କନକ ବ୍ୟୁରୋ : ଅକ୍ଟୋବର ୧୧ରେ ଛାତ୍ର ସଂସଦ ନିର୍ବାଚନ। ଏହାପୂର୍ବରୁ କ୍ୟାମ୍ପସରେ ବଢ଼ିଚାଲିଛି ହିଂସା। ଗୋଟିଏ ପରେ ଗୋଟିଏ କ୍ୟାମ୍ପସକୁ ଏହା ବ୍ୟାପୁଛି। ଗତ ସୋମବାର ନିର୍ବାଚନ ତାରିଖ ଘୋଷଣା ପରେ ୧୨ଟି କଲେଜ ଓ ୩ଟି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଛାତ୍ର ଅଶାନ୍ତି ଯୋଗୁଁ ନିର୍ବାଚନ ବାତିଲ୍ ହୋଇଥିଲା। ନାମାଙ୍କନ ଦାଖଲ ବେଳେ ଛାତ୍ର ଅଶାନ୍ତି ଉଗ୍ରରୂପ ଧାରଣ କରିଥିଲା। ଯେଉଁଥିପାଇଁ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ଓ ୧୦ଟି ଡିଗ୍ରି କଲେଜ କ୍ୟାମ୍ପସରେ ନିର୍ବାଚନକୁ ବାତିଲ୍ କରାଯାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ସବୁଠାରୁ ଚିନ୍ତାର ବିଷୟ ହେଉଛି ଉତ୍କଳ, ସମ୍ବଲପୁର, ରେଭେନ୍ସା ବିଶ୍ୱବିଦ୍ୟାଳୟ ପରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବନ୍ଦ ହୋଇଛି। କ୍ୟାମ୍ପସରେ ଲଗାତାର ବୋମା ମାଡ଼ ଯୋଗୁଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତିି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ମୋଟ ୧୧ଟି ବିଶ୍ବବିଦ୍ୟାଳୟ ଥିବା ବେଳେ ସେଥିମଧ୍ୟରୁ ଏବେ ସୁଦ୍ଧା ଅର୍ଧାଧିକ ଅର୍ଥାତ୍ ୬ଟି ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବନ୍ଦ ହୋଇଛି। ଏବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ଫକୀର ମୋହନ ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ନିର୍ବାଚନ ହେବ। ନିର୍ବାଚନ ପୂର୍ବରୁ ଯଦି ଆଉ କୌଣସି ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ଅଶାନ୍ତି ଲାଗି ରୁହେ ତେବେ ସେଠାରେ ବି ନିର୍ବାଚନ ବନ୍ଦ କରାଯିବାର ଆଶଙ୍କା ରହୁଛି। ଅନ୍ୟପକ୍ଷରେ ନାମାଙ୍କନପତ୍ର ଦାଖଲ ସମୟରେ ରାଜ୍ୟର ବିଭିନ୍ନ କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା। କେତେକ କ୍ୟାମ୍ପସରେ ବୋମା ମାଡ଼ ସାଙ୍ଗକୁ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ନିର୍ବାଚନ ବାତିଲ୍ ହୋଇଛି।
କଟକ ଜିଲ୍ଲାର ନିଆଳି କଲେଜ, ଯାଜପୁର ଜିଲ୍ଲାର ଏନସି କଲେଜ, ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକର ନୀଳକଣ୍ଠେଶ୍ବର ଡିଗ୍ରି କଲେଜ, ବାରିପଦା କଲେଜ, ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟ, ଦେବଗଡ଼ କଲେଜ, କେନ୍ଦ୍ରାପଡ଼ା ଜିଲ୍ଲାର ଇନ୍ଦୁପୁର କଲେଜ, ନୟାଗଡ଼ ଜିଲ୍ଲାର ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ, ଭୁବନେଶ୍ୱର ଉପକଣ୍ଠ ଜୟଦେବ କଲେଜ, କଟକ ଜିଲ୍ଲା ନରସିଂହପୁର ଡିଗ୍ରି କଲେଜରେ ନିର୍ବାଚନକୁ ବାତିଲ୍ କରାଯାଇଛି। ନାମାଙ୍କନ ଦାଖଲ ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲେ ମଧ୍ୟ ନିୟନ୍ତ୍ରଣାଧୀନ ଥିବାରୁ କୌଣସି ପ୍ରକାର ଅଘଟଣ ଘଟି ନାହିଁ। ଗତକାଲି ପୁରୀ ଜିଲ୍ଲା ପିପିଲି ସ୍ୱୟଂଶାସିତ କଲେଜରେ ଛାତ୍ର ଅଶାନ୍ତିି ଯୋଗୁଁ ନିର୍ବାଚନ ବାତିଲ୍ ହୋଇଥିଲା।
ଚଳିତ ନିର୍ବାଚନ ବନ୍ଦ କରିବାର ପ୍ରମୁଖ ଅସ୍ତ୍ର ସାଜିଛି ବୋମା ମାଡ଼। ଗତ ତିନି ଦିନ ହେଲା ୨୦ରୁ ଅଧିକ କ୍ୟାମ୍ପସରେ ବୋମା ମାଡ଼ ହୋଇଛି। ପ୍ରତିଟି ଜାଗାରେ ସୁତୁଲି ବୋମା ମାଡ଼ ହୋଇଥିବା ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ଗତକାଲି ରାତିରେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ଓ ବାରିପଦା କଲେଜରେ ସୁତୁଲି ବୋମା ପକାଯାଇଥିବା ତଦନ୍ତରୁ ଜଣାପଡ଼ିଛି। ସେହିପରି ଭୁବନେଶ୍ୱର ଉପକଣ୍ଠ ଜୟଦେବ କଲେଜ ଉପରକୁ ବି ଗତକାଲି ରାତିରେ ସୁତୁଲି ବୋମା ମାଡ଼ କରାଯାଇଥିଲା। ଯେଉଁଥିପାଇଁ ନିର୍ବାଚନ ବନ୍ଦ ହୋଇଛି। କ୍ୟାମ୍ପସରେ ପତିଆରା ଜମାଇପାରୁ ନଥିବା ଛାତ୍ର ସଙ୍ଗଠନଗୁଡ଼ିକ ନିର୍ବାଚନ ବନ୍ଦ କରିବାକୁ ଉଦ୍ୟମ କରୁଛନ୍ତି। ଏଥିପାଇଁ ସେମାନେ ସୁତୁଲି ବୋମାକୁ ପ୍ରମୁଖ ମାଧ୍ୟମ କରୁଛନ୍ତି। ଶିକ୍ଷାବିତଙ୍କ ମତରେ କ୍ୟାମ୍ପସ ରାଜନୀତି ପାଇଁ ଏହା ଶୁଭଙ୍କର ନୁହେଁ। ଏଭଳି ଭାବେ ନିର୍ବାଚନ ବନ୍ଦ କରିବା ଅପେକ୍ଷା ନିର୍ବାଚନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣରୂପେ ବନ୍ଦ କରିଦେବା ଭଲ ହେବ। ରାଜ୍ୟର ଅର୍ଧାଧିକ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ନିର୍ବାଚନ ବନ୍ଦ ହେବା ଦ୍ୱାରା ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣ ହେଉଛି। ଏଥିପ୍ରତି ଚିନ୍ତା କରିବା ଦରକାର।