ବର୍ଷା ବାଧାପ୍ରାପ୍ତ ଟି-ଟ୍ୱେଂଟିରେ ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ ! ଅଷ୍ଟ୍ରେଲିଆକୁ ୯ ୱିକେଟରେ ହରାଇଲେ ବିରାଟ୍ ବାହିନୀ

28

କନକ ବ୍ୟୁରୋ: ଟିମ୍ ଇଣ୍ଡିଆ ହାତରୁ ବିଜୟ ଛଡ଼ାଇ ପାରିଲାନି ମ୍ୟାଚ୍ । ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ୯ ୱିକେଟରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ବର୍ଷା ଯୋଗୁଁ ଟିମ୍ ଇଣ୍ଡିଆ ପାଇଁ ଡିଏଲ୍ ନିୟମ ଅନୁସାରେ ବିଜୟ ଲକ୍ଷ୍ୟ ଥିଲା ମାତ୍ର ୪୮ ରନ୍, ତାହା ପୁଣି ୬ ଓଭରରେ । ହେଲେ ୩ଟି ବଲ ବଳି ଯାଇଥିଲା ଭାରତୀୟ ଦଳ ପାଇଁ ।

ରାଂଚିରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-ଟ୍ୱେଂଟି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଭ୍ରମଣକାରୀ ଦଳ । ଅଷ୍ଟ୍ରେଲିଆ ଦଳ ୧୧୮ ରନ୍ ସଂଗ୍ରହ କରିଥିବା ବେଳେ ବର୍ଷା ଯୋଗୁଁ ଖେଳ ବାଧାପ୍ରପ୍ତ ହୋଇଥିଲା । ଫଳରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ମାତ୍ର ୪୮ ରନ୍ । ଆଉ ଭାରତ ମାତ୍ର ଗୋଟିଏ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି ।

ସୂଚନା ମୁତାବକ, ବୋଲିଂ ବିସ୍ଫୋରଣ ପରେ ମୂଷଳ ଧାରାରେ ବର୍ଷା ହିଁ ଟି-ଟ୍ୱେଂଟି ଶୃଙ୍ଖଳାରେ ପ୍ରତିବଂଧକ ସାଜିଥିଲା। କାଟଛାଣ୍ଟ ଓଭର କିନ୍ତୁ ମ୍ୟାଚ୍ରେ ରୋମାଞ୍ଚ ଭରିଦେଲା। ମ୍ୟାଚ୍ ପୁନଃ ଆରମ୍ଭ ବେଳକୁ ଡିଏଲ୍ ନିୟମ ଅନୁସାରେ ଭାରତକୁ ୬ ଓଭରରେ ୪୮ ରନ୍ ଲକ୍ଷ୍ୟ ଦିଆଯାଇଥିଲା। ରୋହିତ ଶର୍ମା (୧୧, ୭ ବଲ୍, ୧ ଚୌକା, ୧ ଛକା) ସଅଳ ପଳାଇଥିଲେ। କଲଟର୍ ନାଇଲକୁ ଛକା ମାରିବାର ପର ବଲ୍ରେ ସେ ଆଉଟ୍ ହୋଇଥିଲେ । କିନ୍ତୁ ଶିଖର ଧାଓ୍ଵନ (୧୫ଞ୍ଚ, ୧୨ ବଲ୍, ୩ ଚୌକା) ଏବଂ ବିରାଟ କୋହଲି (୨୨ଞ୍ଚ, ୧୪ ବଲ୍, ୩ ଚୌକା) ଭାରତକୁ ୩ ବଲ୍ ପୂର୍ବରୁ ବିଜୟୀ କରାଇଦେଲେ। ଡାନିଏଲ୍ କ୍ରିଷ୍ଟିଆନଙ୍କ ବଲକୁ ଲଙ୍ଗ୍ ଅଫ୍ ସୀମା ରେଖା ବାହାରକୁ ପଠାଇ କୋହଲି ମ୍ୟାଚ୍ ଶେଷ କରିଥିଲେ। ଏଥି ସହ ଭାରତ ୩ ମ୍ୟାଚ୍ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଗଲା।

ରାଞ୍ଚିର ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ୍ ସଂଘ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ଟସ୍ ଜିତି କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ଓଭରରେ ହିଁ ଭୁବନେଶ୍ୱର କୁମାର ଭାରତକୁ ସଫଳତା ଦେଇଥିଲେ । ଦିନିକିଆ ଶୃଙ୍ଖଳାରେ ଚମତ୍କାର ଖେଳିଥିବା ଡେଭିଡ୍ ଓ୍ଵାର୍ନରଙ୍କୁ ବୋଲ୍ଡ କରି ଦେଇଥିଲେ । ସ୍ମିଥଙ୍କ ଆହତ କାରଣରୁ ଅଧିନାୟକତ୍ୱ କରିଥିବା ଓ୍ଵାର୍ନର ୫ ବଲ୍ ଖେଳି ୨ ଚୌକା ସହିତ ୮ ରନ୍ କରିଥିଲେ । ଭୁବି କିନ୍ତୁ ଓ୍ଵାର୍ନରଙ୍କୁ ବିସ୍ଫୋରକ ଆରମ୍ଭର ବଦଲା ନେଇଯାଇଥିଲେ । ଅନ୍ୟତମ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଆରୋନ୍ ଫିଞ୍ଚ୍ ଆକ୍ରମଣାତ୍ମକ ବ୍ୟାଟିଂ କରି ୩୦ ବଲ୍ରୁ ୪୨ ରନ୍ କରିଥିଲେ। ତାଙ୍କ ପାଳିରେ ୪ ଚୌକା ଏବଂ ୧ ଛକା ସାମିଲ ଥିଲା । କିନ୍ତୁ ଚାଇନାମ୍ୟାନ୍ କୁଲଦୀପ ଯାଦବ ତାଙ୍କୁ ବୋଲ୍ଡ କରିଦେଇ ନିଜ ସଫଳ ଧାରା ଜାରି ରଖିଥିଲେ । ୩ ନମ୍ବର ସ୍ଥାନରେ ଆସିଥିବା ଗ୍ଲେନ୍ ମ୍ୟାକ୍ସେଓ୍ଵଲ୍ (୧୭, ୧୬ ବଲ୍, ୨ ଚୌକା)ଙ୍କୁ ୟୁଜବେନ୍ଦ୍ର ଚହଲ୍ ଚଳିତ ଗସ୍ତରେ ପୁଣି ଥରେ ଶିକାର କରିଥିଲେ । ଓଭର ପ୍ରତି ୯ ରନ୍ ପାଖାପାଖି ରନ୍ ସଂଗ୍ରହ କରିଥିବା ଅଷ୍ଟ୍ରେଲିଆ ଏହା ପରେ ଲୟ ହରାଇ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ଷ୍ଟିଭେନ୍ ସ୍ମିଥଙ୍କ ଅନୁପସ୍ଥିତିରେ ଦଳର ଆତ୍ମବିଶ୍ୱାସ ବି ନିମ୍ନମୁଖା ଥିଲା । ଟ୍ରାଭିସ୍ ହେଡ୍ (୯), ମୋଜେସ୍ ହେନରିକ୍ସ (୮)ଙ୍କୁ ଯଥାକ୍ରମେ ହାର୍ଦିକ ପାଣ୍ଡ୍ୟା ଏବଂ କୁଲଦୀପ ଯାଦବ ବୋଲ୍ଡ କରି ପ୍ୟାଭିଲିଅନ୍ ରାସ୍ତା ଦେଖାଇଥିଲେ ।

ଡାନିଏଲ୍ କ୍ରିଷ୍ଟିଆନଙ୍କୁ ବିରାଟ କୋହଲି ରନ୍ ଆଉଟ୍ କରି ଦେଇଥିଲେ । ୧୮ତମ ଓଭରରେ କିନ୍ତୁ ଯଶପ୍ରୀତ ବୁମରାଙ୍କ ଯୁଗଳ ଝଟକା କଙ୍ଗାରୁ ଦଳକୁ ସମ୍ପୂର୍ଣ୍ଣ ବିଧ୍ୱସ୍ତ କରି ଦେଇଥିଲା । ୮ ଜଣଙ୍କ ମଧ୍ୟରୁ ୬ ଜଣ ଅଷ୍ଟ୍ରେଲୀୟ ବୋଲ୍ଡ ହେବା ସବୁଠାରୁ ଉଲ୍ଲେଖନୀୟ ଥିଲା। ୧୮.୧ ଓଭରରେ ଅଷ୍ଟ୍ରେଲିଆ ୮ ଓ୍ଵିକେଟ୍ ହରାଇ ୧୧୮ ରନ୍ କରିଥିବାବେଳେ ବର୍ଷା ଏହି ପାଳିକୁ ସୀମିତ ରଖିଥିଲା । ଭାରତ ପକ୍ଷରୁ କୁଲଦୀପ ଯାଦବ ଏବଂ ଯଶପ୍ରୀତ ବୁମରା ୨ ଲେଖାଏଁ, ଭୁବନେଶ୍ୱର କୁମାର, ହାର୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ୍ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ ।

ସଂକ୍ଷିପ୍ତ ସ୍କୋର୍: ଅଷ୍ଟ୍ରେଲିଆ ୧୮.୧ ଓଭରରେ ୧୧୮/୮ (ଅରୋନ୍ ଫିଞ୍ଚ୍-୪୨, ଗ୍ଲେନ୍ ମ୍ୟାକ୍ସେଓ୍ଵଲ୍-୧୭, ଟିମ୍ ପାଇନ୍-୧୭, କୁଲଦୀପ ଯାଦବ-୪/୧୬, ଯଶପ୍ରୀତ ବୁମରା-୨/୧୭, ୟୁଜବେନ୍ଦ୍ର ଚହଲ୍-୧/୨୩, ଭୁବନେଶ୍ୱର କୁମାର-୧/୨୮, ହାର୍ଦିକ ପାଣ୍ଡ୍ୟା-୧/୩୩) । ଭାରତ ୫.୩ ଓଭରରେ ୪୯/୧ (ରୋହିତ ଶର୍ମା-୧୧, ଶିଖର ଧାଓ୍ଵନ-୧୫ଞ୍ଚ, ବିରାଟ କୋହଲି-୨୨ଞ୍ଚ, କୁଲ୍ଟନ୍ ନାଇଲ୍-୧/୨୦) ।