ପରଦାରେ ଜଷ୍ଟ ମୋହବତ୍ ! ପୁଣି ଏକାଠି ହେଲେ ଆକାଶ-ଅର୍ଚ୍ଚିତା

66

କନକ ବ୍ୟୁରୋ : ପରଦାରେ ପୁଣି ଏକାଠି ହୋଇଛନ୍ତି ଆକାଶ ଓ ଅର୍ଚ୍ଚିତା । ଲଭ, ରୋମାନ୍ସକୁ ନେଇ ଗଣେଷ ପୂଜାରେ ରିଲିଜ ହୋଇଥିବା ଓଡିଆ ସିନେମା ଜଷ୍ଟ ମୋହବତରେ ଏହି ଯୋଡିକୁ ପୁଣି ଥରେ ଦେଖିବାକୁ ମିଳିଛି । ପୂର୍ବରୁ ଆଲୋ ମୋର କଣ୍ଢେଇ ଓ ଶପଥରେ ନଜର ଆସିଥିବା ଆକାଶ-ଅର୍ଚ୍ଚିତାଙ୍କ ଯୋଡିକୁ ପରଦାରେ ଦେଖାଇଛନ୍ତି ନିର୍ଦ୍ଦେଶକ ଏସ.କେ.ମୂରଲୀଧରନ ।

ସିନେମାର କାହାଣୀ କିଛି ଏମିତି ରହିଛି । ସିନେମାର ମୁଖ୍ୟ ନାୟକ ଭାବେ ଆକାଶ ଓ ନାୟିକା ଭାବେ ରହିଛନ୍ତି ଚୁଲବୁଲି ଅର୍ଚ୍ଚିତା । ଏଥିରେ ଟଙ୍କା ପଇସା ଧନ ଦୌଲତକୁ ଅଧିକ କେନ୍ଦ୍ରୀଭୂତ କରାଯାଇଛି । ପ୍ରତ୍ୟକ୍ଷରେ ନହେଲେ ବି ପରୋକ୍ଷରେ ନାୟିକା ଅଚ୍ଚିତାଙ୍କୁ ଟଙ୍କା ପଛରେ ଗୋଡାଉଥିବାର ଦେଖିବାକୁ ମିଳିଛି ସିନେମାରେ ।

ଆଦିତ୍ୟ ଭୁମିକାରେ ଆକାଶ ଜଣେ ଆସୋସିଏଟ ସିନେମା ନିର୍ଦ୍ଦେଶକ ଭାବେ ଅଭିନୟ କରୁଛନ୍ତି । ଆଦିତ୍ୟର ପ୍ରେମରେ ପଡେ ଭୁମିକା ମାନେ ଅର୍ଚ୍ଚିତା । ବଡ ଲୋକ ଓ ବଡଘରର ପୁଅ ଭାବି ଆଦିତ୍ୟକୁ ଭଲ ପାଏ ଭୁମିକା । ପଇସାବାଲା ବୋଲି ଭାବେ ହେଲେ ପରେ ଜାଣିପାରେ ସେ ଭଲପାଉଥିବା ଆଦିତ୍ୟ ଜଣେ ସାଧାରଣ ଆସୋସିଏଟ ସିନେମା ନିର୍ଦ୍ଦେଶକ । ଏକଥା ଜାଣିବା ପରେ ନାୟିକା ନିଜର ମତ ପରିବର୍ତ୍ତନ କରେ । ଆଦିତ୍ୟକୁ ଛାଡି ଜଣେ ବ୍ୟବସାୟୀକୁ ବାହା ହେବାକୁ ମନସ୍ଥ କରେ । କିନ୍ତୁ ଶେଷରେ ନିଜ ଭୁଲ ବୁଝି ପାରେ । ସେ ଅନୁଭବ କରେ ପ୍ରେମ ପାଖରେ ସବୁ ତୁଛ । ଟଙ୍କା ପଇସା ଧନ କିଛି ମାଇନା ରଖେନି ଭଲପାଇବା ଆଗରେ ।

ବ୍ୟବସାୟୀ ଭୁମିକାରେ କମ ସମୟ ପାଇଁ ନଜର ଆସିଛନ୍ତି ସମରେଶ । ଯାହାକୁ ଅତି ନିଖୁଣତାର ସହ ନିଭାଇବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ସିନେମାରେ ଆକାଶ ଓ ଅର୍ଚ୍ଚିତାଙ୍କ ଠାରୁ ଦର୍ଶକେ ଯେଉଁ ଆଶା ରଖିଥିଲେ ତାହା ଏତେଟା ମିଳିପାରିନି । ଆକାଶଙ୍କ ଚରିତ୍ର ତୁଳନାରେ ସେ ଅଧିକ ଲାଜକୁଳା ଲାଗୁଛନ୍ତି । ତଥାପି ନିଜ ଅଭିନୟକୁ ବେଷ୍ଟ ଦେବାକୁ ଭରପୁର ପ୍ରୟାସ କରିଛନ୍ତି ଆକାଶ ।

ଅନ୍ୟପଟେ ସମସ୍ତଙ୍କର ନଜର ରହିଥିଲା ଓଲିଉଡର ଚୁଲବୁଲି ନାୟିକା ଅର୍ଚ୍ଚିତାଙ୍କ ଉପରେ । କିନ୍ତୁ ସିନେମାରେ ସେ ଏତେ ସିରିୟସ ତିବା ଭଳି ଲାଗୁନି । ପୂର୍ବରୁ ଆଲୋ ମୋର କଣ୍ଢେଇ ଓ ଶପଥରେ ଦର୍ଶକେ ଏମାନଙ୍କୁ ପସନ୍ଦ କରିଥିବା ବେଳେ ଏଥର କିନ୍ତୁ କିଛି ଟା ଅଭାବ ପରିଲକ୍ଷିତ ହୋଇଛି ।

ଫିଲ୍ମରେ ଏକ ଭିନ୍ନ ଦୃଶ୍ୟକୁ ପରିବେଷଣ କରାଯାଇଛି । ଫିଲ୍ମର ଆରମ୍ଭ ଦୃଶ୍ୟରେ ନାୟିକା ଭୁମିକା ଶିବମନ୍ଦିରରୁ ବାହାରି ବୃଷଭ କାନରେ କିଛି କହୁଥିବା ଦେଖାଯାଉଛି । ଶିବଙ୍କ ପାଖରୁ ବର ପାଇବା ପାଇଁ ବୃଷଭର ସାହାରା ନିଆଯାଏ ବୋଲି ଜନସୃତି ରହିଛି । ଯାହାକୁ ସିନେମାରେ ଦେଖାଇବାକୁ ଚେଷ୍ଟା କରିଛନ୍ତି ନିର୍ଦ୍ଦେଶକ ।

ତେବେ କିଛି ବ୍ୟତିକ୍ରମ ବି ଦେଖିବାକୁ ମିଳିଛି ସିନେମାରେ । ହାସ୍ୟ ଅଭିନେତା ପପୁ ପମପମ ସିନେମାରେ ଜଣେ ନିର୍ଦ୍ଦେଶକ ଭୁମିକାରେ ରହିଛନ୍ତି । ସିନେମାର ମଧ୍ୟାନ୍ତର ପର୍ଯ୍ୟନ୍ତ ବେଶ ହସାଉଛନ୍ତି ପପୁ । କିନ୍ତୁ ହଠାତ ଗାଏବ ହୋଇ ପୁଣି ଶେଷଦୃଶ୍ୟରେ ଫେରୁଛନ୍ତି । ସେହିପରି ଆଦିତ୍ୟକୁ ଖୋଜିବା ପାଇଁ ସାଙ୍ଗମାନେ ହାତରେ ସ୍ମାର୍ଟଫୋନ ଧରି ବି ଲାପଟପ ମାଧ୍ୟମରେ ଫେସବୁକରେ ଖୋଜୁଛନ୍ତି । କିନ୍ତୁ ନିଶାସକ୍ତ ଅବସ୍ଥାରେ ଭୁମିକାର ଘର ସାମ୍ନାରେ ପାଟି କରୁଥିବା ଆଦିତ୍ୟକୁ ହଠାତ ସାଙ୍ଗମାନେ ଗାଡିରେ ନେଇ ଯାଉଛନ୍ତି । ତେବେ ବିନା ଖୋଜାଖୋଜିରେ ସେମାନେ ଆଦିତ୍ୟକୁ କେମିତି ଭୁମିକା ଘର ପାଖରୁ ପାଇଲେ ତାହାର ଦୃଶ୍ୟାୟନ ହୋଇନି ।

ଏଭଳି ଛୋଟମୋଟ ବ୍ୟତିକ୍ରମକୁ ବାଦ ଦେଲେ ମୋଟାମୋଟି ସିନେମାଟି ଭଲ ହୋଇଛି । କାହାଣୀ ଠାରୁ ସଂଳାପ ଉଚ୍ଚକୋଟୀର ହୋଇଥିବା ବେଳେ ସବୁଠୁ ଆକର୍ଷଣୀୟ ହୋଇଛି ସିନେମାର ସଂଗୀତ । ସୁଟିଂ ଲୋକେସନ ବି ବେଶ ମନଛୁଆଁ ହୋଇଛି ଫିଲ୍ମରେ । ସିନେମାରେ ୫ଟି ଗୀତ ରହିଛି । ତେବେ ପ୍ରିୟା ବାସନ୍ତୀ ଓ ଟାଇଟଲ ଗୀତକୁ ଗୁଣୁଗୁଣୁ ହେଉଛନ୍ତି ଦର୍ଶକ । ନିର୍ମଳ ନାୟକଙ୍କ ଗୀତ ରଚନାକୁ ସଂଗୀତରେ ସଜାଇଛନ୍ତି ଅଭିଜିତ ମଜୁମଦାର । ଅଭିଜିତ, ବିନୋଦ ରାଠୋଡ, ହ୍ୟୁମାନ ସାଗର ଓ ତପୁ ମିଶ୍ରଙ୍କ କଣ୍ଠରେ ଗୀତଗୁଡିକ ମନଛୁଆଁ ହୋଇଛି । ତେବେ ଆଗାମୀ ଦିନରେ ବକ୍ସ ଅଫିସରେ ଏହି ସିନେମାକୁ କେମିତି ରେସପନ୍ସ ମିଳୁଛି ତାହା ଉପରେ ନଜର ।