ବଢ଼ିବ ଭାରତୀୟ ସେନାର ବଳ ! ବଦଳିବ ବ୍ରିଟିଶ ଅମଳର ଢାଞ୍ଚା, ପୁର୍ନନିଯୁକ୍ତି ପାଇବେ ୫୭ ହଜାର ଯବାନ

41

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଉ ଏକ ମାଷ୍ଟରଷ୍ଟ୍ରୋକ । ବଦଳିବ ଭାରତୀୟ ସେନାର ରୂପରେଖ । ପୂରା ସେନାର ହେବ ନବକଳେବର । ଏଥିପାଇଁ ପୁନାଦି ଖୋଳିଛନ୍ତି ସରକାର । ଭାରତୀୟ ସେନାରେ ଆସିବ ଐତିହାସିକ ସଂସ୍କାର । ଭାରତୀୟ ସେନାରୁ ହଟିବ ବ୍ରିଟିସ ଅମଳର ଢାଞ୍ଚା ପାକିସ୍ତାନ ଓ ଚୀନ ସବୁବେଳେ ଭାରତର ସୁରକ୍ଷା ପାଇଁ ଆହ୍ୱାନ ସୃଷ୍ଟି କରୁଥିବା ବେଳେ ଏକ ବଡ଼ ଧରଣର ସୈନ୍ୟ ସଂସ୍କାର ଆଡ଼କୁ ଆଗେଇଛି ଭାରତୀୟ ସେନା । ପୂର୍ବତନ ଜେନେରାଲ ଲେଫନାଣ୍ଟ ଡି.ବି. ସେକେଟକର କମିଟି ସୁପାରିଶ କ୍ରମେ ସ୍ୱାଧୀନତା ପରେ ଦେଶର ସବୁଠୁ ବଡ଼ ସୈନ୍ୟ ସଂସ୍କାର ଭାବେ ସେନାରେ ୫୭ ହଜାର ଯବାନଙ୍କୁ ପୁର୍ନନିଯୁକ୍ତି ମିଳିବ । ଏ ନେଇ ସୂଚନା ଦେଇଛନ୍ତିି ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀ । ତତକାଳ ଆଧାରରେ ଏହାକୁ ଆରମ୍ଭ କରିବ ସେନା ।

ସାମରିକ ଶକ୍ତି ବୃଦ୍ଧି ତଥା ସନ୍ତୁଳନ ବଜାୟ ରଖିବାକୁ ଏକ ବଡ଼ ଧରଣର ସୈନ୍ୟ ସଂସ୍କାରକୁ ଚୂଡ଼ାନ୍ତ ରୂପ ଦେବ ସେନା । ଭାରତୀୟ ସେନାର ଅଣ ସାମରିକ ଦାୟିତ୍ୱରେ ନିଯୁକ୍ତ ୫୭ ହଜାର ଯବାନଙ୍କ କ୍ଷେତ୍ରରେ ଅଦଳବଦଳ କରାଯିବ । ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀଙ୍କ ସୂଚନା ଅନୁଯାୟୀ ସେନାଧିକାରୀ, ଜେସିଓ ଓ ଅନ୍ୟ ର୍ୟାଙ୍କର କର୍ମଚାରୀଙ୍କୁ ପ୍ରତ୍ୟକ୍ଷ ଯୁଦ୍ଧ ପ୍ରସ୍ତୁତିରେ ନିୟୋଜିତ କରାଯିବ । ସେହିପରି ସୈନିକ ଦରକାର ନଥିବା ବିଭାଗ ପାଇଁ ସିଭିଲିଆନ୍ ବା ସାଧାରଣ ନାଗରିକଙ୍କୁ ନିଯୁକ୍ତ କରା ଯିବ । ସରକାରଙ୍କ ନୂଆ ନୀତି ମୁତାବକ ସୈନ୍ୟ ସଂସ୍କାରକୁ ୩୧ ଡିସେମ୍ବର ୨୦୧୯ ମଧ୍ୟରେ ଚୂଡ଼ାନ୍ତ ରୂପ ଦିଆଯିବ । ସ୍ୱତନ୍ତ୍ର କମିଟିର ୯୯ଟି ସୁପାରିଶ ମଧ୍ୟରୁ ପ୍ରାଥମିକ ଭାବେ ୬୫ଟି ସୁପାରିଶକୁ ସରକାର ଅନୁମତି ଦେଇଥିବା ଜଣାପଡ଼ିଛି । ଦେଶ ସ୍ୱାଧୀନ ହେବା ପରେ ଏହାକୁ ଭାରତୀୟ ସେନାର ସବୁଠୁ ବଡ଼ ସୈନ୍ୟସଂସ୍କାର କୁହାଯାଉଛି ।

ସେନାରୁ ଉଚ୍ଛେଦ ହେବ ବ୍ରିଟିଶ ସମୟର ବ୍ୟବସ୍ଥା । ସରକାରଙ୍କ ନୂଆ ନୀତି ଅନୁଯାୟୀ ଶାନ୍ତ ଇଲାକାରେ ସେନାର ୩୯ଟି ପଶୁପାଳନ ଫାର୍ମ ବନ୍ଦ ହେବ । ସମର ଶିକ୍ଷାର୍ଥୀ ବାହିନୀରେ ଅବସରପ୍ରାପ୍ତ ସେନାଧିକାରୀଙ୍କୁ ନିଯୁକ୍ତ କରାଯିବ । ଏନସିସିରେ ନିଯୁକ୍ତ ଅଧିକାରୀଙ୍କୁ ତାଲିମ ଓ ପ୍ରଶିକ୍ଷଣ ବଦଳରେ ପ୍ରତ୍ୟକ୍ଷ ଯୁଦ୍ଧ କାର୍ଯ୍ୟକ୍ରମକୁ ଅଣା ଯିବ । ତେବେ ସେନାର ସବୁ ବିଭାଗରେ ଅତ୍ୟାଧୁନିକ କୌଶଳକୁ ଗୁରୁତ୍ୱ ଦିଆଯିବ ।

ଯୁଦ୍ଧ ପାଇଁ ଉଦ୍ଦିଷ୍ଟ ସୈନିକ ଓ ସେନାର ଅଣ ସାମରିକ କ୍ଷେତ୍ରରେ ଥିବା ଯବାନଙ୍କ ନିଯୁକ୍ତି ଅନୁପାତରେ ବ୍ୟାପକ ସଂସ୍କାର ଅଣାଯିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲି । ଏହା ବ୍ୟତୀତ ସେନାର ବାହନ ଡିପୋ, ଯୁଦ୍ଧାସ୍ତ୍ର ଡିପୋ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ମଧ୍ୟ ପୁନର୍ଗଠନ କରାଯିବ ବୋଲି ଜଣାପଡ଼ିଛି । ଏଭଳି ସୈନ୍ୟସଂସ୍କାର ହେବା ଦ୍ୱାରା ଆଧୁନୀକୀକରଣ ଆଡକୁ ଗତି କରୁଥିବା ଭାରତୀୟ ସେନା ଦେଶର ସୁରକ୍ଷାକୁ ସୁନିଶ୍ଚିତ କରିବ ।

ସେନାରେ ବ୍ରିଟିସ ଅମଳର ଢାଞ୍ଚାରେ ସଂସ୍କାର ଆଣିବା ପାଇଁ ସରକାର ବହୁ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥିଲେ ବୋଲି ଜେଟଲୀ କହିଛନ୍ତି ।