ରାଜ୍ୟସଭା ଉପନିର୍ବାଚନ ତାରିଖ ଘୋଷଣା ପରେ ମୁହଁ ଖୋଲିଲେ ଆଶାୟୀ ନେତା । ପାଟ୍ଟଶାଣୀ କହିଲେ, କଥାଦେଇ କଥା ରଖନ୍ତି ନବୀନ, ରମେଶ କହିଲେ ସୁପ୍ରିମୋଙ୍କ ଉପରେ ଭରସା ଅଛି ।

388

କନକ ବ୍ୟୁରୋ : ବାଜିଲା ରାଜ୍ୟସଭା ଉପନିର୍ବାଚନ ବିଗୁଲ । ଜୁଲାଇ ୫ରେ ହେବ ଭୋଟ । ସଂଖ୍ୟା ଦୃଷ୍ଟିରୁ ୩ଟି ଯାକ ଆସନ ଅକ୍ତିଆର କରିବ ବିଜେଡି । ଆଉ ଏହାକୁ ନେଇ ବିଜେଡିରେ ଆରମ୍ଭ ହେଲାଣି ଅଙ୍କକଷା । କେଉଁ ନେତାଙ୍କୁ ମିଳିବ ବିଜେଡି ସୁପ୍ରିମୋଙ୍କ ଗ୍ରୀନ ସିଗନାଲ୍, ତାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା । ଉପନିର୍ବାଚନ ତାରିଖ ଘୋଷଣା ସହ ରାଜ୍ୟସଭା ଯିବାକୁ ଆଶା ରଖିଥିବା ନେତା ଆରମ୍ଭ କଲେଣି ଲବି ।

ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ୨୦୧୯ ନିର୍ବାଚନରେ ଦଳୀୟ ଟିକେଟରୁ ବଂଚିତ ହୋଇଥିବା ପାଟ୍ଟଶାଣୀଙ୍କୁ ରାଜ୍ୟସଭାକୁ ପଠାଯିବ ବୋଲି ସେତେବେଳେ କହିଥିଲେ ବିଜେଡି ସୁପ୍ରିମୋ । ନବୀନ ଦେଇଥିବା ପ୍ରତିଶ୍ରୁତିକୁ ମତେ ପକାଇ ଦେଇଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । ସେ କହିଛନ୍ତି, ନବୀନ ଯାହା କହନ୍ତି, ତାହା କରିକି ଦେଖାନ୍ତି । ତେଣୁ ସାଧାରଣ ଲୋକେ ଯେତେବେଳେ ନବୀନଙ୍କ କଥା ଉପରେ ବିଶ୍ୱାସ କରନ୍ତି ସେତେବେଳେ ମୁଁ ସୁପ୍ରିମୋଙ୍କ କଥା ବିଶ୍ୱାସ କରିବି ନାହିଁ ବା କେମିତି ।

ପୂର୍ବତନ ବିଧାୟକ ରମେଶ ଚ୍ୟାଉ ପଟ୍ଟନାୟକ । ବ୍ରହ୍ମପୁରରୁ ବିଧାୟକ ଭାବେ ବାରମ୍ବାର ଜିତିଥିବା ଚ୍ୟାଉ ପଟ୍ଟନାୟକଙ୍କୁ ଏଥର ମିଳିନଥିଲା ଟିକେଟ୍ । ତାଙ୍କୁ ମଧ୍ୟ ମିଳିଥିଲା ରାଜ୍ୟସଭା ପାଇଁ ପ୍ରତିଶ୍ରୁତି । ତାଙ୍କର ବିଶ୍ୱାସ, ନବୀନ ତାଙ୍କୁ ମଧ୍ୟ ପଠାଇବେ ରାଜ୍ୟସଭା ।

୩ ଆସନ କିନ୍ତୁ ଦାବିଦାର ଅନେକ । ହାରିଥିବା ହେଭିୱେଟ୍ ନେତାଙ୍କୁ ଥଇଥାନ କରାଯିବ ନା’ ଅସନ୍ତୁଷ୍ଟଙ୍କୁ ତୁଷ୍ଟ କରିବାକୁ ଉଦ୍ୟମ ହେବ ନା’ ନୂଆ ଚେହେରାଙ୍କୁ ସୁଯୋଗ ଦିଆଯିବ, ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି । ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା , ବିଜେଡି ମିଡିଆସେଲର ମୁଖ୍ୟ ତଥା ଦଳର ମୁଖପାତ୍ର ଅମର ପଟ୍ଟନାୟକ, ପଶ୍ଚିମ ଓଡିଶାର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ନାଁକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ସେହିପରି ଏଥର ନିର୍ବାଚନ ହାରିଥିବା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି, ସଂଜୟ ଦାସବର୍ମା ଏବଂ ଅରୂପ ପଟ୍ଟନାୟକ ମଧ୍ୟ ଏହି ଦୌଡରେ ଥିବା କୁହାଯାଉଛି । ସେପଟେ ବିଧାନସଭାରେ ସଭ୍ୟଙ୍କ ସଂଖ୍ୟା ଦୃଷ୍ଟିରୁ ରାଜ୍ୟସଭା ରେସରୁ ଏକପ୍ରକାର ଓହରି ଯାଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ତେବେ ରାଜ୍ୟସଭା କିଏ ଯିବ ସବୁ କିଛି ନିର୍ଭର କରୁଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ।