ପୁଣି ସର୍ଜିକାଲ ଷ୍ଟ୍ରାଇକ୍ କରିବ କି ଭାରତ?

28

ଜମ୍ମୁ-କଶ୍ମୀରର ପୁଂଜ ସେକ୍ଟରରେ ପୁଣି ଉତ୍ତେଜନା । ଏଲଓସିରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ, ଫଳରେ ୨ ଜବାନ ଶହୀଦ ହୋଇଛନ୍ତି । ଭାରତୀୟ ସେନାର କହିବା ଅନୁସାରେ, ପାକିସ୍ତାନ ସେନା ଦୁଇଟି ସେନା ପୋଷ୍ଟ ଉପରେ ରକେଟ ଓ ମୋର୍ଟାର ମାଡ କରିଥିଲା ।

ତେବେ ବଡ କଥା ହେଉଛି, ଭାରତୀୟ ସେନାର ନଦର୍ଣ୍ଣ କମାଣ୍ଡ ଜାରି କରିଥିବା ପ୍ରେସ ରିଲିଜରେ କୁହାଯାଇଛି, ପାକିସ୍ତାନର ବର୍ଡର ଆକ୍ସନ ଟିମ୍ର ଆକ୍ରମଣରେ ଯେଉଁ ଦୁଇ ଯବାନ ଶହୀଦ ହୋଇଛନ୍ତି, ସେମାନଙ୍କ ଶବକୁ କ୍ଷତ ବିକ୍ଷତ କରିଛି ପାକିସ୍ତାନୀ ସେନା । ଏହି ଘୃଣିତ କାର୍ଯ୍ୟର ଉପଯୁକ୍ତ ଯବାବ ଦିଆଯିବ ବୋଲି ସେନା ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।

ଅନୁମାନ କରାଯାଉଛି, ପାକିସ୍ତାନକୁ ଉଚିତ ଶିକ୍ଷା ଦେବାକୁ ଭାରତ ପୁଣି ଥରେ କିଛି ବଡ ପଦକ୍ଷେପ ନେଇପାରେ । ଦୁଇ ଯବାନ ଶହୀଦ ହେବା ପରେ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଉତ୍ତେଜନା ଲାଗିରହିଛି । ଭାରତୀୟ ସେନା ଗୁଳିର ଯବାବ ଗୁଳିରେ ଦେଉଛି ନା ସର୍ଜିକାଲ ଷ୍ଟ୍ରାଇକ୍ର ତରିକା ଆପଣାଉଛି ।

ଗତବର୍ଷ ଉରୀ ସେକ୍ଟରରେ ସେନା କ୍ୟାମ୍ପ ଉପରକୁ ଆତଙ୍କବାଦୀ ହମଲା ପରେ ଭାରତ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା । ଆଉ ଆଜି ଘଟିଥିବା ଏଭଳି ଘୃଣିତ କାର୍ଯ୍ୟର ଉଚିତ ଯବାବ ଦେବାକୁ ଭାରତ ଏହି ପନ୍ଥା ଆପଣାଇ ପାରେ ବୋଲି କିଛି ପୂର୍ବତନ ସେନା ଅଧିକାରୀ ମତ ଦେଇଛନ୍ତି ।