ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ! ଗୁଳିମାଡରେ ୫ ବର୍ଷୀୟ ଭାରତୀୟ ଝିଅର ମୃତ୍ୟୁ, ଜଣେ ଯବାନ ସହିଦ

39

କନକ ବ୍ୟୁରୋ : ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ପାକ୍ ସେନା ଗୁଳିମାଡରେ ଜଣେ ୫ ବର୍ଷୀୟା ଭାରତୀୟ ବାଳିକାର ମୃତ୍ୟୁ ହୋଇଛି । ଏହା ସହ ପାକ୍ ସେନାର ଗୁଳିମାଡରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୨ଜଣ ମହିଳା ମଧ୍ୟ ଗୁୁରୁତର ଆହତ ହୋଇଥିବା ସୂଚନା ମିଳିଛି । ରଜୋରୀ ସେକ୍ଟରରେ ସେନା ଶିବିରକୁ ଟାର୍ଗେଟ୍ କରି ଗୁଳିମାଡ କରିଛନ୍ତି ପାକିସ୍ତାନୀ ସେନା । ଏଥିରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କ ନାଁ ମୁଦ୍ଦସର ଅହମଦ ।

ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତୀୟ ସେନା । ଉଭୟ ପଟୁ ଗୁଳି ବିନିମୟ ଜାରି ରହିଛି । ସେପଟେ ପାକିସ୍ତାନ ଅଭିଯୋଗ କରିଛି ଯେ ଗତକାଲି ଭାରତୀୟ ସେନାର ଗୁଳିମାଡରେ ୪ ଜଣ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ହୋଇଛି । ଏହାର ଜବାବରେ ଆଜି ପାକିସ୍ତାନୀ ସେନା ଗୁଳିମାଡ କରିଥିବା କହିଛି । ଗୋଟିଏ ପଟେ ସୀମାରେ ଉତେଜନା ଲାଗି ରହିଥିବା ବେଳେ ଅନ୍ୟପଟେ ଦୁଇଦେଶର ଡିଜିଏମଓଙ୍କ ମଧ୍ୟରେ ଆଜି ଫୋନ୍ ଯୋଗେ ଆଲୋଚନା ହୋଇଛି । ତେବେ ଭାରତୀୟ ସେନାର ପ୍ରତି ଆକ୍ରମଣ କରିବାର ଅଧିକାର ରହିଛି ବୋଲି ସେନା ପକ୍ଷରୁ କୁହାଯାଇଛି ।