ଗିରଫ ଆଶଙ୍କାରେ ପି. ଚିଦାମ୍ବରମ୍ ଗାଏବ : ଆଶ୍ୱସ୍ତି ଦେଲେ ନାହିଁ ସୁପ୍ରିମକୋର୍ଟ, ଶୁକ୍ରବାର ହେବ ଶୁଣାଣି

255

କନକ ବ୍ୟୁରୋ : ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପି.ଚିଦାମ୍ବରମ । ଆଇଏନଏକ୍ସ ମିଡିଆ ଲାଂଚ ମାମଲାରେ ଚିଦାମ୍ବରମଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି । ନୋଟିସ ପରେ ଚିଦାମ୍ବରମ ଆଉ, ଦେଶ ବାହାରକୁ ଯାଇପାରିବେ ନାହିଁ । ଏପରିକି ଏହି ନୋଟିସ୍ ବଳରେ ପଳାୟନ କରିଥିବା ଅଭିଯୁକ୍ତଙ୍କୁ ଖୋଜିବା ସହ ଗିରଫ ମଧ୍ୟ କରାଯାଇପାରିବ । ସେପଟେ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ଚିଦାମ୍ବରମ । ତେବେ ମାମଲାର ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ୍ । ହେଲେ ସୁପ୍ରିମେକୋର୍ଟ ଚିଦାମ୍ବରମଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛନ୍ତି । କାରଣ, ମାମଲାର ତୁରନ୍ତ ଶୁଣାଣି କରିବାକୁ ମନା କରିଦେବା ସହ ୨୩ ତାରିଖରେ ପରବର୍ତ୍ତୀ ଶୁଣାଣି କରିବାକୁ କହିଛନ୍ତି ସର୍ବୋଚ୍ଚକୋର୍ଟ । ମାମଲାର ଶୁଣାଣି ନହେବା ପର୍ଯ୍ୟନ୍ତ ଚିଦାମ୍ବରମଙ୍କୁ ଗିରଫ ନକରିବାକୁ ତାଙ୍କ ଓକିଲ ଆବେଦନ କରିଥିବା ବେଳେ ଗିରଫଦାରୀ ଏଡାଇବାକୁ ଭରପୁର ଉଦ୍ୟମ କରୁଛନ୍ତି ଚିଦାମ୍ବରମ । ଆଉ ଏପଟେ ଚିଦାମ୍ବରମଙ୍କ ବିରୋଧରେ ଜାରି ହୋଇଛି ଲୁକ୍ଆଉଟ୍ ନୋଟିସ୍ । ଅର୍ଥାତ୍ ଦେଶ ବାହାରକୁ ଯାଇ ପାରିବେ ନାହିଁ ପୂର୍ବତନ ଅର୍ଥମନ୍ତ୍ରୀ ।


ଏପଟେ ଚିଦାମ୍ବରମଙ୍କ ସୁରକ୍ଷାରେ ବାହାରି ଆସିଛି କଂଗ୍ରେସ ବ୍ରିଗେଡ୍ । ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି- ମୋଦି ସରକାର, ଇଡି ଓ ସିବିଆଇର ଦୁରୁପୋଯୋଗ କରି ଚିଦାମ୍ବରମଙ୍କ ଛବିକୁ ଖରାପ କରିବାକୁ ଚାହୁଁଛନ୍ତି । ସେହିପରି ପ୍ରିୟଙ୍କା ଗାନ୍ଧୀ ଟ୍ୱିଟରରେ ଲେଖିଛନ୍ତି-ପରିଣାମ ଯାହା ହେଲେ ବି ସେ ଚିଦାମ୍ବରମଙ୍କ ସହ ଛିଡା ହୋଇଛନ୍ତି ଓ ସତ୍ୟ ପାଇଁ ଲଢ଼େଇ ଜାରି ରହିବ ।

ମଙ୍ଗଳବାର ଯେତେବେଳେ ଦିଲ୍ଲୀ ହାଇକୋର୍ଟ ଜାମିନ ନାମଞ୍ଜୁର କରିଦେଲେ, ତା’ପରେ ରାତି ସାରା ଦେଖିବାକୁ ମିଳିଥିଲା ଏକ ବଡଧରଣର ଡ୍ରାମା । ଇଡି ଓ ସିବିଆଇ ଟିମ୍ ଚିଦାମ୍ବରମଙ୍କ ଘରେ ପହଂଚିବା ସହ ରାତି ଅଧରେ ୨ ଘଂଟା ଭିତରେ ହାଜିର ହେବାକୁ ନୋଟିସ୍ କରିଥିଲେ ।
୨୦୦୭ରେ ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବା ସମୟରେ ଆଇଏନଏକ୍ସ ମିଡିଆକୁ ପ୍ରାୟ ୩୦୫କୋଟି ଟଙ୍କା ବିଦେଶ ପାଣ୍ଠି ଗ୍ରହଣ କରିବା ଦିଗରେ ବେଆଇନ ଭାବେ ଏଫଆଇପିବି ମଂଜୁର ପ୍ରଦାନ କରିଥିବା ଅଭିଯୋଗ ରହିଛି । ଏଥି ପାଇଁ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ଲାଂଚ ନେଇଥିଲେ । ଯେଉଁଥି ପାଇଁ କାର୍ତ୍ତିଙ୍କୁ ଗରିଫ ହେବାକୁ ମଧ୍ୟ ପଡ଼ିଥିଲା ।