ଆଉଟଲୁକ୍ ପକ୍ଷରୁ ଶ୍ରେଷ୍ଠ ପ୍ରଶାସକ ହେବା ପରେ ନବୀନ ନିବାସ ଓ ସଚିବାଳୟରେ ନବୀନଙ୍କୁ ସମ୍ମାନ ! ୨୦ଟି ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

28

କନକ ବ୍ୟୁରୋ : ଆଉଟଲୁକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେଷ୍ଠ ପ୍ରଶାସକ ସମ୍ମାନ ମିଳିବା ପରେ ନବୀନ ପଟ୍ଟନାୟକଙ୍କୁ ଦିଆଯାଇଛି ସମ୍ବର୍ଦ୍ଧନା । ଆଜି ଉଭୟ ନବୀନ ନିବାସ ଓ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ୨୦ଟି ବିଭିନ୍ନ ସଙ୍ଗଠନ ପକ୍ଷରୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ନବୀନ ନିବାସରେ ମେୟର ଓ କର୍ପୋରେଟ ଦେଇଥିବା କେକ ବି କାଟିଥିଲେ ନବୀନ ପଟ୍ଟନାୟକ । ସେହିଭଳି ସଚିବାଳୟରେ ବି କର୍ମଚାରୀମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି ।

ଗତ ଶୁକ୍ରବାର ଦିନ ଦିଲ୍ଲୀରେ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ମାନ ମିଳିଥିଲା । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଉଟଲୁକ୍ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା । ଦେଶର ୬ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଭୋଟିଂ ହୋଇଥିବା ବେଳେ ଏହି ତାଲିକାର ଶୀର୍ଷରେ ରହିଲେ ନବୀନ । ନବୀନଙ୍କ ବାଦ୍ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାର ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏହି ତାଲିକାରେ ସ୍ଥାନ ପାଇଥିଲେ । ଅନଲାଇନ୍ ଭୋଟିଂ ମାଧ୍ୟମରେ ଶ୍ରେଷ୍ଠ ପ୍ରଶାସକ ଚୟନ କରାଯାଇଥିଲା ।

ଅନ୍ୟ ପାଞ୍ଚ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ଶ୍ରେଷ୍ଠ ପ୍ରଶାସକ ଭାବେ ମନୋନୀତ ହୋଇଥିଲେ । ରାଜ୍ୟର ଅର୍ଥନୈତିକ ବିକାଶ, ସାମାଜିକ ନିରାପତ୍ତା, ପୁଞ୍ଜିନିବେଶ ପାଇଁ ଅନୁକୂଳ ପରିବେଶ, ବିଭିନ୍ନ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି, ପ୍ରଶାସନରେ ସ୍ୱଚ୍ଛତା ଆଦି କ୍ଷେତ୍ରକୁ ବିଚାରକୁ ନିଆଯାଇ ନବୀନଙ୍କୁ ‘ଶ୍ରେଷ୍ଠ ପ୍ରଶାସକ’ ମନୋନୟନ ତାଲିକାରେ ରଖାଯାଇଥିଲା । ଗତକାଲି ସେ ଭୁବନେଶ୍ୱର ଫେରିଥିଲେ । ଏହାପରେ ଆଜି ତାଙ୍କୁ ବିଭିନ୍ନ ସଙ୍ଗଠନ ଓ ସଚିବାଳୟ କର୍ମଚାରୀ ସମ୍ବର୍ଦ୍ଧିତ କରିଛନ୍ତି ।