ଆଇପିଏଲ୍ ନିଲାମ ପାଇଁ ଶେଷ ହେଲା ଖେଳାଳି ରେଜିଷ୍ଟ୍ରେସନ୍ । ଦେଖନ୍ତୁ, ଦୁଇ କୋଟି ବେସ୍ ପ୍ରାଇସ୍ ରଖିଲେ କେଉଁ କେଉଁ ଖେଳାଳି?

338

କନକ ବ୍ୟୁରୋ: ଆଇପିଏଲ୍ ଖେଳାଳି ନିଲାମ ପ୍ରକ୍ରିୟା ପାଇଁ ଯେତେ ଯେତେ ସମୟ ପାଖୋଉଛି, ସେତେ ସେତେ ଏହାକୁ ନେଇ ଏବେ ଚର୍ଚ୍ଚା ବଢିବାରେ ଲାଗିଛି । ଏହାରି ଭିତରେ ଅନେକ ଖେଳାଳି ନିଲାମ ପ୍ରକ୍ରିୟାରେ ଭାଗ ନେବାକୁ ନିଜର ନାଁ ମଧ୍ୟ ରେଜିଷ୍ଟର କରିସାରିଛନ୍ତି । ତେବେ ତାଜା ସୂଚନା ମୁତାବକ ଏଥର ମେଗା ଅକ୍ସନ ପାଇଁ ମୋଟ ୧୨୧୪ ଜଣ ଖେଳାଳି ରେଜିଷ୍ଟ୍ରେସନ୍ କରିଛନ୍ତି ।

ସୂଚନା ମୁତାବକ, ଏହି ଖେଳାଳିଙ୍କ ଭିତରେ ୨୭୦ କ୍ୟାପଡ୍ ପ୍ଲେୟାର ହୋଇଥିବାବେଳେ, ୯୦୩ ଅନ କ୍ୟାପଡ୍ ପ୍ଲେୟାର ଓ ୪୧ ଆସୋସିଏଟ୍ ପ୍ଲେୟାର ରହିଛନ୍ତି । ତେବେ ଏହି ଖେଳାଳିଙ୍କ ଭିତରୁ ମାତ୍ର କିଛି ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାକୁ ଚୟନ କରାଯିବ ବୋଲି ଜଣାପଡିଛି ।

ପ୍ରାୟ ୪୯ ଜଣ ଖେଳାଳି ନିଜର ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରଖିଛନ୍ତି । ତା ମଧ୍ୟରେ ୧୭ ଜଣ ଭାରତୀୟ ଖେଳାଳି ହୋଇଥିବାବେଳେ, ୩୨ ଜଣ ବିଦେଶୀ ଖେଳାଳି ନିଜର ବେସ୍ ପ୍ରାଇସ୍ ୨କୋଟି ରହିଛି । ଭାରତୀୟ ଖେଳାଳି ରବିଚନ୍ଦ୍ରନ ଅଶ୍ୱିନୀ, ଶ୍ରେୟାସ ଆୟର, ଶିଖର ଧାୱନ୍,ୟୁଜବେନ୍ଦ୍ର ଚହଲ, ଦିନେଶ କାର୍ତ୍ତିକ , ଇଶାନ କିଷାନ୍, ଭୁବନେଶ୍ୱର କୁମାର, ଦେବଦତ୍ତ ପାଡିକଲ, କ୍ରୁନାଲ ପାଣ୍ଡ୍ୟା, ହର୍ଷଲ ପଟେଲ, ସୁରେଶ ରାଇନା, ଅମ୍ବାତି ରାଇଡୁ, ମହମ୍ମଦ ଶାମି, ସାର୍ଦ୍ଦୁଲ ଠାକୁର, ରବିନ ଉତ୍ଥପା ଓ ଉମେଶ ଯାଦବଙ୍କ ବେସ୍ ପ୍ରାଇସ୍ ୨ କୋଟି ରହିଛି ।

ସେହିପରି ବିଦେଶୀ ଖେଳାଳିଙ୍କ ଭିତରେ ମଜିବ୍ ଜାଦରାନ୍, ଏଷ୍ଟନ ଏଗର, ନାଥନ କୁଲଟର ନାଇଲ୍, ପ୍ୟାଟ୍ କମିନ୍ସ, ଜୋସ ହେଜେଲହୁଡ, ଷ୍ଟିଭ୍ ସ୍ମିଥ୍, ମାଥ୍ୟୁ ୱାଡେ, ଡେଭିଡ୍ ୱାର୍ଣ୍ଣର, ସକିବ ଅଲ୍ ହାସନ, କ୍ରିସ୍ ଜୋଡାନ୍, ଫାଫ୍ ଡୁ ପ୍ଲେସିସ୍, ଜସନ ରୟ, କାଗିସୋ ରାବାଡାଙ୍କ ଭଳି ଖେଳାଳି ନିଜର ବେସ୍ ପ୍ରାଇସ୍ ୨ କୋଟି ରଖାଯାଇଛି ।

ଅନ୍ୟପଟେ ନୂଆକରି ତିଆରି ହୋଇଥିବା ଦୁଇଟି ଆଇପିଏଲ୍ ଟିମ୍ ନିଜର ରିଟେନ୍ ଖେଳାଳିଙ୍କ ତାଲିକା ଘୋଷଣା କରିଛନ୍ତି । ଲକ୍ଷ୍ନୌ ଟିମ୍ କେଏଲ ରାହୁଲଙ୍କ ସହିତ ମାର୍କସ ଷ୍ଟୋଇନିସ୍ ଓ ରବି ବିଷ୍ଣୋଇଙ୍କୁ ବାଛିଛି । ସେହିପରି ଅହମ୍ମଦାବାଦ ଟିମ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ରସିଦ ଖାନ୍ ଓ ଶୁଭମନ୍ ଗିଲଙ୍କୁ ନିଜ ଦଳରେ ସାମିଲ କରିଛନ୍ତି ।