ଶବ ସଂସ୍କାର କରିବାକୁ ଯାଇ ଶବ ହୋଇ ଫେରିଲେ । ଘାଟିରୁ ଖସିଲା ପିକଅପ ଭ୍ୟାନ, କ୍ଷଣିକରେ ଚାଲିଗଲା ୮ ଜୀବନ

248

ଉତ୍ତରାଖଣ୍ଡର ଚମ୍ପାଓ୍ଵତର ପିଥୋରଗଢ଼ ରାସ୍ତାରେ ଏକ ପିକଅପ୍ ଭ୍ୟାନ୍ ଘାଟିରୁ ଖସି ପଡ଼ିବା ହେତୁ ଘଟଣାସ୍ଥଳରେ ୮ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନେକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।


ପୁଲିସ ସୂତ୍ରରୁ ପ୍ରକାଶ, ବାରକୋଟର ମିରତୋଲିରେ ବସବାସ କରୁଥିବା ସେର ସିଂହ ଭଣ୍ଡାରିଙ୍କ ପତ୍ନୀ ଖିମା ଦେବୀଙ୍କ ଶନିବାର ମୃତ୍ୟୁ ହୋଇଯାଇଥିଲା। ଖିମା ଦେବୀଙ୍କ ଅନ୍ତିମ ସଂସ୍କାର ପାଇଁ ଗ୍ରାମର ୨୫ଜଣ ରବିବାର ସକାଳେ ଏକ ପିକଅପ୍ ଭ୍ୟାନରେ ରାମେଶ୍ୱର ଘାଟକୁ ଯାଉଥିଲେ। ଲିସା ଡିପୋ ନିକଟରେ ଗାଡ଼ିଟି ନିୟନ୍ତ୍ରଣ ହରାଇ ଘାଟିରୁ ତଳକୁ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଆଠଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ପୁଲିସ ଓ ଉଦ୍ଧାରକାରୀ ଦଳ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ୧୧ ଗୁରୁତରଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ଏହି ଗାଡ଼ିରେ ଥିବ ଗଣେଶ ସିଂହ ବିଷ୍ଟଙ୍କ ପୁତ୍ର ବଦ୍ରି ସିଂହ କହିଛନ୍ତି, ଗାଡ଼ିଟି ଯେତେବେଳେ ନିୟନ୍ତ୍ରଣ ହରାଇଥିଲା, ସେ ତାଙ୍କ ଉପସ୍ଥିତ ବୁଦ୍ଧି ଖଟାଇ ଗାଡ଼ିରୁ ଡେଇଁ ପଡ଼ିଥିଲେ। ଯାହାଫଳରେ ଭଗବାନଙ୍କ କୃପାରୁ ସେ ଆଜି ବର୍ତ୍ତି ଯାଇଛନ୍ତି।