ଦେଶରେ PUBG ଗେମ ବ୍ୟାନ୍ କରିବାକୁ କୋର୍ଟରେ ଆବେଦନ କଲେ ୧୧ ବର୍ଷର ଛାତ୍ର! ଜାଣନ୍ତୁ ଏହା ପଛର କାରଣ?

624

ଗୋଟିଏ ପଟେ ଦେଶରେ ପରୀକ୍ଷା ଋତୁ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ଅନଲାଇନ ଗେମକୁ ନେଇ ଅଭିଭାବକ ମାନଙ୍କ ଚିନ୍ତା ବଢିଯାଇଛି । ଏପରିକି ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଜଣେ ଅଭିଭାବକ ମଧ୍ୟ ମୋଦିଙ୍କୁ ଅନଲାଇନ ଗେମ PUBG ଉପରେ ପ୍ରଶ୍ନ କରିଥିଲେ । ଆଉ ଏସବୁ ଭିତରେ ଦେଶରେ ଯୁବବର୍ଗଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇଥିବା PUBG ଗେମକୁ ଭାରତରେ ବ୍ୟାନ କରିବାକୁ ୧୧ ବର୍ଷର ବାଳକ କୋର୍ଟରେ ଆବେଦନ କରିଛନ୍ତି ।

୬ଷ୍ଠ ଶ୍ରେଣୀରେ ପଢୁଥିବା ମୁମ୍ବାଇର ଅହଦ ନିୟାଜ ଅନଲାଇନ ଗେମ PUBGକୁ ବ୍ୟାନ୍ କରିବାକୁ କୋର୍ଟରେ ଆବେଦନ କରିଛନ୍ତି । ପେଶାରେ ଓକିଲ ଥିବା ମା’ ମାରିୟମ ନିୟାଜ ସହ ମିଶି ଉଭୟ ସରକାର ଓ କୋର୍ଟରେ ଏହି ଅନଲାଇନ ଗେମକୁ ବନ୍ଦ କରିବାକୁ ନିବେଦନ କରିଛନ୍ତି । ଅହଦଙ୍କ ଅନୁଯାୟୀ, ଏହି ଅନଲାଇନ ଗେମ ଖେଳୁଥିବା ବ୍ୟକ୍ତିଙ୍କ ମନରେ ଖରାପ ଚିନ୍ତାଧାରା ଆସିଥାଏ । ଏହି ଗେମ ମାରପିଟ ସହ ଚୋରି କରିବା ଭଳି ଭାବନା ସୃଷ୍ଟି କରୁଛି ।

ମୋବାଇଲରେ ଅନଲାଇନରେ ଖେଳାଯାଉଥିବା ଏହି ଗେମ ଏବେ ଯୁବବର୍ଗଙ୍କ ପ୍ରଥମ ପସନ୍ଦ । ଘଣ୍ଟା ଘଣ୍ଟା ଧରି ଏହି ଖେଳ ଖେଳୁଛନ୍ତି ଯୁବଗୋଷ୍ଠୀ । ସାଥୀ ହୋଇ ଖେଳାଯାଉଥିବା ଏହି ଗେମରେ ମାରିବା, ବମ ପକାଇବା, ଗୁଳି ମାରିବା, ଗ୍ରେନେଡ ପକାଇବା, ଲୁଟ କରିବା ଭଳି ଶବ୍ଦ ବ୍ୟବହାର କରାଯାଇଥାଏ । ଏପରିକି ଏହି ଖେଳରେ ସାଥୀ ଖେଳାଳିଙ୍କୁ ଗାଳି ଦେବାକୁ ପଛାଇ ନଥାନ୍ତି । ଏପରିକି ଗେମରେ ଜିତିବା ଲକ୍ଷ୍ୟରେ ରାତି ଅନିଦ୍ରା ହେଉଥିବାର ଖବର ମଧ୍ୟ ସାମ୍ନାକୁ ଆସିଛି । ଗେମ ଖେଳୁଥିବା ବେଳେ ଖେଳାଳି ମାନେ ନିଜକୁ ଆର୍ମି କମାଣ୍ଡୋ ବୋଲି ଭାବୁଛନ୍ତି । ଆଉ ଖେଳରେ ସାଥୀ ଖେଳାଳି ସାହାଯ୍ୟ ନ କଲେ ତାଙ୍କୁ ମାଡ ଓ ଗାଳି ଦେବା ସହ ଜୀବନ ନେବାକୁ ମଧ୍ୟ ପଛାଉନାହାନ୍ତି ।

ଆଉ ଏଭଳି ସମୟରେ ଅହଦ ନିୟାଜ PUBG ଗେମକୁ ଦେଶରେ ବ୍ୟାନ୍ କରିବାକୁ କୋର୍ଟରେ ଆବେଦନ କରିଛନ୍ତି । କେବଳ କୋର୍ଟରେ ନୁହେଁ ବରଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରବିଶଙ୍କର ପ୍ରସାଦ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଓ ଶିକ୍ଷା ମନ୍ତ୍ରୀ ବିନୋଦ ତାବଡେଙ୍କୁ ଚିଠି ଲେଖି PUBG ଗେମ ବ୍ୟାନ୍ କରିବାକୁ ଅନୁରୋଧ କରିଛନ୍ତି ଅହଦ ।