ବାଲେଶ୍ୱର : ପଞ୍ଚାୟତ ଫଳାଫଳ କହିବ ପ୍ରତାପଙ୍କ ପତିଆରା କେତେ? ପୁଣିଥରେ ଦେଖିବାକୁ ମିଳିବ କି ରବିଙ୍କ ତେଜ, କଡା ଟକ୍କର ଦେବାକୁ କଂଗ୍ରେସର ସଜବାଜ ?

309

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଶେଷ ହେବା ପରେ ଏବେ ରୋଚକ ହୋଇଛି ବାଲେଶ୍ୱର ରାଜନୀତି । କେବଳ ପଞ୍ଚାୟତସ୍ତରରେ ନୁହେଁ ବରଂ ଏଥର ଜିଲ୍ଲା ପରିଷଦ ଜୋନ ଉପରେ ପ୍ରତି ଦଳର ଫୋକସ ରହିଛି । ଦଳୀୟ ଚିହ୍ନରେ ଲଢାଯାଉଥିବା ଜିଲ୍ଲା ପରିଷଦ ଜୋନର ଫଳାଫଳ ରାଜନୈତିକ ଦଳର ପତିଆରାକୁ ଦର୍ଶାଉଥିବାରୁ କଳେ ବଳେ କୌଶଳେ ଜିଲ୍ଳା ପରିଷଦ ଆସନ ହାତେଇବା ଏବେ ପ୍ରତି ଦଳର ପ୍ରାଥମିକତା ପାଲଟିଛି । ୨୦୧୭ରେ ଯେଉଁ ସ୍ଥିତି ଥିଲା ସେଥିରେ ଅନେକ ପରିବର୍ତ୍ତନ ଦେଖିବାକୁୂ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ବାଲେଶ୍ୱରକୁ ନେଇ ଆଗୁଆ ଆକଳନ କରିବା ଏଥର ସହଜ ନୁହେଁ । କାରଣ ଏସବୁ ଭିତରେ ବାଲେଶ୍ୱର ରାଜନୀତି ଟିକିଏ ଗୋଳିଆ ରହିଛି ।

ବାଲେଶ୍ୱରର ୧୨ଟି ବ୍ଲକର ୪୫ଟି ଜିଲ୍ଲା ପରିଷଦ ଜୋନ ରହିଛି । ଆଉ ଗତ ୨୦୧୨ ଓ ୨୦୧୭ରେ ଏଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଛି ବିଜେଡି । ୨୦୧୭ ନିର୍ବାଚନରେ ୩୧ଟି ଜୋନରେ ଶଙ୍ଖ ବାଜିଥିଲା । କିନ୍ତୁ ସଦର, ରେମୁଣା ଓ ନୀଳଗିରି ବିଧାନସଭା ଅଧିନରେ ଆସୁଥିବା ଜୋନରେ ଖାତା ଖୋଲି ପାରିନଥିଲା ବିଜେଡି । ଆଉ ଏହାର ପୁନରାବୃତ୍ତି ୨୦୧୯ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିଥିଲା । ବିଜେଡିକୁ ସାଂସଦ ପଦ ହରାଇବାକୁ ପଡିଥିଲା । ଜିଲ୍ଲାର ୩ ବିଧାନସଭା ଆସନରେ ବିଜେପି ବାଜି ମାରିଥିଲା । କିନ୍ତୁ ୨୦୨୦ରେ ବାଲେଶ୍ୱର ସଦର ଆସନ ପାଇଁ ହୋଇଥିବା ଉପ-ନିର୍ବାଚନ ଏହି କ୍ଷତିକୁ କିଛି ମାତ୍ରାରେ ଭରଣା କରିଥିଲା । ଦଳ ସଦର ଆସନରେ ସଙ୍ଗଠନକୁ ସୁଦୃଢ କରିଥିବା ବେଳେ ରେମୁଣା ଓ ନୀଳଗିରିରେ ଚ୍ୟାଲେଞ୍ଜର ସାମ୍ନା କରିପାରେ । ରବୀନ୍ଦ ଜେନାଙ୍କ ନେତୃତ୍ୱରେ ଦଳ ସଙ୍ଗଠିତ ହୋଇ ଲଢୁଥିଲେ ମଧ୍ୟ ପଞ୍ଚାୟତସ୍ତରରେ ଏକାଧିକ ଗୋଷ୍ଠୀ ବିଜେଡି ପାଇଁ ବୁମେରାଂ ହୋଇପାରେ । ପଞ୍ଚାୟତସ୍ତରରେ ସମିତି ସଭ୍ୟ, ସରପଞ୍ଚ ପ୍ରାର୍ଥୀ ବିନା ଦଳୀୟ ଚିହ୍ନରେ ଲଢୁଥିଲେ ମଧ୍ୟ ପ୍ରଚ୍ଛଦପଟରେ ଦଳୀୟ ନେତାଙ୍କ ସମର୍ଥନ ରହିଥାଏ । ଆଉ ବାଲେଶ୍ୱର ବିଜେଡି ସଙ୍ଗଠନରେ ମଧ୍ୟ ସେଭଳି କିଛି ଦେଖିବାକୁ ମିଳିଛି । ସଙ୍ଗଠନ ସହ ଜଡିତ ଥିବା ଅନେକ ନେତା ଏବେ ନିର୍ବାଚନୀ ମୈଦାନରେ ପରସ୍ପର ବିରୋଧରେ ଲଢିବାକୁ ଓହ୍ଲାଇଛନ୍ତି । ଯାହାର ପ୍ରଭାବ ସିଧାସଳଖ ଜିଲ୍ଲା ପରିଷଦ ଆସନ ଉପରେ ପଡିପାରେ । ତେଣୁ ଏହା ଏବେ ବିଜେଡିର ମୁଣ୍ଡବିନ୍ଧାର କାରଣ ପାଲଟିଛି । ତଥାପି ଜିଲ୍ଲା ପରିଷଦ ଜୋନ ହାତେଇବା ବିଜେଡି ପାଇଁ ସମ୍ମାନର ଲଢେଇ ସାଜିଛି ।

ଅନ୍ୟପଟେ ଗତ ଦୁଇଟି ନିର୍ବାଚନରେ ବିଜେପିର ଆସନ ସଂଖ୍ୟା ବଢିଥିଲେ ମଧ୍ୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇବା ସ୍ୱପ୍ନ ଏଯାବତ ପୂରା ହୋଇନାହିଁ । ତେଣୁ ଏଥର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇବା ଉପରେ ଜୋର ଦେଉଛି ବିଜେପି । ଗତ ୨୦୧୨ରେ ମାତ୍ର ଗୋଟିଏ ଜିଲ୍ଲା ପରିଷଦ ଜୋନରେ ବିଜୟୀ ହୋଇଥିଲା ବିଜେପି । କିନ୍ତୁ ୨୦୧୭ରେ ୧୩ଟି ଜୋନରେ ପଦ୍ମ ଫୁଟିଥିଲା । ସଦର, ରେମୁଣା ଓ ନୀଳଗିରିରେ ୪ଟି ଲେଖାଏଁ ଜୋନ ହାତେଇଥିବା ବେଳେ ବାହାନଗାରୁ ଗୋଟିଏ ଜୋନ ବିଜେପି ଖାତାକୁ ଆସିଥିଲା । ତେବେ ଭୋଗରାଇ, ବସ୍ତା, ଜଳେଶ୍ୱର ନିର୍ବାଚନମଣ୍ଡଳୀରେ ଖାତା ଖୋଲିପାରିନଥିଲା ଦଳ । କିନ୍ତୁ ୨୦୨୨ରେ ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟ୍ଟ ବାଲେଶ୍ୱରରେ ବିଜେପିକୁ ପୂର୍ବପେକ୍ଷା ସୁଦୃଢ କରିଥିବା କୁହାଯାଉଛି । କାରଣ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ୨୦୨୨ ବାଲେଶ୍ୱର ଉପ-ନିର୍ବାଚନ ପୂର୍ବରୁ ୪ଥର ବିଧାୟକ ଥିବା ଜୀବନ ପ୍ରଦୀପ ଦାସ ଏହା ଭିତରେ ବିଜେଡି ଶିବିର ଛାଡି ପଦ୍ମ ପୋଖରୀରେ ବୁଡ ମାରିଛନ୍ତି । ତେଣୁ ବସ୍ତାରେ ରଘୁଙ୍କ ବଳରେ ପଦ୍ମ ଫୁଟାଇବାକୁ ଜୋରଦାର ଉଦ୍ୟମ କରୁଛି ବିଜେପି ।

ଚଳିତଥର ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ନେତୃତ୍ୱରେ ବିଜେପି ବାଲେଶ୍ୱରରେ ନିର୍ବାଚନୀ ମୈଦାନକୁ ଓହ୍ଳାଇଛି । ଆଉ ଏହି ନିଷ୍ପତ୍ତି ହିଁ ଦଳ ପାଇଁ ବୁମେରାଂ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ଜିଲ୍ଲା ରାଜନୀତିରେ ପ୍ରତାପଙ୍କ ଏକଚାଟିଆ ଆଧିପତ୍ୟ ବିରୋଧରେ ଏବେ ଅସନ୍ତୋଷ ମୁଣ୍ଡ ଟେକିଲାଣି । ଦଳରେ ପୁରୁଖା ନେତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ଅନେକ ନେତା ବୀଭିଷଣ ସାଜିବାକୁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି । ଯାହା ବିଜେପିର ପଞ୍ଚାୟତ ସ୍ୱପ୍ନକୁ ଭୟଙ୍କର ମାତ୍ରାରେ ପ୍ରଭାବିତ କରିପାରେ ।

ସେହିଭଳି ଗତ ଦୁଇଟି ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ କର୍ମୀଙ୍କୁ ନିରାଶ କରିଥିଲା । ୨୦୧୨ରେ ୧୧ଟି ଆସନ ହାତେଇଥିବା କଂଗ୍ରେସ ୨୦୧୭ରେ ମାତ୍ର ଗୋଟିଏ ଜୋନରେ ହାତ ଟେକିଥିଲା । କିନ୍ତୁ ୨୦୨୨ ନିର୍ବାଚନରେ ଦଳ ପୁଣିଥରେ କଡା ଟକ୍କର ସହ କମବ୍ୟାକ କରିବ ବୋଲି କର୍ମୀ ଆଶା ବାନ୍ଧିଲେଣି । କାରଣ ଚଳିତ ପଞ୍ଚାୟତ ନିର୍ବାଚନର ଦଳର ମଙ୍ଗ ନବଜ୍ୟୋତି ପଟ୍ଟନାୟକଙ୍କ ହାତକୁ ଆସିବା ପରେ ଆକ୍ଟିଭ ମୋଡକୁ ଆସିଛନ୍ତି କଂଗ୍ରେସ କର୍ମୀ । ଏଥର ଦୁଇ ଅଙ୍କ ଆସନ ଜିତିବାକୁ ଦଳ ଲକ୍ଷ୍ୟ ରଖିଛି । ଆଉ କଂଗ୍ରେସର ଏଭଳି ରଣନୀତିକୁ ସଫଳ କରିପାରେ ବିଜେଡି ଓ ବିଜେପିରେ ଥିବା ଗୋଷ୍ଠୀ କନ୍ଦଳ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ମୁଦ୍ଦା କରି ଦଳ ତୃଣମୂଳସ୍ତରରେ ଏବେ ଭୋଟରଙ୍କ ପାଖରେ ପହଞ୍ଚିବା ଆରମ୍ଭ କରିଛି । ତେବେ ଏସବୁ ଭିତରେ ଭୋଟରଙ୍କ ଭରସା କିଏ ଜିତିବ, ଅନ୍ତଃକନ୍ଦଳ କାହା ପାଇଁ କାଳ ହେବ ଏବଂ ଏହାର ଫାଇଦା କାହାକୁ ମିଳିବ ତାହା ଉପରେ ସମସ୍ତଙ୍କର ନଜର ରହିବ ।