ତ ପେଟ୍ରୋଲିଅମ୍ କୋକ୍

31

କନକ ବ୍ୟୁରୋ : ପ୍ରଦୂଷଣକୁ ଖୋଲା ଆମନ୍ତ୍ରଣ କରୁଛି ଭାରତ । ଭାରତର ଆବଶ୍ୟକତାକୁ ଅସ୍ତ୍ର କରି ଚତୁର ଆମେରିକା ପୁଣି ଏକ ଜଘନ୍ୟ ଖେଳ ଖେଳିଚାଲିଛି । ପ୍ରଦୂଷଣରେ ସନ୍ତୁଳି ହେଉଥିବା ଜନବହୁଳ ଭାରତକୁ ଅଧିକ ପ୍ରଦୂଷିତ କରିବା ପାଇଁ ବାଧ୍ୟ କରିଛି। ଆମେରିକୀୟ ତୈଳବିଶୋଧନକାରୀ କମ୍ପାନିଗୁଡ଼ିକ ନିଜ ଦେଶରେ ବିକ୍ରି କରିପାରୁନଥିବା ବ୍ୟାପକ ପରିମାଣର ପ୍ରଦୂଷଣବର୍ଦ୍ଧକ ତୈଳଖଦଗୁଡ଼ିକ ଭାରତକୁ ରପ୍ତାନି କରିବା ଘଟଣା ପରିବେଶବିତ୍ମାନଙ୍କୁ ଚିନ୍ତିତ କରିଛି। ତୈଳ ବିଶୋଧନ ପରେ ତଳେ ଜମାଟ ବାନ୍ଧି ରହୁଥିବା ଏହି ଖଦ ବା ପେଟ୍ରୋଲିଅମ୍ କୋକ୍(ପେଟ୍କୋକ୍) ଜାଳେଣି ପାଇଁ କୋଇଲା ଠାରୁ ଶସ୍ତା ହୋଇଥିବାରୁ ଜନବହୁଳ ଭାରତ ଏହାକୁ ଆମଦାନି କରି ଆହୁରି ପ୍ରଦୂଷଣର ଶିକାର ହୋଇଚାଲିଛି।

ଉଲ୍ଲେଖ ଥାଉ କି, କୋଇଲାର ବିକଳ୍ପ ଜାଳେଣି ଭାବେ ଆମେରିକାର ଏହି ଶସ୍ତା ପେଟ୍କୋକ୍କୁ ଶକ୍ତିକାଙ୍ଗାଳ ଭାରତ ଆମଦାନି କରିଚାଲିଛି। ଏପରିକି ଚାହିଦା ଅନୁସାରେ ବର୍ଷକୁ ବର୍ଷ ବି ଆମଦାନି ବଢ଼ିବାରେ ଲାଗିଛି। ୨୦୧୦ ମସିହାରେ ଭାରତ ଆମେରିକା ଠାରୁ ମାତ୍ର ୪ ଲକ୍ଷ ମେଟ୍ରିକ୍ ଟନ୍ ଓଜନର ପେଟ୍କୋକ୍ କିଣିଥିବା ବେଳେ ୨୦୧୬ ମସିହାରେ ତାହା ୨୦ ଗୁଣ ବଢ଼ି ୮ ନିୟୁତ ମେଟ୍ରିକ୍ ଟନ୍ରେ ପହଞ୍ଚିଛି। ଏପରିକି ଏହି ପରିମାଣ ଆମେରିକାରେ ବାର୍ଷିକ ଅଦରକାରୀ ଭାବେ ପଡ଼ିରହୁଥିବା ମୋଟ ପେଟ୍କୋକ୍ର ଏକ ଚତୁର୍ଥାଂଶ ବୋଲି ଜଣାପଡ଼ିଛି। ସମ୍ପ୍ରତି ଭାରତର ଅସଂଖ୍ୟ କଳକାରଖାନାରେ ଏହି ପେଟ୍କୋକ୍କୁ ଜାଳେଣି ଭାବେ ବ୍ୟବହାର କରାଯାଉଛି। ତେବେ ଚିନ୍ତାର ବିଷୟ ହେଲା, ପେଟ୍କୋକ୍ରେ ବିଷାକ୍ତ ଅଙ୍ଗାର ଓ ଫୁସ୍ଫୁସ୍ ନଷ୍ଟକାରୀ ଗନ୍ଧକ ପରିମାଣ ଅଧିକ ରହୁଛି। ଏପରିକି କୋଇଲା ପାଇଁ ଧାର୍ୟ୍ୟ ଥିବା ପରିମାଣର ୧୭ ଗୁଣ ଗନ୍ଧକ ଏହି ପେଟ୍କୋକ୍ରେ ରହିଛି । ସେହିପରି ଡିଜେଲ୍ ପାଇଁ ଧାର୍ଯ୍ୟ ଥିବା ପରିମାଣର ଏହା ୧୩୮୦ ଗୁଣ ବୋଲି ପରୀକ୍ଷାରୁ ଜଣାଯାଇଛି।

ସେଥିପାଇଁ ଆମେରିକାରେ ତାହାକୁ ଜାଳେଣି ଭାବେ ବ୍ୟବହାର କରିବାରେ କଟକଣା ରହିଛି। ମାତ୍ର ସେସବୁ ଅନାୟାସରେ ଆମେ ବ୍ୟବହାର କରିଚାଲିଛନ୍ତି। ଫଳରେ ଏହାର ଦହନ ଯୋଗୁଁ କଳକାରଖାନା ଗଢ଼ି ଉଠିଥିବା ଆମ ସହରାଞ୍ଚଳର ବାୟୁମଣ୍ଡଳ ଅଧିକ ବିଷ ଆହରଣ କରିବାରେ ଲାଗିଛି। ଦିଲ୍ଲୀ ଉପକଣ୍ଠ କଳକାରଖାନାରେ ବ୍ୟବହୃତ ପେଟ୍କୋକ୍ ହିଁ ସମ୍ପ୍ରତି ଦେଖାଦେଇଥିବା ପ୍ରଦୂଷଣ ସମସ୍ୟାର ଅନ୍ୟତମ କାରଣ ବୋଲି କୁହାଯାଉଛି। ଆମେରିକା ବିଶ୍ୱର ସର୍ବାଧିକ ପେଟ୍କୋକ୍ ପ୍ରସ୍ତୁତ କରୁଥିବା ଦେଶ ହୋଇଥିବା ବେଳେ ଭାରତ ତାହାର ଏହି ବର୍ଜ୍ୟବସ୍ତୁକୁ ଆଣି ଅନାୟାସରେ ମୃତ୍ୟୁକୁ ସ୍ୱାଗତ କରୁଛି।