ଏବେ ସୁରକ୍ଷା ଦେବେ ଯୋଗଗୁରୁ ! ରାମଦେବ ଖୋଲିଲେ ଘରୋଇ ସୁରକ୍ଷା ବ୍ୟବସାୟ

45

ଏବେ ସୁରକ୍ଷା ଦେବେ ଯୋଗଗୁରୁ । ପତଞ୍ଜଳିର ପ୍ରତିଷ୍ଠାତା ଯୋଗଗୁରୁ ରାମଦେବ ଏଫଏମସିଜି ପରେ ଏବେ ଘରୋଇ ସୁରକ୍ଷା ବ୍ୟବସାୟରେ ପ୍ରବେଶ କରିଛନ୍ତି । ରାମଦେବ “ପରାକ୍ରମ ସୁରକ୍ଷା ପ୍ରାଇଭେଟ ଲିମିଟେଡ’ ନାମରେ ଏକ କମ୍ପାନି ଗଠନ କରିଛନ୍ତି । ସୂଚନା ଅନୁଯାୟୀ, ସେବା ଏବଂ ପୁଲିସ ବିଭାଗରୁ ଅବସର ନେଇଥିବା ବ୍ୟକ୍ତିମାନଙ୍କୁ ରାମଦେବ ତାଙ୍କର ଏହି କମ୍ପାନିରେ ନିଯୁକ୍ତି ଦେବେ ।

ରାମଦେବ ଘରୋଇ ସୁରକ୍ଷା କମ୍ପାନିର ଉଦଘାଟନ କରିବା ସହିତ ‘ପରାକ୍ରମ ସୁରକ୍ଷା, ଆପକୀ ରକ୍ଷା’ର ସ୍ଳୋଗାନ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଏହି ସୁରକ୍ଷା ଏଜେନ୍ସି ଦେଶର ପ୍ରତ୍ୟେକ ଲୋକଙ୍କ ମଧ୍ୟରେ ରାଷ୍ଟ୍ରିୟ ଚେତନା ଜାଗ୍ରତ କରିବା ଲାଗି କାର୍ଯ୍ୟ କରିବ । ସେ ଏହା ମଧ୍ୟ କହିଛନ୍ତି ଯେ, ପତଞ୍ଜଳିର ଉଦ୍ୟମରେ ଦେଶରେ ଯୋଗ, ଆୟୁର୍ବେଦ ଏବଂ ସ୍ୱଦେଶୀ ଅଭିଯାନ ଆରମ୍ଭ ହୋଇଛି ।

ଏଥିଯୋଗୁଁ ଦେଶରେ ଲୋକମାନେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ହୋଇଛନ୍ତି । ପରାକ୍ରମ ସୁରକ୍ଷା ଏଜେନ୍ସି ଦେଶର ପ୍ରତ୍ୟେକ ଲୋକଙ୍କ ଜୀବନରେ ଆତ୍ମସୁରକ୍ଷା ଏବଂ ରାଷ୍ଟ୍ରସୁରକ୍ଷା ପ୍ରତି ସଚେତନତା ବୃଦ୍ଧି କରିବା ଲାଗି କାର୍ଯ୍ୟ କରିବ । ପ୍ରଥମ ବ୍ୟାଚରେ ୧୦୦ କର୍ମଚାରୀଙ୍କୁ ଗତ ଏକ ମାସ ହେଲା ତାଲିମ ଦିଆଯାଉଛି । ଚଳିତ ବର୍ଷ ଶେଷ ସୁଦ୍ଧା ଦେଶବ୍ୟାପୀ କମ୍ପାନିର ଶାଖା ଖୋଲିବ ବୋଲି ସେ କହିଛନ୍ତି ।

ଭାରତୀୟ ବାଣିଜ୍ୟ ଏବଂ ଶିଳ୍ପ ମହାସଂଘ ରିପୋର୍ଟ ଅନୁଯାୟୀ ଦେଶରେ ଘରୋଇ ସୁରକ୍ଷା ଏଜେନ୍ସି କ୍ଷେତ୍ରରେ ୪୦ ହଜାର କୋଟି ଟଙ୍କାର ବ୍ୟବସାୟ ସୁଯୋଗ ରହିଛି । ଗତ କିଛି ବର୍ଷ ହେଲା ଏହି କ୍ଷେତ୍ରର ଅଭିବୃଦ୍ଧି ଯେଉଁଭଳି ଭାବରେ ହେଉଛି ୨୦୨୦ ସୁଦ୍ଧା ଏହାର ବଜାର ଆକାର ୮୦ ହଜାର କୋଟି ଟଙ୍କାରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ, ବାବା ରାମଦେବଙ୍କ ପରାକ୍ରମ ସିକ୍ୟୁରିଟି ଏଜେନ୍ସି ବିଭିନ୍ନ ସଂସ୍ଥା ଏବଂ କେନ୍ଦ୍ରକୁ ସୁରକ୍ଷା ସେବା ଯୋଗାଇବ । ଏଥିସହିତ କର୍ପୋରେଟ କା~ýûଳୟ, ବ୍ୟକ୍ତିବିଶେଷ ଏବଂ ସପିଂ ମଲରେ ମଧ୍ୟ ସେବା ପ୍ରଦାନ କରିବ ।

ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି କମ୍ପାନି ଭାରତର ୧୦ଟି ପ୍ରଭାବଶାଳୀ ବ୍ରାଣ୍ଡ୍‌ ମଧ୍ୟରେ ସ୍ଥାନ ପାଇଛି। ଅନ୍ତର୍ଜାତୀୟ ସ୍ତରର ସଂସ୍ଥା ଇପସସ୍‌ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରୁ ଏହା ଜଣାଯାଇଛି। ଏହି ତାଲିକାର ପ୍ରଥମ ସ୍ଥାନରେ ଗୁଗଲ୍‌ ରହିଥିବାବେଳେ ଦ୍ୱିତୀୟ ସ୍ଥାନରେ ମାଇକ୍ରୋସଫ୍ଟ, ତୃତୀୟ ସ୍ଥାନରେ ଫେସ୍‌ବୁକ୍‌ ରହିଥିବାବେଳେ ଚତୁର୍ଥ ସ୍ଥାନରେ ପତଞ୍ଜଳି ରହିଛି । ନୂଆକରି ଗତବର୍ଷ ବ୍ୟବସାୟ ଆରମ୍ଭ କରିଥିବା ରିଲାଏନ୍ସ ଜିଓ ଏହି ତାଲିକାର ନବମ ସ୍ଥାନରେ ରହିଛି ।