ଖୋର୍ଦ୍ଧା: ବାଣ ବିସ୍ଫୋରଣ ଘଟି ୫ ମୃତ, ୪ ଗୁରୁତର

63

କନକ ବ୍ୟୁରୋ: ଖୋର୍ଦ୍ଧା ବେଗୁନିଆରେ ଅଘଟଣ । ବାଣ ବିସ୍ଫୋରଣରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ବିସ୍ଫୋରଣର ମାତ୍ରା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ଥିବା ଘରଟି ସମ୍ପୂର୍ଣ୍ଣ ଭୁଷୁଡି ଯାଇଛି ।

ସୂଚନା ମୁତାବକ, ବେଗୁନିଆ ବ୍ଲକର ସିକୋ ଗାଁର କୁମ୍ଭାର ସାହୀରେ ଆଜି ସକାଳ ପ୍ରାୟ ସାଢେ ୫ରୁ ୬ଟା ମଧ୍ୟରେ ଏଭଳି ଏକ ଅଘଟଣ ଘଟିଛି । କୁମ୍ଭାର ସାହୀର ସନେଇ ସେଠୀଙ୍କ ଘରେ ବାଣ ଭଡା ଯାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ତେବେ ବିସ୍ଫୋରଣର ମାତ୍ରା ଏତେ ଥିଲା ଯେ, ଏଥିରେ ଘରର ଛାତ ପ୍ରାୟ ୨୦ଫୁଟ୍ ଉଚ୍ଚକୁ ଉଠିଯାଇ ପୁଣି ପଡିଯାଇଥିଲା । ଏଥିସହିତ ପାଖରେ ଥିବା ୨ରୁ ଅଧିକ ଘର ମଧ୍ୟ ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଛି । ଫଳରେ ସନେଇଙ୍କ ପୁରା ପରିବାର ଛାତ ତଳେ ଚାପି ହୋଇଯାଇଛି ।

ଏହି ବିସ୍ଫୋରଣରେ ସନେଇଙ୍କ ସ୍ତ୍ରୀ ଓ ତିନି ଝିଅଙ୍କର ମୃତ୍ୟୁ ହୋଇଥିବାବେଳେ ପଡୋଶୀ ଘର କାନ୍ଥ ପଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଏଥିରେ ସନେଇ ସେଠୀ ସାମାନ୍ୟ ଆହତ ହୋଇଥିବାବେଳେ ପଡୋଶୀ ଘରର ୩ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ତେବେ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି । ତେବେ ଏବେ ବି ଆଉ କିଛି ଭଙ୍ଗା ଛାତ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପୁଲିସ୍ ଓ ଦମକଳ ବାହିନୀ ପହଂଚି ଉଦ୍ଧାର କାମ ଜାରି ରଖିଛନ୍ତି ।