ଦିନ ଦିପହର ଖରାରେ ସ୍ତ୍ରୀକୁ ଧରି ଥାନାରେ ବୃଦ୍ଧ ! ବାଡିରେ ଥିବା ବାଉଁଶ କାଟିବାରୁ ବାପା ମା’ଙ୍କୁ ପିଟିଲା ପୁଅ ।

43

କନକ ବ୍ୟୁରୋ : ଦିନ ଦିପହରରେ ଉଦୁଉଦୁଆ ଖରାରେ ବୟସର ଅପରାହ୍ନରେ ନଇଁ ପଡିଥିବା କାନ୍ଧରେ ଜଣେ ବୃଦ୍ଧ ନିଜ ପତ୍ନୀଙ୍କୁ ବୋହିଥିଲେ । ଆଖିରେ ଆଖିଏ ଲୁହ, ଛାତିରେ ବାର୍ଧକ୍ୟର କୋହ । ଘରେ ଆରାମରେ ବସି ନାତି ନାତୁଣୀଙ୍କ ସହ ଖେଳିବା ବୟସରେ ଥାନାକୁ ଗୁହାରି ନେଇ ଆସିଥିଲେ । ଯେଉଁ ପୁଅକୁ ଦିନେ ବାପା ମା’ ଅତି ଆଦରର ସହ ଭଲପାଇବା ଦେଇ ଛୋଟରୁ ବଡ କରିଥିଲେ, ବଡ ହେବା ପରେ ସେହି ପୁଅ ବାପା ମା’ଙ୍କ ଉପରକୁ ହାତ ଉଠାଇବାକୁ ମଧ୍ୟ ପଛାଇନଥିଲା । ସମ୍ପର୍କ ଏବଂ ସଂସ୍କାର ଭୁଲି ସେହି ପୁଅ ହାତ ଉଠାଇ ମାରିଥିଲା । ଜନ୍ମ କଲା ପୁଅ ତାଙ୍କୁ ମାଡ ମାରିଥିବା ଅଭିଯୋଗ ନେଇ ଜୟପୁରର ସୋନୁ ହଳ ପତ୍ନୀ ଲଛମା ହଳକୁ ଧରି ଥାନାରେ ଅଭିଯୋଗ କରିବାକୁ ଆସିଥିଲେ । ବୃଦ୍ଧଙ୍କ କେବଳ ଏତିକି ଭୁଲ ଥିଲା ନିଜ ଘର ବାରିପଟେ ଥିବା ଗୋଟିଏ ବାଉଁଶ କାଟିଦେଇଥିଲେ ।

ଦୀର୍ଘ ବର୍ଷ ହେଲା ପୁଅ ବାପା ମା’ଙ୍କ ଠାରୁ ଅଲଗା ରହୁଥିବା ବେଳେ ବାଡିରେ ଥିବା ବାଉଁଶ କାଟିବାରୁ ଏହାକୁ ନେଇ ବାପା ମାଆଙ୍କୁ ହାତ ଉଠାଇଥିଲା ପୁଅ ସୁକ୍ରୁ । ପୁଅର ଏହି କାଣ୍ଡ ବୃଦ୍ଧ ଦମ୍ପତିକୁ ବେଶ୍ ବାଧିଥିଲା, ତେଣୁ ପୁଅ ବିରୋଧରେ ଫେରାଦ ହେବାକୁ ଥାନାରେ ପହଞ୍ଚିଥିଲେ । ପୁଅ ଦେଉଥିବା ନିର୍ଯାତନା ନେଇ ଗୋଟି ଗୋଟି କରି ସବୁ କଥା ବଖାଣିଥିଲେ । ପୋଲିସ ପୁଅ ସୁକ୍ରୁ ହଳଙ୍କୁ ଡାକିବା ସହ ଆପୋଷ ସମାଧାନ ପାଇଁ ଉଦ୍ୟମ କରିଥିବା ସୂଚନା ମିଳିଛି ।