୨୦୨୧ ବିଧାନସଭା ନିର୍ବାଚନୀ ପ୍ରସ୍ତୁତି ନେଇ ବିଜେପି ଟାର୍ଗେଟରେ ମମତା : ଶାହଙ୍କ ସାମ୍ନାରେ ପ୍ରଶାନ୍ତ କିଶୋରଙ୍କ ରଣନୀତି ଫିକା, ଦିଦିଙ୍କୁ ରକ୍ଷା କରିପାରିବେନି ପ୍ରସିଦ୍ଧ ନିର୍ବାଚନୀ ରଣନୀତିଜ୍ଞ

398

କନକ ବ୍ୟୁରୋ : ମମତାଙ୍କ ଫୋକସରେ ୨୦୨୧ ବିଧାନସଭା ନିର୍ବାଚନ । ଲୋକସଭା ନିର୍ବାଚନରେ ଫଳାଫଳ ଦେଖି ବିଧାନସଭା ନିର୍ବାଚନ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସାହାଯ୍ୟ ନେବାପାଇଁ ଅଣ୍ଟା ଭିଡ଼ିଛନ୍ତି ମମତା । ପ୍ରଶାନ୍ତଙ୍କୁ ଭରସା କରି ୨୦୨୧ ନିର୍ବଚନୀ ବୈତରଣୀ ପାର କରିବା ପାଇଁ ଚେଷ୍ଟା କରୁଥିବା ବେଳେ ମମତାଙ୍କୁ ପୁଣି ଟାର୍ଗେଟ କରିଛି ବିଜେପି । ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହଙ୍କ ଠାରୁ ପ୍ରଶାନ୍ତ କିଶୋର ବଡ଼ ରଣନୀତିଜ୍ଞ ନୁହଁନ୍ତି ବୋଲି କହିଛି ଦଳ । ଅମିତ ଶାହଙ୍କ ରଣନୀତିର ଫଳାଫଳ ୨୦୧୯ ନିର୍ବାଚନରେ ସ୍ପଷ୍ଟ ପରିଲକ୍ଷତ ହୋଇଛି । ପ୍ରଶାନ୍ତ କିଶୋର ଯେଉଁ ସ୍କୁଲର ଛାତ୍ର ବିଜେପିର ରାଷ୍ଟ୍ରିୟ ଅଧ୍ୟକ୍ଷ ତଥା ବର୍ତ୍ତମାନର ଗୃହମନ୍ତ୍ରୀ ଯେଉଁ ସେହି କଲେଜର ପ୍ରିନ୍ସିପାଲ ।

ବିଜେପି ଷ୍ଟ୍ରାଜେଜି ମେକରଙ୍କ ସାମ୍ନାରେ ପ୍ରଶାନ୍ତଙ୍କ ରଣନୀତି ଫିକା ପଡ଼ିବା ଥୟ । ୨୦୨୧ ନିର୍ବାଚନରେ ବିଜେପି ହାତକୁ ଆସିବ ଦିଦିଙ୍କ ଗଡ଼ର ଶାସନ ଭାର । ମମତାଙ୍କ ଏକଛତ୍ରବାଦୀ ଶାସନରେ ବ୍ରେକ୍ ଲାଗିବ । ଦିଦିଙ୍କ ହିଟଲରି ଗିରିକୁ ଓପାଡ଼ି ଫିଙ୍ଗିବା ପାଇଁ ପୁରା ପ୍ରସ୍ତୁତ ଅଛନ୍ତି ଜନତା । ଏକଥା କହିଛନ୍ତି ପଶ୍ଚିମବଙ୍ଗରେ ବିଜେପି ମହାସଚିବ ତଥା ପଶ୍ଚିମବଙ୍ଗ ଦଳ ପ୍ରଭାରୀ ବିଜୟବଗୀୟ । ଦିଦିଙ୍କ ଉପରୁ ଜନତାଙ୍କ ଭରସା ଉଠିସାରିଛି । କୌଣସି ନିର୍ବାଚନୀ ରାଜନୀତିଜ୍ଞ ତାଙ୍କୁ ସାହାଯ୍ୟ କରିପାରିବେ ନାହିଁ ।

ପ୍ରଶାନ୍ତ କିଶୋର ଗତ ଗୁରୁବାର ଦିନ ତୃଣମୂଳ କଂଗ୍ରେସକୁ ସାକ୍ଷାତ କରିବା ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ନିକଟ ଭବିଷ୍ୟତରେ ମମତାଙ୍କ ପାଇଁ କାମ କରିପାରିନ୍ତ ଅଟକଳ ହେଉଛି । ଟିଏମସି ରାଜ୍ୟରେ ବିଜେପିର ପ୍ରଭାବକୁ ରୋକିବା ପାଇଁ ୨୦୨୧ ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ସହାୟତା ନେଇପାରନ୍ତି ମମତା । ପ୍ରଶାନ୍ତ କିଶୋରଙ୍କ ଅଭିଜ୍ଞତାକୁ ପାଥେୟ ଗଡ଼ ରକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ତେବେ ଏହି ସାକ୍ଷାତ ନେଇ ଉଭୟ ଟିଏମସି ଓ ପ୍ରଶାନ୍ତ କିଶୋର ଖୋଲାଖୋଲି କିଛି ପ୍ରକାଶ କରିନାହାନ୍ତି । ସୁଚନା ଅନୁସାରେ ଜୁଲାଇ ଠାରୁ ପଶ୍ଚିମବଙ୍ଗ ସରକାର ପାଇଁ କାମ କରିପାରନ୍ତି ପ୍ରଶାନ୍ତ କିଶୋର ।

ସୂଚନାଯୋଗ୍ୟ ୨୦୧୪ରେ ବିଜେପିର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ପ୍ରଶାନ୍ତ କିଶୋର । ୨୦୧୪ରେ ଲୋକସଭା ନିର୍ବାଚନ ପୂର୍ବରୁ ୨୦୧୨ରେ ଗୁଜରାଟ ନିର୍ବାଚନ ସମୟରେ ମଧ୍ୟ ପ୍ରଶାନ୍ତ କିଶୋର, ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ରଣନୀତିଜ୍ଞ ଭାବେ କାମ କରିଥିଲେ । ତେବେ ପରେ ଅମିତ ଶାହଙ୍କ ସହ ମନୋମାଳିନ୍ୟ ଯୋଗୁଁ ପ୍ରଶାନ୍ତ କିଶୋର ବିହାର ନିର୍ବାଚନ ସମୟରେ ନୀତିଶ କୁମାରଙ୍କ ସହ ଯୋଡ଼ି ହୋଇଥିଲେ । ଜେଡ଼ିୟୁରେ ସାମିଲ ହେବାପୂର୍ବରୁ ନିର୍ବାଚନୀ ପରାମର୍ଶଦାତା ବା ରଣନୀତିକାର ଭାବେ ଉତ୍ତରପ୍ରଦେଶ ବିଧାନସଭା ନର୍ବାଚନରେ କଂଗ୍ରେସକୁ ସାହାଯ୍ୟ କରିଥିଲେ ପ୍ରଶାନ୍ତ କିଶୋର ।