ହାଇଦ୍ରାବାଦରେ ଦାଦନ ଖଟିବା ବେଳେ ଚାନ୍ଦବାଲି ଅଂଚଳର ୩ ଯୁବକଙ୍କର ମୃତ୍ୟୁ : କ୍ଷତିପୂରଣ ଦାବିରେ ଶବ ନେଇ ଆସିଥିବା ତିନି ଆମ୍ବିଲାନ୍ସକୁ ଅଟକ ରଖିଲେ ଗ୍ରାମବାସୀ

43

କନକ ବ୍ୟୁରୋ : ପରିବାର ଆର୍ଥିକ ସ୍ଥିତିକୁ ଦେଖି ରାଜ୍ୟ ବାହାରକୁ ଯିବାକୁ ବାହାରିଥିଲେ ଭଦ୍ରକ ଚାନ୍ଦବାଲି ଅଂଚଳର ଦୁଇ ଭାଇ । ଶ୍ରମିକ ଭାବେ କାମ କରିବା ବୟସ ହୋଇ ନଥିବା ବେଳେ ସୁଦୂର ହାଇଦ୍ରାବାଦକୁ ଯାଇଥିଲେ ଦାଦନ ଖଟିବାକୁ । ମାଟି ତଳେ ପାଇପ ବିଛାଇବା ପରି ବିପଦ୍ଜନକ କାମ କରୁଥିଲେ ଦୁଇ ଭାଇ । ୬ଫୁଟ ମାଟି ତଳେ ପାଇପ ବିଛାଉଥିବା ବେଳେ ମାଟି ଅତଡା ଖସିବାରୁ ଏହି ଦୁଇ ଭାଇଙ୍କ ସମେତ ୩ ଜଣ ମାଟି ତଳେ ଚାପି ହୋଇଯାଇଥିଲେ । ତେବେ ଉଦ୍ଧାର କରିବା ବେଳେକୁ ସେମାନଙ୍କ ମୃତ୍ୟୁ ଘଟିସାରିଥିଲା ।

ମୃତ ଦୁଇ ଭାଇ ହେଲେ ଚାନ୍ଦବାଲି ବ୍ଲକ ଓରାସାହି ଅଂଚଳର ସହଦେବ ମହାଳିକଙ୍କ ଦୁଇ ପୁଅ ବିକାଶ ଓ ପ୍ରକାଶ । ଅନ୍ୟଜଣେ ଯାଜପୁର ଜିଲ୍ଲାର କ୍ଷେତ୍ରବାସୀ ସାହୁଙ୍କ ପୁଇ ମାନସ ବୋଲି ଜଣାପଡିଛି । ଗତ ୭ତାରିଖରେ ରାତିରେ ଏହି ଅଘଟଣ ଘଟିଥିଲା । ଏପଟେ ମରଶରୀରକୁ ଧରି ଆସିଥିବା ତିନି ଆମ୍ବୁଲାନ୍ସକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ଅଟକ ରଖିଛନ୍ତି । ଫଳରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପରିସ୍ଥିତି ପ୍ରକାଶ ପାଇଛି ।